Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : କ୍ଷୁଦ୍ରକାୟ ପୃଥିବୀ ଏବଂ ଦୀର୍ଘକାୟ ସମ୍ରାଟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୮

କ୍ଷୁଦ୍ରକାୟ ପୃଥିବୀ ଏବଂ ଦୀର୍ଘକାୟ ସମ୍ରାଟ

କ୍ଷମତାର ଶକ୍ତ ରାଜଦଣ୍ଡଟି ଧାରଣ କରିଥିବା କାରଣରୁ ସମ୍ରାଟ ଆମର ଚେତନାରେ ଚିରକାଳ ଦୀର୍ଘକାୟ।

ଏଇ କଥାକୁ କହିବାରର ଅର୍ଥ ନିଶ୍ଚୟ ଅତିକଥନ ।

ଦୀର୍ଘକାୟ ସମ୍ରାଟ ଡେଙ୍ଗୁରା ଦେଇ ନିଜର ରାଜ୍ୟରୁ କେବଳ ସଂଗ୍ରହ କରୁଥାଏ କ୍ଷୁଦ୍ରାକୃତି ବିଶିଷ୍ଟ ବାମନ ମାନଙ୍କୁ,ଠିକ୍ ସେଇଥିପାଇଁ।

ନିଜର ଉଚ୍ଚତା ସହିତ ଆତ୍ମମୁଗ୍ଧତାରେ ବସବାସ କରୁଥିବା ସମ୍ରାଟ ସେହି ସଂକ୍ଷିପ୍ତ ପୃଥିବୀକୁ ଅତି ଯତ୍ନରେ ନିଜ ସହିତ ଲାଳନପାଳନ କରୁଥାଏ। ପଞ୍ଜୁରୀର କବାଟ ଖୋଲି ପୋଷା ଚଢେଇକୁ ମଝିରେ ମଝିରେ ଦାନା ଦେବା ଭଳି ଉଦାରତାର ଆନନ୍ଦରେ ସେ ସବୁବେଳେ ନିଜର ସେଇ କ୍ଷୁଦ୍ରକାୟ ପୃଥିବୀକୁ ଆଉଁଷି ଦେବା ସହିତ ନିଜର ପ୍ରିୟ ଉଚ୍ଚତାର ସୁଖଟିକୁ ବି ଅନୁଭବ କରୁଥାଏ ।

ସମ୍ରାଟର ଏଇଭଳି ସୁଖ ବି ନିହାତି ଅତିକଥନ।

କ୍ଷମତାଶାସ୍ତ୍ରର ସମସ୍ତ ଅତିକଥନ ର ଏଇଭଳି ସେମିତି ଗୋଟିଏ ଉଦାହାରଣ ଚରିତ୍ର, ପିଟର ପ୍ରଥମ,ଋଷିଆର ଏଇ ସମ୍ରାଟ ଙ୍କୁ ପିଟର,ଦି ଗ୍ରେଟ୍ ବୋଲି ବି କୁହାଯାଇଥାଏ। ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ଅର୍ଥାତ୍ ୧୬୭୨ଖ୍ରୀଅରୁ ୧୭୨୫ ଖ୍ରୀଅ ହେଉଛି ତାଙ୍କର ଋଷିଆରେ ରାଜତ୍ୱର କାଳ। ଏଇ ସମୟ ମଧ୍ୟରେ ସେ ଋଷିଆର ଆଧୁନିକୀକରଣ ତଥା ଋଷିଆକୁ ଏକ ପ୍ରମୁଖ ଇଉରୋପୀୟ ଶକ୍ତି ହିସାବରେ ପ୍ରତିସ୍ଥାପନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରଥିଲେ। ସେଦୃଷ୍ଟିରୁ ତାଙ୍କୁ ପିଟର୍,ଦି ଗ୍ରେଟ୍ ବୋଲି କହିବା କୌଣସି ଦୃଷ୍ଟିରୁ ତ୍ରୁଟିପୂର୍ଣ୍ଣ ନୁହଁ।

ଅବଶ୍ୟ ନଥିବା ସମ୍ରାଟ୍ ର ତ୍ରୁଟି ସମସ୍ତଙ୍କୁ ସବୁବେଳେ ଜଳଜଳ କରି ଦେଖାଯାଏ । ସେଆଡକୁ ଯିବା ଏବେ ଭିନ୍ନ ପ୍ରସଂଗ ହୋଇପାରେ ।

ଏବେ ମୂଳ ଅତିକଥନକୁ ଫେରିବା, ଯେଉଁଠି ଜଣେ ସମ୍ରାଟ ଏକ ପ୍ରିୟତମ କ୍ଷୁଦ୍ର ପୃଥିବୀ ତାହାର ଏକ ନିରବଚ୍ଛିନ୍ନ ସମ୍ପର୍କ ସ୍ଥାପିତ କରି ଚାଲିଥାଏ ।

ନିଜର ସନ୍ତାନ ଆଲେକ୍ସି ଯେତେବେଳେ ଅବାଧ୍ୟ ହୋଇ ପିତାଠାରୁ ବିଚ୍ୟୁତ ହୋଇଗଲା ଆଉ ପରେ ସିଂହାସନ ପାଇଁ ଷଡଯନ୍ତ୍ରରେ ସାମିଲ ହେବା କାରଣରୁ ଧରାପଡି ନିଜର ସ୍ୱାଭାବିକ ମୃତ୍ୟୁ ସମୟ ଯଥାବିଧି ଉପଗତ ହେବା ପୂର୍ବରୁ ମରଣ ଲଭିଲା ,ଏଇ ସବୁ ପିତା ତଥା ସମ୍ରାଟ ଆକାରରେ ପିଟର ପ୍ରଥମଙ୍କ ସାମ୍ନାରେ ଗୋଟିଏ କ୍ଷୁଦ୍ର ପୃଥିବୀର ସାଧାରଣ କଥା। ତାହାବୋଲି ଛଅ ଫୁଟ୍ ସାତ ଇଂଚ ଉଚ୍ଚତା ବିଶିଷ୍ଟ ,ହଁ ଦୀର୍ଘକାୟ,ପିଟର୍ ,ଦି ଗ୍ରେଟ୍ ଙ୍କର ସମସ୍ତ କ୍ଷୁଦ୍ରଜଗତର ଆନନ୍ଦ ଯେ ନିରାନନ୍ଦ ପାଲଟିଯିବ ,ଏକଥା ନୁହଁ।

ପିଟର୍,ଦି ଗ୍ରେଟଙ୍କୁ ସବୁବେଳେ ଗୋଟିଏ ବିଶିଷ୍ଟ ପରିଚାରକ ମଣ୍ଡଳୀ ଘେରି ରହିଥାଆନ୍ତି। ଏହି ପରିଚାରକମାନଙ୍କୁ ସଂଗ୍ରହ କରାଯାଇଥିଲା ଆଉ ସେମାନେ ସମସ୍ତେ ହେଉଛନ୍ତି ଅସଲ ଉଚ୍ଚତାରେ ଭିନ୍ନକ୍ଷମ, ଅସଲରେ ଗୋଟିଏ ଗୋଟିଏ ବାମନ। ଏହି ବାମନ ମାନଙ୍କୁ ନେଇ ଥଟ୍ଟାମଜା କରିବାରେ ପିଟର ଙ୍କ ସବୁବେଳେ ଭାରି ଆଗ୍ରହ ରହିଥିଲା।ନିଜର ଚାରିପଟରେ କିଛି ବାମନ ପରିଚାରକ ରଖିବା ବ୍ୟତୀତ ରାଜ୍ୟରୁ ସଂଗ୍ରହ କରି ଅଣାଯାଇଥିବା ବାମନମାନଙ୍କୁ ନେଇ ସେ ଗୋଟିଏ କ୍ଷୁଦ୍ରକାୟ ପୃଥିବୀ ନିର୍ମାଣ କରିଥିଲେ। ସେଇଠି ବାମନମାନଙ୍କର ରହିବା ପାଇଁ ଘର ଓ ଅନ୍ୟସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯାଇଥିଲା ।ମାତ୍ର ସେଗୁଡିକ ସବୁ ଆକାରରେ ବାମନମାନଙ୍କର ଉପଯୋଗୀ ଉଚ୍ଚତା ବିଶିଷ୍ଟ ଥିଲା ଅର୍ଥାତ୍ ଆନୁପାତିକ ଭାବରେ ଛୋଟଛୋଟ ଘର ଆଉ ସମସ୍ତ ସୁବିଧା ସୁଯୋଗ ବି ସେଇ ଅନୁପାତର ଥିଲା।

ଈଶ୍ୱରଙ୍କ ଆଖିକୁ ଯଦି କେବେ ଦେଖାଯାଇପାରିବ ସେଥିରେ ନିଶ୍ଚିତ ଶ୍ଳୀଳ ଅଶ୍ଳୀଳ ଭଳି କୌଣସି ଦ୍ରଷ୍ଟାପଣ କେବେ ନଥିବ,ଯେହେତୁ ସେ ଯାହା ଦେଖିପାରୁଛନ୍ତି ତାହାର ଆଦି ଠାରୁ ଅନ୍ତ ଯାଏଁ ସବୁ ତାଙ୍କର ଭିଆଣ।

ବାମନମାନଙ୍କର ଏଇ ବିଶେଷ ପୃଥିବୀର ନିର୍ମାଣକର୍ତ୍ତା ଭାବରେ ପିଟର୍ ,ଦି ଗ୍ରେଟ୍ ନିଜକୁ ତେଣୁ ଈଶ୍ୱର ବୋଲି ମନେ କରୁଥିଲେ । ତାଙ୍କର ଇଚ୍ଛା ହେଲାତ ତାଙ୍କର ବାମନପୃଥ୍ୱୀରେ ସଭିଏ ନିଜର ଲୁଗାପଟା କାଢି ସଂପୂର୍ଣ୍ଣ ଉଲଗ୍ନ ଭାବରେ ଚଳପ୍ରଚଳ କରିବେ। ରାତିକୁ ଦିନ ଭଳି ପାଳିବେ ଆଉ ଦିନକୁ ରାତି। ଏଇ ତଥାକଥିତ ଈଶ୍ୱରଙ୍କର ଯଦି ଇଛା ହୁଏ ତେବେ ସେ ଏହି ବାମନମାନଙ୍କର ଯୌନକ୍ରୀୟାକୁ ବି ପ୍ରତ୍ୟକ୍ଷ କରିଥାନ୍ତି । ପିଟର୍ ସବୁବେଳେ ଗୁରୁତ୍ୱ ଦେଉଥିଲେ ଏଇ ବାମନ-ଜଗତର ଜନସଂଖ୍ୟା ଯେମିତି ବିଶେଷ ଭାବରେ ବୃଦ୍ଧି ପାଉ। ଏଇଠି ବାମନ ମାନଙ୍କର ଜନସଂଖ୍ୟା ସଂପର୍କୀତ ସମସ୍ତ ପରିସଂଖ୍ୟାନ କୁ ନିୟମିତ ପର୍ଯ୍ୟବେକ୍ଷଣ ପାଇଁ ଏକ ବିଶେଷ ଶ୍ରେଣୀର କର୍ମଚାରୀଙ୍କୁ ସେ ନିଯୁକ୍ତି ଦେଇଥିଲେ।

ନିଜର ତଥା ନିଜ ଆଖପାଖର ରାଜଜନଙ୍କର ଆନନ୍ଦପାଇଁ ସେ ଏହି ବାମନମାନଙ୍କୁ ମନୋରଞ୍ଜନର ଉପାଦାନ ଆକାରରେ ବ୍ୟବହାର କରୁଥିଲେ। ପିଟର୍ ଙ୍କ ସମୟରେ ଋଷିଆର ସମସ୍ତ ରାଜୋତ୍ସବରେ ବାମନମାନଙ୍କର ଉପସ୍ଥିତି ନିଶ୍ଚିତ ଥିଲା। ବିଭିନ୍ନ ବେଶ ଭୂଷାରେ ବାମନମାନେ ସଜ୍ଜିତ ହୋଇ ଅତିଥି ଅଭ୍ୟାଗତଙ୍କର ମନୋରଞ୍ଜନ କରୁଥିଲେ ।

ସେ ସମୟରେ ପିଟର୍ ଙ୍କ ଉତ୍ସବରେ ବାମନମାନଙ୍କ ଦ୍ୱାରା ନିମନ୍ତ୍ରିତ ଅତିଥି ମାନଙ୍କୁ ଯାହା ସବୁଠାରୁ ଅଧିକ ଆନନ୍ଦ ଦେଉଥିଲା ତାହା ଥିଲା,ବାମନ ମାନଙ୍କର ପରିସ୍ରା ପ୍ରତିଯୋଗିତା। ସେଇଠି ବାମନମାନେ ଉଲଗ୍ନ ହୋଇ ପ୍ରତିଯୋଗିତା କରୁଥିଲେ କାହାର ମୂତ କେତେ ଦୂରରେ ପଡୁଛି। ଯାହାର ମୂତ ଅଧିକ ଦୂରରେ ପଡୁଥିଲା ତାହାକୁ ସମ୍ରାଟ୍ ପିଟର ସ୍ୱୟଂ ପୁରସ୍କୃତ କରୁଥିଲେ ।

୧୭୧୦ ର ଅଗଷ୍ଟ ମାସ।ପିଟର୍ ନିର୍ଦ୍ଦେଶ ଦେଲେ ତାଙ୍କ ରାଜ୍ୟର ସବୁ ବାମନ ମାନେ ସୁନ୍ଦର ସୁନ୍ଦର ଭବ୍ୟ ରାଜପୋଷାକରେ ମଣ୍ଡିତ ହୋଇ ଏକ ବିବାହ ଉତ୍ସବରେ ଯୋଗ ଦେବେ। ସମ୍ରାଟଙ୍କ ତରଫରୁ ସେମାନଙ୍କୁ ସେଇଠି ସମସ୍ତ ରାଜକୀୟ ପୋଷାକ ଆଉ ଅଳଙ୍କରଣ ଯୋଗାଇ ଦିଆଯାଇଥିଲା। ସେମିତି ବେଶ ପୋଷାକରେ ସଂପୂର୍ଣ୍ଣ ରାଜକୀୟ ଆଚାର ଅନୁଷ୍ଠାନ ଉପଯୋଗୀ ହୋଇ ବାମନମାନେ ଯେଉଁ ବିବାହରେ ଯୋଗ ଦେଇଥିଲେ ତାହା ଥିଲା ପିଟର୍ ଙ୍କ ଭ୍ରାତୃଷ୍ପୁତ୍ରୀ ତଥା ତାଙ୍କ ପରେ ତାଙ୍କର ସିଂହାସନର ଉତ୍ତରାଧୀକାରିଣୀ ଆନା ଇଭାନୋଭନାଙ୍କ ବିବାହ। ଆନା ଇଭାନୋଭନା ଅକ୍ଟୋବର୍ ୧୭୧୦ ମସିହାରେ ,ନା କୌଣସି ବାମନକୁ ନୁହଁ,ବିବାହ କରିଥିଲେ ଡ୍ୟୁକ୍ ଅଫ୍ କୋଲାଣ୍ଡ ଫ୍ରେଡରିଖ୍ ଉଇଲିଅମ୍ ଙ୍କୁ।

ସେଦିନ ମଧ୍ୟ ସମାନ ସମୟରେ ସମାନ ସ୍ଥାନରେ ଆନା ଇଭାନୋଭନା ଏବଂ ଫ୍ରେଡରିଖ୍ ଉଇଲିଅମ୍ ଙ୍କ ବିବାହ ସହିତ ଆଉ ଗୋଟିଏ ବିବାହ ସଂଘଟିତ ହୋଇଥାଲା। ସେଇ ଦମ୍ପତ୍ତିଯୁଗଳ ହେଉଛନ୍ତି ,ଇଆକିମ୍ ଭଲକୋଭ ଏବଂ ତାଙ୍କର ବାମନ ପତ୍ନୀ। ଇଆକିମ୍ ଭଲକୋଭ୍ ହେଉଛି ପିଟର୍ ଙ୍କର ଖାସ୍ ପ୍ରିୟ ରାଜକୀୟ ବାମନ। ଏହି ବାମନର ପିଟର୍ ଙ୍କ ଉପରେ ପ୍ରଭାବର କାରଣରୁ ଅନେକ ଦୀର୍ଘକାୟ ଉଚ୍ଚବଂଶଜ ତାହା ପ୍ରତି ଅସହିଷ୍ଣୁ ଥିଲେ।

ଇଆକିମ୍ ଭଲକୋଭ୍ ର ପରେ ଘଟିଥିବା ଅପଘାତ ମୃତ୍ୟୁ କୁ ଆମେ ଦୀର୍ଘକାୟ ମୃତ୍ୟୁ ବୋଲି କହି ପାରିବା ନାହିଁ । ଏହା କ୍ଷୁଦ୍ରକାୟ।

ପିଟର୍ ଙ୍କ ପରେ ଆନା ଇଭାନୋଭନା ଋଷିଆର ରାଜଗାଦୀ ସମ୍ଭାଳି ଥିଲେ। ମାତ୍ର ଦଶବର୍ଷ ର ଥିଲା ସେହି ରାଜତ୍ୱ। ଆନା ଙ୍କର କେବଳ ବିଳାସ ବ୍ୟସନରେ ମତି ଥିଲା,ଶାସନ ପ୍ରତି ସେ ପରାଙମୁଖ ଥିଲେ। ଋଷିଆର ଶାସନକୁ ଆସିବା ପରେ ଆନା ଇଭାନୋଭନା ପିଟରଙ୍କର ବାମନମାନଙ୍କର ସେହି ପୃଥିବୀକୁ ଧ୍ୱଂସ କରିଦେଇଥିଲେ ।

କୁହାଯାଏ ପିଟର୍, ଦି ଗ୍ରେଟ୍ ଙ୍କର ଏମିତି ଅସ୍ୱାଭାବିକ ବାମନ ପ୍ରୀତିର ଆଢୁଆଳରେ ରହିଥିଲା ଅନ୍ୟସମସ୍ତ ପ୍ରତିପକ୍ଷ ପାଇଁ ଗୋଟିଏ ବିଶେଷ ସନ୍ଦେଶ ।

କ୍ଷୁଦ୍ରତାକୁ ସ୍ୱୀକାର କର।

ପିଟର୍,ଦି ଗ୍ରେଟ୍ ଙ୍କ ଭଳି ଯେତେକ ପୃଥିବୀ ଧ୍ୱସ୍ତ ହୋଇଯାଇଛି ଆଉ ତାହା ପରେ ତାହା ଭିତରୁ ବର୍ତ୍ତି ରହିଥିବା ଯେତେ ଯେତେ କ୍ଷୁଦ୍ରକାୟ ସେମାନେ ସମସ୍ତେ ପୃଥିବୀ ସାରା ବିଛାଡି ହୋଇ ପଡିଛନ୍ତି ଆଉ ସେମାନଙ୍କ ଭିତରୁ ଯେ ସର୍ବୋତ୍ତମ ଉଚ୍ଚତା ପ୍ରତିଷ୍ଠିତ ହୋଇଥାଏ ,ତାହା ହିଁ ଅନ୍ତିମ ଅତିକଥନ।

Leave A Reply

Your email address will not be published.