Latest Odisha News

BREAKING NEWS

ଧାନ କିଣାରେ ବର୍ଷକୁ ୧ ହଜାର କୋଟି ଟଙ୍କାର ଦଳୀୟ ପାଣ୍ଠି ସଂଗ୍ରହ କରୁଛି ବିଜେଡି: ବିଜେପି

ଭୁବନେଶ୍ୱର: ଧାନକିଣାରେ ଏକ ବଡ ସିଣ୍ଡକେଟ୍ କାମ କରୁଛି । ରାଜ୍ୟ ସରକାରଙ୍କ କୃଷି, ଯୋଗାଣ ଏବଂ ସମବାୟ ବିଭାଗର ମିଳିତ ମଧୁଚନ୍ଦ୍ରିକାରେ ସାମିଲ ଅଛନ୍ତି ମିଲର୍ସ । ଧାନ କିଣାରେ ବିଜେଡି ବର୍ଷକୁ ୧୦୦୦ କୋଟି ଟଙ୍କାର ଦଳୀୟ ପାଣ୍ଠି ସଂଗ୍ରହ କରୁଥିବା ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ବାସ୍ତବରେ ରାଜ୍ୟର ଚାଷୀକୁଳର କାଳ ସାଜିଛି ଶାସକ ବିଜେଡି । ଓଡିଶାର ଚାଷୀଙ୍କର କୌଣସି ଅର୍ଥନୈତିକ ଉନ୍ନତି ହୋଇନାହିଁ । ବିଜେଡିର ୨୪ ବର୍ଷର ଶାସନରେ ଚାଷୀଙ୍କ ମୁଣ୍ଡ ପିଛା ଆୟ ମାତ୍ର ୨୭ ଟଙ୍କା ବଢିଛି । ବିଜେଡି ଶାସନକୁ ଆସିବା ସମୟରେ ଚାଷୀଙ୍କ ଆୟ ଥିଲା ମାତ୍ର ୫୦୮୫ ଟଙ୍କା, ଏବେ ୨୪ ବର୍ଷ ପରେ ଏହା ବୃଦ୍ଧି ପାଇ ମାତ୍ର ୫୧୧୨ ଟଙ୍କାକୁ ପହଁଚିଛି । ଓଡିଶାରେ ଚାଷୀଙ୍କ ଆୟ ସର୍ବଭାରତୀୟ ସ୍ତରର ଆୟଠାରୁ ସବୁଠାରୁ କମ୍ ଏବଂ ବ୍ୟୟରେ ମଧ୍ୟ କମ୍ । ଏହା ଓଡିଶାର ଚାଷୀଙ୍କୁ ବିଜେଡି ସରକାରର ସବୁଠୁ ବଡ ଉପହାର କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ଧାନ କଟା କାର୍ଯ୍ୟ ଆରମ୍ଭ ହୋଇସାରିଛି । ବିଶେଷ ଭାବେ ପଶ୍ଚିମ ଓଡିଶାରେ ଏହି କାର୍ଯ୍ୟ ବହୁ ଜୋର ଧରିଛି । ମହା ଆଡମ୍ବରରେ ଲଘୁ କ୍ରୀୟା ସଦୃଶ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଓ ଅବ୍ୟବସ୍ଥିତ ମଣ୍ଡି ବ୍ୟବସ୍ଥା । ଘୋଷଣା ସର୍ବସ୍ୱ ବିଜେଡି ସରକାର ଆଜି ପର୍ଯ୍ୟନ୍ତ ସୁବ୍ୟବସ୍ଥିତ ମଣ୍ଡି କାର୍ଯ୍ୟକାରୀ କରିବାରେ ଅକ୍ଷମ ବୋଲି ପ୍ରମାଣିତ ହୋଇଛି । କଟନୀ ଛଟନୀ ର ଶିକାର ହେଉଥିବା ଚାଷୀକୁଳ ଆଜି ବି ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ବାହାର ରାଜ୍ୟର ବେପାରୀଙ୍କ କବଜାରେ ଚାଷୀକୁଳ ।

ଗତକାଲି ରାଜ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟ ସରକାରଙ୍କ ଅସହାୟତାକୁ ସ୍ୱୀକାର ମଧ୍ୟ କରିଛନ୍ତି । ମାନ୍ୟବର ରାଜ୍ୟପାଳ କାଲି ସମ୍ବଲପୁର ଯାଇଥିଲେ ଚାଷୀମାନେ ଆସି ତାଙ୍କୁ ଶୋଷଣ ହେଉଛନ୍ତି ବୋଲି ଫେରାଦ୍ ଦେଲେ କିନ୍ତୁ ତାର ପ୍ରତି ଉତ୍ତରରେ ମନ୍ତ୍ରୀ ଅତନୁ ସବ୍ୟସଚୀ କହିଲେ ଯେ, ‘ସୀମା ସିଲ୍ କରିଦେବୁ ଆଉ କେହି ପ୍ରବେଶ କରିପାରିବେନାହିଁ’ । ପଡୋଶୀ ରାଜ୍ୟରେ ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୩୦୦୦ ଟଙ୍କା ଦିଆଯାଉଥିବାବେଳେ ଓଡିଶାରେ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ୨୧୮୩ ଟଙ୍କା ପାଇବାରୁ ବଞ୍ଚିତ ଚାଷୀକୁଳ । ବାଧ୍ୟ ହୋଇ ଧାନ କ୍ୱିଂଟାଲକୁ ୧୫୦୦– ୬୦୦ ଟଙ୍କାରେ ବିକ୍ରୀ କରୁଛି ଚାଷୀ । ସୁତୁଲି, ଅଖା, ପରିବହନ ପାଇଁ ଆସୁଥିବା ଟଙ୍କାକୁ ବିଜେଡିର ନେତା ଓ ମନ୍ତ୍ରୀ ମିଳିମିଶି ଖାଇଯାଉଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସମସ୍ତ ଚାଷୀଙ୍କର ସମସ୍ତ ଧାନ ଓଡିଶା ସରକାର କ୍ରୟ କରିବେ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତି ନିଆଗଲା । ପୁଣି ଜଳସେଚିତ ଓ ଅଣଜଳସେଚିତ କଥା କହି ଆଉ ଗୋଟିଏ କ୍ରାଇଟେରିଆ ଗ୍ରହଣ କରିଲେ । ଏହା ଦ୍ୱାରା ବଳକା ଧାନ ବିକ୍ରୀ ହୋଇନପାରି ପଡି ରହୁଛି ଏବଂ ଚାଷୀକୁଳ ବ୍ୟାପକ କ୍ଷତି ସହୁଛନ୍ତି । ଭୁବନେଶ୍ୱରରୁ ଟୋକନ ଇସ୍ୟୁ କରାଯାଉଥିବା କାରଣରୁ ବହୁ ସଂଖ୍ୟାରେ ଭୁତ ହିତାଧିକାରୀ ଲାଭବାନ ହେଉଛନ୍ତି । ମିଲରଙ୍କ ଜରିଆରେ ଦଳୀୟ ପାଂଠି ସଗ୍ରହ କରିବାରେ ଏହା ସହାୟକ ହେଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ମାନ୍ୟବର ହାଇକୋର୍ଟଙ୍କ ରାୟ ଅନୁଯାୟୀ ଏଫସିଆଇ ଧାନ କିଣିବା କଥା । କିନ୍ତୁ ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ଜୋରଜବରଦସ୍ତ ଜାବୁଡି ଧରିଛନ୍ତି । ଏହା ପଛରେ ଦଳୀୟ ପାଂଠି ସଂଗ୍ରହ କରିବା ମୂଳ ଲକ୍ଷ୍ୟ । ବହୁ ଚାଷୀ ଶୋଷଣର ଶିକାର ହେଲେଣି, ଆଉ ଚାଷୀଙ୍କୁ ଶିକାର ହେବାକୁ ଦିଆଯିବନାହିଁ । ବିଜେଡି ସରକାରର ଚାଷୀମାରଣ ନୀତି ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.