ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଓଡ଼ିଶାର ୪ଟି ଆସନ ପାଇଁ ମତଦାନ ହେବ। ଏଥିପାଇଁ ରାଜନୀତି ମହଲ ସରଗରମ ରହିଛି। ରାଜ୍ୟର ପ୍ରମୁଖ ୩ଟି ଦଳ (ବିଜେପି, ବିଜେଡି ଓ କଂଗ୍ରେସ) ନିଜନିଜ ଶିବିରରେ ବିଧାୟକମାନଙ୍କୁ ରଖିଛନ୍ତି। କଂଗ୍ରେସ ନିଜର ବିଧାୟକମାନଙ୍କୁ ବେଙ୍ଗାଲୁରୁର ଏକ ହୋଟେଲରେ ରଖିଥିବା ବେଳେ ବିଜେପି ବିଧାୟକମାନେ ପାରାଦୀପରେ ୨ଟି ରାତି ବିତାଇଛନ୍ତି। ତେବେ ବିଜେଡି ସୁପ୍ରିମୋଙ୍କ ଘରେ ଦଳୀୟ ବିଧାୟକମାନେ ରାତ୍ରୀଯାପନ କରିଛନ୍ତି। ବିଜେଡି ବିଧାୟକମାନେ ନବୀନ ନିବାସରେ ରାତ୍ରି ଯାପନ ବେଳେ ଖୋର୍ଦ୍ଧାଲୁଙ୍ଗି ଡ୍ରେସ କୋଡ୍ ସହିତ ଫଟୋ ଭାଇରାଲ ହୋଇଛି।
ଅନ୍ୟପଟେ ବିଜେଡି ଦଳରୁ ନିଲମ୍ବିତ କରିଥିବା ଦୁଇ ବିଧାୟକଙ୍କ ପାଇଁ ହ୍ବିପ୍ ଜାରି କରିଛି। ଚମ୍ପୁଆ ବିଧାୟକ ସନାତନ ମହାଖୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନୋଟିସ୍ କରିଛି ଦଳ। ବିଜେଡି ଚିହ୍ନରୁ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ନିର୍ବାଚନ ଜିତିଥିବାରୁ ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଦଳ ତରଫରୁ ଚିଠି କରାଯାଇଛି। ନଦେଲେ ଏହା ସମ୍ବିଧାନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।
ସୂଚନା ଅନୁସାରେ, ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ଗତ କିଛିଦିନ ତଳେ ସସ୍ପେଣ୍ଡ କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସସ୍ପେଣ୍ଡ କରିଥିଲେ।