Latest Odisha News

BREAKING NEWS

‘ପୋଲିସ ଓ ପ୍ରଶାସନକୁ ବ୍ୟବହାର କରି ଜନତାଙ୍କୁ ଧମକାଇ ଭୋଟ୍ ହାତେଇବାର ଅପଚେଷ୍ଟା କରୁଛି ବିଜେଡି’

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ବିଜୁ ଜନତା ଦଳ ସରକାର ନିର୍ବାଚନ ଜିତିବା ପାଇଁ କ୍ଷମତା ଅପବ୍ୟବହାର କରୁଛି । ବିଡିଓ, ପୋଲିସ ଅଧିକାରୀ ତଥା ବଡ ବଡ ପୋଲିସ ଅଫିସରମାନଙ୍କୁ ବିଜେଡି ନିଜର ଦଳୀୟ କାର୍ଯ୍ୟରେ ଲଗାଉଛି । ନିର୍ବାଚନ ଆସିଲେ ପ୍ରଶାସନ ଅଧିକାରୀମାନେ ବିଜେଡିର କର୍ମୀଭଳି କାର୍ଯ୍ୟ କରନ୍ତି ଓ ନିର୍ବାଚନ ସରିଲେ ସେମାନଙ୍କୁ ଅନ୍ୟ ଜାଗାକୁ ବଦଳି କରାଯାଏ । ଏହି ଘଟଣା କିଛି ନୂଆ ନୁହଁ ବରଂ ଦୀର୍ଘ ବର୍ଷ ଧରି ଶାସନରେ ଥିବା ଶାସକ ବିଜେଡି ଏଭଳି ହୀନକାର୍ଯ୍ୟ କରୁଛି । ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ, ଭୟମୁକ୍ତ ଓ ନିରପେକ୍ଷ କରିବା ନିତ୍ୟାନ୍ତ ଆବଶ୍ୟକ । କିନ୍ତୁ ବିଜେଡି ତାହା ନକରି ପୋଲିସ ଓ ପ୍ରଶାସନକୁ ବ୍ୟବହାର କରି ଜନତାଙ୍କୁ ଧମକାଇ ଭୋଟ ହାତେଇବାର ଅପଚେଷ୍ଟା କରୁଛି ।

ଚଳିତ ନିର୍ବାଚନ ପାଇଁ ମଧ୍ୟ ଏଭଳି ହୀନ କୌଶଳ ଆରମ୍ଭ କରାଯାଇଛି । ଗଞ୍ଜାମ ଜିଲ୍ଲା ସମେତ ଅନ୍ୟାନ୍ୟ ଅଂଚଳରେ ବିଜେପି ନେତା ଓ କର୍ମୀଙ୍କୁ ପୂର୍ବତନ ଦକ୍ଷିଣାଂଚଳ ପୋଲିସ ଆଇଜି ଧମକ ଦେବା ସହ ଭୟଭୀତ କରୁଛନ୍ତି । ଏହଭଳି ହୀନ କାର୍ଯ୍ୟକୁ ଘୋର ନିନ୍ଦା କରୁଛି, ଏ ସଂପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯିବା ସହିତ ଆବଶ୍ୟକ ପଡିଲେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ବିଧାୟକ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।

ବିଜେଡିର ଦଳୀୟ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ପୁରୁଖା ଅଫିସରଙ୍କୁ ବାରମ୍ବାର ପୋଷ୍ଟିଂ କରନ୍ତି । ନିର୍ବାଚନ ପରେ ସେମାନଙ୍କୁ “ପ୍ରାଇଜ ପୋଷ୍ଟିଂ” ଦେଇ ବଦଳି କରାଯାଏ । ସରକାରୀ ଅଧିକାରୀମାନେ ନିଜ କର୍ତବ୍ୟ ଓ ଦାୟିତ୍ୱକୁ ଭୁଲିଯାଇ ଶାସକ ଦଳର ଏଜେଂଟ ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ । ସାଧାରଣ ନିର୍ବାଚନ କିଭଳି ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହେବ ସେ ନେଇ ସିଇଓ ଓ ଇସିଆଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପାଣିଗ୍ରାହୀ କହିଛନ୍ତି ।

Leave A Reply

Your email address will not be published.