Latest Odisha News

BREAKING NEWS

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ, PMAYରେ ୧୩.୯୫ ଲକ୍ଷ ହିତାଧିକାରୀଙ୍କୁ ସାମିଲ୍ ଦାବି

ନୂଆଦିଲ୍ଲୀ: ସୋମବାର ବିଜେଡି ସାଂସଦ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତିଙ୍କୁ ଭେଟିଛନ୍ତି । ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବାସଗୃହ ଲାଗି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆୱାସ୍ ଯୋଜନା କରିଛନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ଆର୍ଥିକ ଦୁର୍ବଳ ଘର ନଥିବା ଲୋକଙ୍କୁ ଏହି ଯୋଜନାରେ ସରକାର ଘର ଯୋଗାଇ ଦେଉଛନ୍ତି । ତେବେ, ବିଗତ କିଛି ବର୍ଷ ହେଲା ଏକାଧିକ ସମସ୍ୟା ଯୋଗୁଁ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ସାଂସଦ । ରାଜ୍ୟର ୧୩.୯୫ ଲକ୍ଷ ହିତାଧିକାରୀଙ୍କୁ ଯୋଜନାରେ ସାମିଲ୍ ନେଇ ଦାବିପତ୍ର ଦେଇଛନ୍ତି ।

ରାଜ୍ୟ ସରକାର ୧୩.୯୫ ଲକ୍ଷ ପରିବାରକୁ ପିଏମଏୱାଇରେ ସାମିଲ୍ ପାଇଁ ଚିହ୍ନଟ କରିଥିଲେ । ତେବେ ୨୦୧୧ ସାମାଜିକ ଆର୍ଥିକ ଏବଂ ଜାତିଗଣନା ଅନୁସାରେ ଚୂଡ଼ାନ୍ତ ତାଲିକାରୁ ଏମାନଙ୍କୁ ବାଦ୍ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅନୁସାରେ, ଚିହ୍ନଟ ହିତାଧିକାରୀଙ୍କ ତଥ୍ୟ ମନ୍ତ୍ରଣାଳୟର ଆୱାସ ପ୍ଲସ୍ ଆପରେ ଆଧାର ଏବଂ ଶ୍ରମ କାର୍ଡ ସହ ଘରର ଜିଓ ଟ୍ୟାଗିଂ ହେବା କଥା ।

୨୦୧୯ ମାର୍ଚ୍ଚ ୭ ତାରିଖ ସୁଦ୍ଧା ଆୱାସ୍ ପ୍ଲସ୍ ଆପରେ ଚିହ୍ନଟ ପ୍ରକ୍ରିୟା ସାରିବାକୁ ବିଭାଗ ତାରିଖ ସ୍ଥିର କରିଥିଲା । ସାଧାରଣ ନିର୍ବାଚନରେ ବ୍ଲକ କାର୍ଯ୍ୟାଳୟ କର୍ମଚାରୀଙ୍କ ଆବଶ୍ୟକତା ଥିବାରୁ ନିର୍ଦ୍ଧାରିତ ସମୟରେ ରାଜ୍ୟ ଏହା ସାରିପାରି ନଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟର ମାତ୍ର ୩୫ ଜଣ ହିତାଧିକାରୀଙ୍କୁ ଆୱାସ୍ ପ୍ଲସ୍ ଆପରେ ଚିହ୍ନଟ କରାଯାଇଛି ।

୧୪ ଜିଲ୍ଲାର ଫନି ବାତ୍ୟା କ୍ଷତିଗ୍ରସ୍ତଙ୍କ ଲାଗି ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମନ୍ତ୍ରଣାଳୟ ୧ ମାସ ପାଇଁ ଆୱାସ୍ ପ୍ଲସ୍ ଆପକୁ ଖୋଲିଥିଲା । ରାଜ୍ୟ ୭.୮୭ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରିଛି । ଏଥିରେ ଫନି କ୍ଷତିଗ୍ରସ୍ତ ଜିଲ୍ଲା ସହ ଫନିରେ କ୍ଷତିଗ୍ରସ୍ତ ହୋଇନଥିବା ଜିଲ୍ଲାର ୩୫ ହଜାର ହିତାଧିକାରୀ ଥିଲେ । ସମସ୍ତ ପ୍ରକ୍ରିୟା ଅନୁସାରେ ୮.୨୨ ଲକ୍ଷ ହିତାଧିକାରୀ ପରିବାରକୁ ସରକାର ଚିହ୍ନଟ କରିଛନ୍ତି ।

ତେବେ କେନ୍ଦ୍ର ଗ୍ୟମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଚୂଡ଼ାନ୍ତ ପିଏମଏୱାଇ ତାଲିକାରେ ହିତାଧିକାରୀଙ୍କୁ ସାମିଲ୍ କରିନାହିଁ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ସିକ୍କିମ, ଲଦାଖ, ଦାଦ୍ରା ଓ ନଗର ହାବେଳିକୁ ମନ୍ତ୍ରଣାଳୟ ଆୱାସ୍ ପ୍ଲସ୍ ଅନୁସାରେ ଘର ଲାଗି ଅନୁମତି ଦେଇଛି । ଅଥଚ ଫନି କ୍ଷତିଗ୍ରସ୍ତ ଓଡ଼ିଶାର ପରିବାରକୁ ସାମିଲ୍ କରାଯାଇନାହିଁ ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଏକାଧିକ ବାର ଅନୁରୋଧ ପରେ ବି ଆୱାସ ପ୍ଲସ୍ ଆପର ୱିଣ୍ଡୋ ଖୋଲାଯାଉନାହିଁ । ମନ୍ତ୍ରଣାଳୟ ଶୀଘ୍ର ବାଦ୍ ପଡ଼ିଥିବା ୧୩.୯୫ ଲକ୍ଷ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍ କରିବା ସହ ଆୱାସ୍ ପ୍ଲସ୍ ଆପର ୱିଣ୍ଡୋ ଖୋଲିବାକୁ ବିଜେଡି ସାଂସଦ ଦାବି କରିଛନ୍ତି ।

Leave A Reply

Your email address will not be published.