Latest Odisha News

BREAKING NEWS

ଚଳେଇ ଦେଉନାହାନ୍ତି ବିଧାନସଭା: ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ

ଭୁବନେଶ୍ବର: ବିରୋଧୀଙ୍କ ହୁଙ୍କାରରେ ବଢିଲା ବିଧାନସଭା ଉଷ୍ମତା । କଥା ଏତେ ଆଗକୁ ବଢିଗଲା ଯେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଗଲେ ବିଜେଡି ବିଧାୟକ । ଖାଲି ଚଢିଲେ ନାହିଁ ବାଚସ୍ପତିଙ୍କ ମାଇକ ମଧ୍ୟ ଭାଙ୍ଗିଦେଇଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ।

ଆଜି ଅପରାହ୍ନରେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସର ବିଧାୟକମାନେ ପୁଣି ବିଧାନସଭାରେ ହୋହଲ୍ଲା କରିଥିଲେ। ଗୃହର ମଧ୍ୟଭାଗକୁ ଆସି ଅନେକ ବିଜେଡି ଓ କଂଗ୍ରେସ ବିଧାୟକ ହଲ୍ଲାବୋଲ କରିଥିଲେ। ଆଉ ଏହି ସମୟରେ ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ ଭାଙ୍ଗି ଦେଇଥିଲେ। ପୂର୍ବରୁ ମଧ୍ୟ ଆଜି ସକାଳେ ସମାନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ  ଦିନ ୪ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ।

ତେବେ ବିଧାନସଭାରେ ଏଭଳି ପରିସ୍ଥିତି କିଛି ନୂଆ ନୁହେଁ । ଯାହା ନୂଆ ତାହା ହେଲା ଏଥର ନୂଆ ସରକାରଙ୍କୁ ନୂଆ ବିରୋଧୀ । ଶାସକ ଗାଦିରେ ବସିଲା ପରେ ବିଜେପି ଯେତେ ନିରବ ହୋଇଯାଇଛି ବିରୋଧୀ ବିଜେଡି ଦଳ ସେତେ ଆକ୍ରମକ ହୋଇଯାଇଛି । ସରକାରଙ୍କୁ ଘେରିବାକୁ କିଛି ବି ମୌକା ଛାଡୁନାହିଁ । ଏଭଳି କ୍ଷେତ୍ରରେ ବିଧାନସଭା ଗୃହ ଚଳାଇବା କଷ୍ଟ କର ହୋଇପଡିଛି ।

ତେବେ କହିରଖୁଛୁ, ମଙ୍ଗଳବାର ବିଜେପି ସରକାରର ବିଧାନସଭା ପ୍ରଥମ ଅଧିବେଶନର ଦ୍ବିତୀୟ ଦିନ । ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ଆରମ୍ଭରୁ ହିଁ ସେହି ସମାନ ପରିସ୍ଥିତି । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା ନେଇ ଗୃହ ନାରାବାଜି କରିଛନ୍ତି ବିରୋଧୀ ବିଜେଡି । ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ଯାହା ଅସମ୍ଭାଳ ହେବାରୁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ପରେ ଅପରାହ୍ଣ ୪ଟା ଏହା ଆରମ୍ଭ ହୋଇଥିବା ବେଳେ ପୁଣି ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାରିବା ଘଟଣା ନେଇ ଗୃହ ମଝିକୁ ଆସି ହଟ୍ଟଗୋଳ କରିଥିଲେ ବିରୋଧୀ । ଯେଉଁ କାରଣରୁ ପୁଣି ଆସନ୍ତାକାଲି ଯାଏଁ ଗୃହ ମୁଲତବି ରଖାଯାଇଛି ।

Comments are closed.