ଭୁବନେଶ୍ୱର: ଯେଉଁ ନକ୍ସଲଙ୍କ ପାଇଁ ଛତିଶଗଡ ଦନ୍ତେଓ୍ୱାଡାରେ ଦେଶର ୧୦ ଯବାନ ସହିଦ ହୋଇଛନ୍ତି ଆଉ ଏଥିପାଇଁ ରାଜ୍ୟରେ ମଧ୍ୟ ତିନି ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟା ଜୋରଦାର କରାଯିବା ସହିତ ହାଇଆଲର୍ଟ ରଖାଯାଇଛି ସେହି ନକ୍ସଲଙ୍କୁ ଚାନ୍ଦା ଦିଅନ୍ତି ବିଜେଡିର ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ ନେତା ଏନ ଭାସ୍କର ରାଓ। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା ପ୍ରେସମିଟ୍ କରି ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି, ଟ୍ରକ ମାଲିକ ମାନଙ୍କୁ ଘରକୁ ଡାକି ଭାସ୍କର ରାଓ ନକ୍ସଲ ମାନଙ୍କୁ ଚାନ୍ଦା ଦିଆଯିବ ବୋଲି ଟଙ୍କା ମାଗିଛନ୍ତି। ଏହାକୁ ନେଇ
ଟ୍ରକ ମାଲିକ ସଙ୍ଘ ରାୟଗଡା ଥାନାରେ ଏତଲା ଦେଇଛନ୍ତି। ୧୮ ତାରିଖରେ ଏତଲା ଦେବାପରେ ୨୯ ତାରିଖ ହୋଇଥିଲେ ମଧ୍ୟ ପୋଲିସ ନିରବ ରହିଛି। ଏହା କଣ ଆଇନ ତା ବାଟରେ ଯାଉଛି କି ବୋଲି କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ପଚାରିଛନ୍ତି। ସାଧାରଣ ଲୋକଙ୍କ ପାଇଁ ଆଇନର ଗୋଟେ ବାଟ ସରକାରୀ ଦଳ ପାଇଁ ଆଇନର ଆଉ ଗୋଟିଏ ବାଟ ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।
ସରକାର ନକ୍ସଲ ବିରୋଧରେ ଲଢ଼ୁଛନ୍ତି ବୋଲି କହୁଛନ୍ତି ହେଲେ ତାଙ୍କ ଦଳର ନେତା ନକ୍ସଲ ମାନଙ୍କୁ ବଟି ଆଦାୟ କରି ସହାୟତା ଦେଉଛନ୍ତି ବୋଲି କଂଗ୍ରେସ କହିଛି। ଏବେ ପୋଲିସ ଏହି ମାମଲାର ତଦନ୍ତ କରିବା ଅପେକ୍ଷା କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁ ବୋଲି କଂଗ୍ରେସ ଦାବି କରିଛି।
ସେହିପରି ରାଜ୍ଯ ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି, ପୂର୍ବରୁ ମଧ୍ୟ ବିଜେଡିର ଅନେକ ନେତାମାନେ ନକ୍ସଲମାନଙ୍କ ସମ୍ପର୍କରେ ରହିଥିବାର ନଜିର ରହିଛି। ଆଉ ଏବେ ଘଟଣା ସାମ୍ନାକୁ ଆସିବା ଦୁର୍ଭାଗ୍ୟଜନକ। ଏପଟେ କହୁଛନ୍ତି ନକ୍ସଲ ଦମନରେ ଅଛୁ କିନ୍ତୁ ପ୍ରକୃତରେ ବିଜୁ ଜନତା ଦଳର ନେତା ନକ୍ସଲଙ୍କ ସମ୍ପର୍କରେ ଥାନ୍ତି ଏକଥା ସ୍ପଷ୍ଟ। ବିଜେଡି ନେତାଙ୍କର କେତେ ରୂପ ଏଥିରୁ ଜଣାପଡୁଛି ବୋଲି ସେ କହିଛନ୍ତି।
୨୦୨୨ରେ ଓଡିଶାରେ ୧୨ଟି ସ୍ଥାନରେ ନକ୍ସଲ ହିଂସା ଘଟିଛି ବୋଲି ବିଧାନସଭାରେ ଶ୍ୱେତପତ୍ରରେ ସରକାର କହିଛନ୍ତି। ୭ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ୧୨ ଜଣଙ୍କୁ ଗିରଫ କରାଯାଇଥିବା କଥା ଵି ସରକାର କହିଛନ୍ତି।
Comments are closed.