Latest Odisha News

BREAKING NEWS

ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

କେନ୍ଦ୍ରାପଡା: ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ଏତଲା । ଏତଲା ଦେଇଛନ୍ତି ତାଙ୍କ ବୋହୂ ରୋନାଲି ବେହେରା। ଖାଲି ଶଶୀଭୂଷଣ ନୁହେଁ, ତାଙ୍କ ପତ୍ନୀ ସୁପ୍ରଭା ଏବଂ ପୁଅ ସତ୍ୟପ୍ରକାଶଙ୍କ ବିରୋଧରେ ମଧ୍ୟ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ରୋନାଲି ।

କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କ ପତ୍ନୀ ରୋନାଲି ଗତ ମାର୍ଚ୍ଚ ୩ ତାରିଖରେ ବାଙ୍କି ଥାନାରେ ଏକ ଯୌତୁକ ନିର୍ଯାତନା ଅଭିଯୋଗ ଦାଏର କରିଛନ୍ତି । ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି, ଶାଶୂଘର ଲୋକେ ତାଙ୍କୁ ୪୦ ଲକ୍ଷ ଟଙ୍କା ଆଣିବା ପାଇଁ ଦାବି କରୁଛନ୍ତି । ସେ ଟଙ୍କା ନ ଆଣିବାରୁ ମାରପିଟ କରୁଛନ୍ତି । ତାଙ୍କୁ ଟଙ୍କା ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆ ଯାଉଥିବା ସେ ଏତଲାରେ ଲେଖିଛନ୍ତି ।

ଏପରିକି ଶଶି ବେହେରାଙ୍କ ପୁଅଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି । ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି ।

ରୋନାଲିଙ୍କ ଅଭିଯୋଗ କ୍ରମେ ବାଙ୍କି ଥାନା ପୋଲିସ ଶଶିଭୂଷଣଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଦଫା ୪୯୮(କ), ୨୯୪, ୫୦୬, ୩୪ ଆଇପିସି ଏବଂ ଯୌତୁକ ନିରୋଧ ଆଇନ ୧୯୬୧ର ସେକ୍ସନ ୪ ଅନୁସାରେ ମଧ୍ୟ ମାମଲା ରୁଜୁ ହୋଇଛି । ତେବେ ମାର୍ଚ୍ଚ ୩ ତାରିଖରେ ସେ ଅଭିଯୋଗ ଆଣିଥିଲେ ମଧ୍ୟ ପୋଲିସ କୗେଣସି ପଦକ୍ଷେପ ନେଇ ନ ଥିବା ସେ ଅଭିଯୋଗ କରିଛନ୍ତି

ଅନ୍ୟପକ୍ଷେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ଶଶୀଭୂଷଣ । ସେ ଯୌତୁକ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ବିବାହ ସମୟରେ କୌଣସି ଉପହାର ମଧ୍ୟ ସେ ଗ୍ରହଣ କରି ନ ଥିବା କହିଛନ୍ତି। ତାଛଡା ବିବାହ ପରେ ତାଙ୍କ ବୋହୂ ଅଧିକାଂଶ ସମୟ ନିଜ ଘରେ ରୁହନ୍ତି ବୋଲି ଶଶୀଭୂଷଣ କହିଛନ୍ତି । ତାଛଡା ଏପରି ଅଭିଯୋଗ ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର । ବାଚସ୍ପତି ପଦ  ନେଇ ତାଙ୍କ ନାଁ ଚର୍ଚ୍ଚାକୁ ଆସିଥିବାବେଳେ ଏହା ବିରୋଧୀଙ୍କର ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି ।

Leave A Reply

Your email address will not be published.