Latest Odisha News

BREAKING NEWS

ଗୁଜରାଟରେ ବିଜେପି ପାଇଁ ପ୍ରଚାର କରୁଛନ୍ତି ବିଜେଡି ମନ୍ତ୍ରୀ: ନରସିଂହ ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ପୂର୍ବଭଳି ବିଜେଡି ଓ ବିଜେପି ମଧ୍ୟରେ ଭଲ ସମ୍ପର୍କ ନାହିଁ। ଧାମନଗର ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରଠୁ ପରସ୍ପରକୁ ଦେଖିଲେ ଦୁଇ ଦଳ ଡେଉଁଛନ୍ତି। ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ପାଇଁ ଦୁଇ ଦଳ ମୈଦାନରେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ ପୂର୍ବତନ ବିରୋଧୀ ଦଳ ନେତା ତଥା ଏବେର କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ବୟାନ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସେ କହିଛନ୍ତି, ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହି ସମୟରେ ବିଜେପି ପାଇଁ ପ୍ରଚାର କରୁଛନ୍ତି ବିଜେଡିର ମନ୍ତ୍ରୀ।

ନରସିଂହ ମିଶ୍ର ନିଜ ଅନ୍ଦାଜରେ ସବୁଥର ଭଳି ଏଥର ମଧ୍ୟ ବିଜେଡି-ବିଜେପିକୁ ସମାଲୋଚନା କରିବାକୁ ଯାଇ ଦୁଇ ଦଳ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି କହିଛନ୍ତି। ବିଜେଡିର ଜଣେ ବିଧାୟକ ତଥା ମନ୍ତ୍ରୀ ଏବେ ସୁରଟ ଯାଇ ବିଜେପି ପାଇଁ ପ୍ରଚାର କରୁଛନ୍ତି। ସେ ଯଦିଓ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି ବୋଲି କହିଛନ୍ତି କିନ୍ତୁ କାହାରି ନାଁ ନେଇ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ଗୁଜରାଟର ସୁରଟରେ ଅନେକ ଓଡ଼ିଆ ଶ୍ରମିକ କାମ କରନ୍ତି। ଅଧିକାଂଶ ଶ୍ରମିକ ଗଞ୍ଜାମ ଜିଲ୍ଲାର। ତେଣୁ ଗୁଜରାଟରେ ଯେତେବେଳେ ବିଜେଡି ନିର୍ବାଚନ ଲଢୁନାହିଁ ସେତେବେଳେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ସୁରଟ ଯାଇ ନିର୍ବାଚନ ବେଳେ କଣ କରୁଛନ୍ତି ବୋଲି ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି। ଏହା ଦୁଇ ଦଳର ଗୋଟିଏ ନୀତି ବୋଲି ସେ କହିଛନ୍ତି। ଏପରି କହିବାକୁ ଯାଇ ବିଜେଡି ଓ ବିଜେପି ଏକ ବୋଲି ଜଗଦଗୁରୁ ଶଙ୍କରାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଏକ କାର୍ଯ୍ୟକ୍ରମରେ କହିଥିବା କଥା ମନେ ପକାଇ ବିଜେପି ଓ ବିଜେଡିକୁ ବାଣ ମାରିଛନ୍ତି।

ସେପଟେ ଏହାକୁ ନେଇ଼ ବିଜେଡି ମଧ୍ୟ ଜବାବ ରଖିଛି। ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ମାନ୍ୟବର ସଦସ୍ୟ ସତ୍ୟତା ନଜାଣି ନିଜକୁ ସୁହାଇଲା ଭଳି ରାଜନୈତିକ ବୟାନବାଜି କରୁଛନ୍ତି। ନିର୍ବାଚନ ବେଳେ ଯିଏ କଣ ଯିବ ସେ କଣ ପ୍ରଚାର ପାଇଁ ହିଁ ଯାଇଥିବ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଜେପି ମଧ୍ୟ ବିଜେଡି ବିଧାୟକଙ୍କ ଭଳି ଜବାବ ରଖଛି। ନରସିଂହ ମିଶ୍ର ଯେଉଁ ଦାବି କରୁଛନ୍ତି ତାର ପ୍ରମାଣ ମାଗିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ  ମୋହନ ମାଝୀ। ବିଧାନସଭାରେ ବିନା ପ୍ରମାଣରେ କଂଗ୍ରେସ ବିଧାୟକ ଏକଥା କହୁଛନ୍ତି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ହେଲେ ଅଧିକାଂଶ ବିଜେଡି ମନ୍ତ୍ରୀ ଏବେ ପଦ୍ନପୁରରେ ପ୍ରଚାର କରୁଛନ୍ତି। ସେହିପରି ବିଜେପିର ମଧ୍ୟ ଅଧିକାଂଶ ବିଧାୟକ ଏବେ ପଦ୍ମପୁରରେ ରହିଛନ୍ତି। ଯାହାକୁ କଂଗ୍ରେସ ନାପସନ୍ଦ କରିଛି। ବିଜେପି ମଧ୍ୟ କହିଛି, ବିଧାନସଭା ଚାଲିଥିବା ବେଳେ ମନ୍ତ୍ରୀ ବିଧାନସଭାରେ ନରହିବା ଦୁର୍ଭାଗ୍ୟଜନକ।

Leave A Reply

Your email address will not be published.