Latest Odisha News

BREAKING NEWS

କର୍ମୀଙ୍କୁ ଚାପୁଡ଼ା ମାରି ଦୁଃଖପ୍ରକାଶ କଲେ ସାଂସଦ

ବ୍ରହ୍ମପୁର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଗୁରୁବାର ଦିନ ଗଜପତି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁଙ୍କୁ ଚାପୁଡ଼ା ମାରିବା ପରେ ବିଜେଡ଼ି ସାଂସଦ ଚନ୍ଦ୍ରଶେଖର ସାହୁ ଦୁଃଖ ପ୍ରକାଶ କରିଛନ୍ତି ।

BjdElectrycity

“ଏହି ଘଟଣାରେ ମୁଁ ଗଭୀର ଦୁଃଖ ପ୍ରକାଶ କରୁଛି । ଗତ ୨୫ ବର୍ଷ ଧରି ମୁଁ ସଂଗ୍ରାମଙ୍କୁ ଭଲ ଭାବେ ଜାଣିଛି । ସେତେବେଳେ ମୁଁ କଂଗ୍ରେସ ଦଳରେ ରହିଥିଲି । ସେ ଗତକାଲି କଂଗ୍ରେସ ପରିତ୍ୟାଗ କରି ବିଜେଡ଼ିରେ ଯୋଗଦାନ କରିଛନ୍ତି । ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହେଉଥିବା ଦଳର କାର୍ଯ୍ୟକାରୀ ସଭାରେ ଗଜପତି ଜିଲ୍ଲା ବିଜେଡ଼ି ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ । ଏପରିକି ତାଙ୍କୁ ମଧ୍ୟ ସମ୍ମାନସୂଚକ ଏକ ଉତ୍ତରୀୟ ପ୍ରଦାନ କରିଥିଲେ । ସେହି ଉତ୍ତରୀୟଟିକୁ ସେ ନପିନ୍ଧି ମୁଁ ତାହାକୁ ପିନ୍ଧିବାକୁ ମୋ ଆଡ଼କୁ ବଢାଇ ଦେଉଥିଲେ । ମୁଁ ଏଥିରେ କ୍ଷୁବ୍ଧ ହୋଇପଡ଼ିଥିଲି ଅବଶ୍ୟ ତାଙ୍କ ବେକରେ ତାହା ଆଘାତ ଦେଇଥିଲା । ସେ ଏହିପରି ବିଶୃଙ୍ଖଳ ଆଚରଣ ନକରିବାକୁ ମୁଁ ତାଙ୍କୁ ପରାମର୍ଶ ଦେଇଥିଲି । ତାଙ୍କୁ ଜଣେ ଜିଲ୍ଲା ପ୍ରଭାରୀ ତଥା ବରିଷ୍ଠ ନେତା ସମ୍ମାନ ପ୍ରଦର୍ଶନ କରୁଥିବା ବେଳେ ସେ ତାଙ୍କୁ ଅବଜ୍ଞା ପ୍ରଦର୍ଶନ କରିଥିଲେ । ମୁଁ ଭୁଲ୍ କରିଥାଇପାରେ, ମାତ୍ର ମୁଁ ସେହି ସମୟରେ ଉତ୍ତେଜିତ ହେବା ଉଚିତ ନଥିଲା । ଏପରି ପ୍ରତିକ୍ରିୟା ବଦଳରେ ତାଙ୍କୁ ମୁଁ ପରାମର୍ଶ ଦେଇଥିଲେ ଭଲ ହୋଇଥାଆନ୍ତା । ମୁଁ ମୋର ୪୫ ବର୍ଷର ରାଜନୈତିକ ଜୀବନରେ ଏପରି କେବେ ବି କରିନଥିଲି ଯାହାକି ଏହା ଘଟିଛି,” ଶ୍ରୀ ସାହୁ ଗଣମାଧ୍ୟମକୁ ଏହା କହି ଦୁଃଖ ପ୍ରକାଶ କରିଛନ୍ତି ।

ଏନେଇ ଭାଇରାଲ୍ ହୋଇଥିବା ଭିଡ଼ିଓ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସାହୁ କହିଛନ୍ତି ଯେ, ଏହା ଦଳର ଏକ ଆଭ୍ୟନ୍ତରୀଣ ମାମଲା, ମିଡ଼ିଆ ଏହାକୁ ଅତିରଞ୍ଜିତ କରି ପ୍ରକାଶ କରିବା ଉଚିତ ନୁହେଁ ।

ଅନ୍ୟପକ୍ଷରେ ସଂଗ୍ରାମ ସାହୁ କହିଛନ୍ତି ଯେ, ସାଂସଦ ଶ୍ରୀ ସାହୁ ମୋତେ ଚାପୁଡ଼ା ମାରି ନାହାନ୍ତି । ସେ ମୋର ବଡ଼ ଭାଇ ପରି ମୋ ଗାଲକୁ ଛୁଇଁ ଦେଇଛନ୍ତି ।

“ଜିଲ୍ଲା ଯୁବ କଂଗ୍ରେସ ସଭାପତି ପଦବୀରୁ ଆନୁଷ୍ଠାନିକ ଭାବେ ମୁଁ ଇସ୍ତଫା ପ୍ରଦାନ କରିବା ପରେ ବିଜେଡ଼ିରେ ଯୋଗ ଦେଇଥିଲି । ସେହି ସଭାରେ ବିଜେଡ଼ି ଦଳୀୟ ପର୍ଯ୍ୟବେକ୍ଷକ ସେଠାରେ ଉପସ୍ଥିତ ରହିଥିବା କଥା ମୁଁ ଆଦୌ ଜାଣିନଥିଲି । ଯେତେବେଳେ ସେ ମୋତେ ଏକ ଉତ୍ତରୀୟ ଦେଇଥିଲେ ମୁଁ ସାଂସଦଙ୍କୁ ତାହା ପିନ୍ଧିବାକୁ ବଢାଇ ଦେଇଥିଲି । ମୁଁ ତାଙ୍କୁ ବିଗତ ଅନେକ ବର୍ଷ ଧରି ଜାଣିଛି । ତାଙ୍କରି ଆଶୀର୍ବାଦରୁ ହିଁ ମୁଁ ବିଜେଡ଼ିରେ ଯୋଗଦାନ କରିଛି”, ବୋଲି ସଂଗ୍ରାମ ସାହୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.