ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଦଶମନ୍ତପୁର ଅଞ୍ଚଳବାସୀଙ୍କ ସମସ୍ୟାକୁ ଅଗଷ୍ଟ 15 ତାରିଖ ସ୍ୱାଧୀନତା ଦିବସ ପାଳନ ଅବସରରେ ଅଭିନୟ ମାଧ୍ୟମରେ ଏକ ନିଆରା ଢଙ୍ଗରେ ଉପସ୍ଥାପନ କରିଥିଲେ ଜଣେ କୁନି ଝିଅ। ତାଙ୍କର ଏହି କୁଶଳୀ ଉପସ୍ଥାପନା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତେବେ ମଞ୍ଚରେ ଉପସ୍ଥିତ ଅତିଥିମାନେ ଯେଉଁଭଳି ଭାବେ କୁନି ଝିଅର ଉପସ୍ଥାପନାକୁ ନେଇ ହସି ହସି ଗଡ଼ିଛନ୍ତି, ତାହାକୁ ନେଇ ବିଜେଡି ନେତା ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଛୋଟ ଝିଅଟି ନିଜ ଅଭିନୟ ମାଧ୍ୟମରେ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରାଉଥିବା ବେଳେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ମାଝୀ। ସୋସିଆଲ ମିଡିଆରେ ଆଦିବାସୀ ନେତା କହିଛନ୍ତି ଯେ, ଅତିଥିମାନେ ଯୁବତୀ ଜଣକ କ’ଣ ବାର୍ତ୍ତା ଦେଉଛନ୍ତି ତାହା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ ହସୁଛନ୍ତି।
ଉପସ୍ଥିତ ବ୍ୟକ୍ତିମାନେ ବୁଝିବା ଉଚିତ୍ ଥିଲା ଯେ କୁନି ଝିଅଟି କୌଣସି ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତାରେ ଭାଗ ନେଉନାହିଁ ବରଂ ଭଲ ରାସ୍ତା ନଥିବା ସମେତ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ କହିବାକୁ ଚେଷ୍ଟା କରୁଛି ଏବଂ ଏସବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରୁଛି ବୋଲି ପୂର୍ବତନ ସାଂସଦ କହିଛନ୍ତି।
Comments are closed.