ଭୁବନେଶ୍ୱର: ବରିଷ୍ଠ ବିଜେଡି ସାଂସଦ ପିନାକୀ ମିଶ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ପ୍ରତି ଅବଦାନରେ ଅସହିଷ୍ଣୁ ହୋଇ ଯାଇଛନ୍ତି । ତେଣୁ ସେ ଲୋକସଭାରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି ବୋଲି ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ।
ସେ କହିଛନ୍ତି, ଗତକାଲି ପୁରୀର ବିଜେଡି ସାଂସଦ ପିନାକୀ ବାବୁ ଲୋକସଭାରେ ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହା ଆଉ କାହା ଲେଖାକୁ ପଢିଲା ଭଳି ମନେ ହେଉଛି । ସେ ଜଣେ ଭଲ ଓକିଲ ବୋଲି ପୂର୍ବରୁ ଆମର ଧାରଣା ଥିଲା, ମାତ୍ର ଗତକାଲିର ତାଙ୍କ ବକ୍ତବ୍ୟ ପରେ ସେହି ଧାରଣା ଆଜି ଦୂର ହୋଇଛି । ସେ ନିଜର ମନର କଥା ନ କହି ଆଉ କାହା ଲେଖାକୁ ପଢୁଛନ୍ତି,ଯେଉଁ ତଥ୍ୟ ସମ୍ପୂର୍ଣ୍ଣ ଅସତ୍ୟ ଓ ନିରାଧାର । ତାଙ୍କ କଥାରେ କେତେ ସତ୍ୟତା ରହିଛି, ଏ ନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ଟ୍ୱିଟ୍ ମଧ୍ୟ କରିଛନ୍ତି ।
ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ମାନ୍ୟବର ସାଂସଦ ପିନାକୀ ମିଶ୍ରଙ୍କୁ ମନେ ପକାଇଦେବାକୁ ଚାହୁଁଛି ଯେ, ୨୦୧୪ ପର ଠାରୁ ରାଷ୍ଟ୍ରାୟତ ଉଦ୍ୟୋଗ ଅଏଲ ମାର୍କେଟିଂ କମ୍ପାନୀ (ଓଏମସି) ଏପ୍ରିଲ ୧୪ରୁ ଡିସେମ୍ବର ୨୨ ମଧ୍ୟରେ ୧୯ କୋଟିରୁ ଉର୍ଦ୍ଧ୍ୱ ଏଲପିଜି ସଂଯୋଗ ପ୍ରଦାନ କରିଛନ୍ତି । ଗତ ୮ ବର୍ଷ ମଧ୍ୟରେ ବର୍ଷକୁ ୩୬୫ ଦିନ ହିସାବରେ ନେଇ ହାରାହାରି ଭାବରେ ଦେଖିଲେ ହାରାହାରି ଦୈନିକ କନେକ୍ସନ ସଂଖ୍ୟା ପ୍ରତି ଦିନ ୬୦,୦୦୦ କନେକ୍ସନରୁ ଅଧିକ । ନିୟନ୍ତ୍ରିତ କରିବା ସହ ଅଭାବୀ ବିକ୍ରି କରି ରାଜନୀତି କରୁଥିବା ଦଳ ଗୁଡିକ ୨୦୧୩-୧୪ରେ ଏଲପିଜିକୁ ବିଳାସପୂର୍ଣ୍ଣ ସାମଗ୍ରୀ ଭାବରେ ରଖିଥିଲେ ।
ଉଜ୍ଜ୍ୱଳା ସିଲିଣ୍ଡର ରିଫିଲ ହେବା ଦିଗରେ ମାନ୍ୟବର ସାଂସଦ ଜାଣିରଖିବା ଆବଶ୍ୟକ ଯେ ମୋଦି ସରକାର କୋଭିଡ୍ ସମୟରେ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ୩ଟି ଉଜ୍ଜ୍ୱଳା ସିଲିଣ୍ଡର ରିଫିଲ କରାଇଥିଲେ । ତଥ୍ୟ ଅନୁସାରେ କେବଳ ୧୦ ପ୍ରତିଶତ ହିତାଧିକାରୀ କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ରିଫିଲ କରିନାହାନ୍ତି, ଏହାର ଅର୍ଥ ୯୦ ପ୍ରତିଶତ ବାସ୍ତବରେ ଅତି କମରେ ୧ଟି ରିଫିଲ କରିଛନ୍ତି, ଏହା ଉଜ୍ଜ୍ୱଳାର ବିଫଳତା ନୁହେଁ ବରଂ ଏକ ଅଭୂତପୂର୍ବ ସଫଳତାକୁ ପ୍ରମାଣିତ କରୁଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପିନାକୀ ମିଶ୍ର ଦେଇଥିବା ମନ୍ତବ୍ୟ ଗପ ସଦୃଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ଓ ଭାରତବର୍ଷରେ ପେଟ୍ରୋଲିୟମ ସମେତ ଦକ୍ଷତା ବିକାଶ ଓ ଅନ୍ୟାନ୍ୟ କ୍ଷେତ୍ରରେ ଯେତେ କାମ ହୋଇଛି ଏବଂ କୋଭିଡ ସମୟରେ ତାଙ୍କର ସକ୍ରିୟ ଭୂମିକାକୁ ଗଣନା ଓ ତୁଳନା କରିବା ଅସମ୍ଭବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟରେ ଅସହିଷ୍ଣୁ ହୋଇ ସେ ଏଭଳି ମନ୍ତବ୍ୟ ରଖିଛନ୍ତି । ସେ କେଉଁ ଗାଁ ବୁଲି ତଦାରଖ କରିଥିବେ କି ନାହିଁ ତାହା ସନ୍ଦେହ ହେଉଛି । ଶ୍ରୀ ପ୍ରଧାନ ଓଡ଼ିଶା ପାଇଁ କଣ କରିଛନ୍ତି, ଓଡ଼ିଶାବାସୀ ସବୁ ଜାଣିଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଭାରତ ସରକାରଙ୍କ ଏକ କଲ୍ୟାଣକାରୀ ଯୋଜନା ମଧ୍ୟରୁ ଅନ୍ୟତମ । ଯେଉଁ ଯୋଜନା ଦେଶର ୯.୬ କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀ ଏବଂ ସେମାନଙ୍କ ପରିବାରର ଜୀବନଶୈଳୀ ପରିବର୍ତନ କରିଛି ସେହି ଯୋଜନାକୁ ନେଇ ସାଂସଦ ପିନାକୀ ମିଶ୍ର ଭୁଲ ତଥ୍ୟ ପ୍ରଦାନ କରିବା ବନ୍ଦ କରନ୍ତୁ । ୨୦୧୪ ମସିହାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ବିଭାଗରେ ଦାୟିତ୍ୱ ନେବା ପୂର୍ବରୁ ଓଡ଼ିଶାରେ ଏଲପିଜି ବ୍ୟବହାର ସଂଖ୍ୟା ଥିଲା ୨୨ ଲକ୍ଷ, ମାତ୍ର ତାହା ବଢି ୯୬ ଲକ୍ଷରୁ ଉର୍ଦ୍ଧ୍ୱରେ ପହଁଚିସାରିଛି । ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ ୭୪ ଲକ୍ଷରୁ ଉର୍ଦ୍ଧ୍ୱ ଗ୍ୟାସ କନେକ୍ସନ କରାଯାଇଛି ।
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୫୩ ଲକ୍ଷ ୨୫ ହଜାର ଗ୍ୟାସ ସଂଯୋଗୀକରଣ ହୋଇଛି । ୨୦୧୪ରେ ରାଜ୍ୟରେ କେବଳ ୩୮୭ ଏଲପିଜି ଡିଷ୍ଟ୍ରିବୁଟର ଥିଲେ, ଯାହା ୨୦୨୩ରେ ବଢି ୯୫୭ରେ ପହଞ୍ଚିଛି । ପୂର୍ବରୁ ଦେଖିବାକୁ ଗଲେ ସମଗ୍ର ଭାରତ ବର୍ଷରେ ଚୁଲିର ବିଷାକ୍ତ ଧୂଆଁ କାରଣରୁ ପ୍ରତିବର୍ଷ ୫ ଲକ୍ଷ ମହିଳାଙ୍କ ମୃତ୍ୟୁ ଘଟୁଥିଲା । ମାତ୍ର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର କ୍ରିୟାନ୍ୱୟନ ପରେ ଏହି ସମସ୍ୟା ଦୂର ହୋଇଛି ।
କେନ୍ଦ୍ରମନ୍ତ୍ରୀଙ୍କ ଏହି ସଫଳ ଯୋଜନା ପାଇଁ ତାଙ୍କୁ ଉଜ୍ଜ୍ୱଳା ମ୍ୟାନ ଭାବରେ ଅଭିହିତ କରାଯାଇଛି । ଅପରପକ୍ଷରେ ଓଡ଼ିଶା ସରକାର ମହିଳା ଓ ଶିଶୁ ସୁରକ୍ଷା ଏବଂ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟସେବାର ଦାୟିତ୍ୱ କଥା ନ କହିଲେ ଭଲ । ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳାଙ୍କ ପ୍ରତି ଅଶାଳୀନ ବ୍ୟବହାରରେ ଓଡ଼ିଶା ଆଗରେ ରହିଛି । ପ୍ରତିଦିନ ନାବାଳିକା ଦୁଷ୍କର୍ମ, ଅସଦାଚରଣ, ହତ୍ୟା ଭଳି ଘଟଣା ବଢୁଛି । ମମିତା ମେହେର, ପରୀ, ବେବିନା, କୁନ୍ଦୁଲି, ଇତିଶ୍ରୀଙ୍କ ପରିବାର ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, କୋଭିଡ୍ ସମୟରେ ଜନଧନ ଯୋଜନା, ତ୍ରିପଲ ତଲାକ, ଉଜ୍ଜ୍ୱଳା, ବେଟି ବଚାଓ ବେଟି ବଢାଓ ମହିଳା ସଶକ୍ତିକରଣର ଉଦାହରଣ । ପୋଷଣ ଅଭିଯାନ, ସୁକନ୍ୟା ସମୃଦ୍ଧି ଯୋଜନାରେ ଓଡ଼ିଶା ମଧ୍ୟ ଲାଭ ପାଇଛି । କେନ୍ଦ୍ର କ୍ୟାବିନେଟରେ ୧୧ ଜଣମହିଳାଙ୍କୁ ଅଗ୍ରାଧିକାର ଭଳି ସଶକ୍ତ ମହିଳା ନେତୃତ୍ୱ ଅତୀତରେ ଭାରତୀୟ ରାଜନୀତିରେ ଦେଖିବାକୁ ମିଳିନଥିଲା । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନରେ ଓଡ଼ିଶା ପଂଚମ ବୃହତ ଲାଭାର୍ଥୀ ରାଜ୍ୟ । ୮ଟି ପଛୁଆ ଜିଲ୍ଲା କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଢେଙ୍କାନାଳ, ରାୟଗଡା, ବଲାଙ୍ଗୀର, ମାଲକାନଗିରି ଏବଂ ଗଜପତିରେ ମହିଳା ଶକ୍ତି କେନ୍ଦ୍ର ସ୍ଥାପନ କରାଯାଇଛିବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ଓଡ଼ିଶାରେ ମନରେଗାରେ ଭାରତ ସରକାର ବଜେଟରେ ପଇସା କମାଇ ଦେବା ନେଇ ଭ୍ରାନ୍ତ ଧାରଣା ତିଆରି କରାଯାଉଛି । ମୋଦି ସରକାରରେ ବିପୁଳ ଅର୍ଥ ୯ ବର୍ଷରେ ମନରେଗା ଯୋଜନାରେ ୬.୫ ଲକ୍ଷ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଏହି ଯୋଜନାରେ ୫.୭୭ କୋଟି ପରିବାର ଲାଭବାନ ହୋଇଛନ୍ତି । ଓଡ଼ିଶାର ୪.୫ କୋଟି ନାଗରିକମାନଙ୍କ ମଧ୍ୟରୁ ୩ କୋଟି ୨୫ ଲକ୍ଷ ନାଗରିକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଉଛନ୍ତି । ଗରିବ ଲୋକଙ୍କ ପାଇଁ ମୋଦି ସରକାର ସବୁବେଳେ କାର୍ଯ୍ୟ କରିଚାଲିଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହ ମୁଖ୍ୟ ସୁଜିତ୍ କୁମାର୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.