Latest Odisha News

BREAKING NEWS

‘ବିଜେଡି ଏବେ ଅସ୍ତଗାମୀ ସୂର୍ଯ୍ୟ, ଆଉ ନବୀନ ଗୃହବନ୍ଦୀ’

ଭୁବନେଶ୍ବର: ଓ୍ବାକଫ୍ ବିଲ ନେଇ ବିଜେଡିର ମତ, ବଢାଇଛି ରାଜନୀତି ତାତି । ବିଜେଡିକୁ ନେଇ ଏବେ ଚାରିଆଡେ ଆଲୋଚନା  । ଚାଲିଛି କ’ଣ ଦଳରେ? କାହିଁକି ମୁହଁ ଖୋଲୁନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ? ମନଇଚ୍ଛା କାମ କରୁଛନ୍ତି ଦଳୀୟ କର୍ମଚାରୀ । ଶାସକ ଠାରୁ ନେଇ ବିରୋଧୀ କଂଗ୍ରେସ ପର୍ଯ୍ୟନ୍ତ, ଏମିତିକି ଖୋଦ୍ ଦଳୀୟ ବରିଷ୍ଠ ନେତା ବି ଅସନ୍ତୋଷ ଝାଡିଲେଣି ।

ବିବାଦୀୟ ଓ୍ବାକଫ୍ (ସଂଶୋଧିତ) ବିଲ୍ ଆଇନ ପରିଣତ ହେବା ପୂର୍ବରୁ ସଂସଦର ଦୁଇ ଗୃହ ଦେଇ ଆସିବା ବେଳେ, ଓ୍ବାକଫ୍ ବୋର୍ଡ ନେଇ ବିଜେଡିର ଆଭିମୁଖ୍ୟ ଏବେ ସମସ୍ତଙ୍କୁ ଚକିତ କରିଛି । ବିଜେଡିର ଜଣେ ସାଂସଦ ସସ୍ମିତ୍ ପାତ୍ର ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା ବେଳେ କିଛି ଏହାର ବିପକ୍ଷରେ ଏବଂ ଆଉ କିଛି ଏନେଇ କୌଣସି ମତ ରଖିନାହାନ୍ତି । ଯାହାକୁ ନେଇ କଟାକ୍ଷ କରଇଚନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ୱକ୍‌ଫ ବିଲ୍‌ରେ ବିଜେଡି ଭୋଟିଂକୁ ନେଇ ନରସିଂହ କହିଛନ୍ତି, ମୁଁ ତ କହିବି ବିଜେଡି ଦୁଇ ଫାଳ ନୁହେଁ, ଫାାଳ ଫାଳ ହୋଟାଇଛି । ମୁଖ୍ୟ ପରାମର୍ଶଦାତା ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି । ପୂର୍ବରୁ ବି ରଖିଥିଲେ, ଏବେବି ଗୃହବନ୍ଦୀ କରି ରଖିଛନ୍ତି । ନବୀନଙ୍କୁ ଦିଲ୍ଲୀ ନେଇ ବ୍ଲାକ୍ ଡିଲ୍ କରି ଏପରି କରିଚନ୍ତି । ବିଜେଡି ବିଜେପି ମେଣ୍ଟ ଏବେ ବି ରହିଛି । ସେମାନେ ଖୁବଶୀଘ୍ର ମିଳିତ ମନ୍ତ୍ରିମଣ୍ଡଳ କରିବାକୁ ଯୋଜନା କରିଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ନରସିଂହ ମିଶ୍ର ।

ସେହିପରି ଶାସକ ବିଜେପି ମଧ୍ୟ ବିଜେଡି ଏବେ ଅସ୍ତଗାମୀ ସୂର୍ଯ୍ୟ ବୋଲି କହି କଟାକ୍ଷ କରିଛି । ବିଜେଡି ଏବେ ଅସ୍ତଗାମୀ ସୂର୍ଯ୍ୟ ବୋଲି ଆକ୍ଷେପ କରିଛନ୍ତି, ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ । ଯେଉଁ ଦଳ ଅସ୍ତଗାମୀ, ସେ ଦଳର ଭବିଷ୍ୟତ କିଛି ନାହିଁ । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଏବେ ଦିଶାହୀନ । ଏଥିସହିତ ବିରୋଧୀ ଦଳ ନେତା ଗୃହକୁ କେତେ ଥର ଆସିଥିଲେଣି ବୋଲି ପ୍ରଶ୍ନ କରିଛନ୍ତି ବିରଞ୍ଚି । ଦଳରେ କଣ ଚାଲୁଛି ସମସ୍ତେ ଜାଣନ୍ତି, ବିଜେଡିର ଏବେ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଛି ବୋଲି ସେ ଦାବି କରିଛନ୍ତି ।

Comments are closed.