ପୁରୀ: ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ଦାବିରେ ପୁରୀ ଜିଲ୍ଲା ବିଜେଡ଼ି ପକ୍ଷରୁ ଆଜି ୬ ଘଣ୍ଟିଆ ପୁରୀ ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ବିଜେଡି ନେତା କର୍ମୀ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଫଳରେ ଦୋକାନ ବଜାର ବନ୍ଦ ରହିଛି। ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ପୁରୀ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ବିଜେଡିର ହରତାଳ ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପୁରୀ ଜିଲ୍ଲା ବିଜେଡି ସଭାପତି ଉମା ସାମନ୍ତରାୟ ଓ ଦିଲୀପ ନାୟକ।
ବିଜେଡି ନେତା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି ଟାର୍ଗେଟ୍ କରିଛନ୍ତି। କହିଛନ୍ତି, ପୀଡ଼ିତାର ବୟାନ ଚାରି ଚାରି ଥର କାହିଁକି ରେକର୍ଡ କରାଯାଇଥିଲା? ପୀଡ଼ିତା ବଞ୍ଚିଥିଲା ବେଳେ କାହିଁକି ପ୍ରକାଶ କଲେ ନାହିଁ? ପୀଡ଼ିତା ମଲା ପରେ ପ୍ରକାଶ କରାଯାଉଛି, ପୀଡ଼ିତା ସୁଇସାଇଡ୍ କରିଛି। ପୀଡ଼ିତାର ମା କାହିଁକି ଥାନାରେ ଏତଲା ଦେଇଥିଲେ। ପୀଡ଼ିତା କାହିଁକି କହିଥିଲା ମୋତେ ଜବରଦସ୍ତ ପୋଡ଼ି ଦିଆଗଲା ବୋଲି।
ବଳଙ୍ଗା ପୀଡ଼ିତାଙ୍କ ବାପାଙ୍କ ଉପରେ ଚାପ ପକାଇ ମତ ବଦଳାଯାଉଛି। ବାଲେଶ୍ବରରେ ଯେପରି ଅର୍ଥ ଦେଇ ମତ ବଦଳାଗଲା ଏଠି ବି ସେପରି ହେଉଛି ବୋଲି କହିଛନ୍ତି ବିଜେଡି ନେତା। ୨୦ ଲକ୍ଷ ଲେଖାଏଁ ଲାଞ୍ଚ ଦେଇ ମୁହଁ ବନ୍ଦ କରାଯାଇଛି କହିଲେ ଦିଲୀପ ନାୟକ। ଅନ୍ୟପଟେ ବିଜେଡିର ଏପରି ଅଭିଯୋଗ ନେଇ ପୀଡ଼ିତା ବାପାଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା ସମୟରେ କିଭଳି ମୃତ୍ୟୁ ହେଲା ଏବଂ ମୃତ୍ୟୁର କାରଣ ଏବେ ସମ୍ପୂର୍ଣ୍ଣ ରହସ୍ୟ ଘେରରେ ରହିଛି। ପୋଲିସର ତଦନ୍ତ ଉପରେ ମଧ୍ୟ ବିଜେଡ଼ି ପ୍ରଶ୍ନ ଉଠାଇଛି। ଯଥାଶୀଘ୍ର ଘଟଣାର ସତ୍ୟାସତ୍ୟ ସରକାର ଉନ୍ମୋଚନ କରନ୍ତୁ ବୋଲି ବିଜେଡି ଦାବି କରିଛି। ଏଥିସହ ରାଜ୍ୟ ସରକାର ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ବିଜେଡ଼ି ଅଭିଯୋଗ କରିଛି। ସେହିପରି ପୀଡ଼ିତାଙ୍କ ପରିବାର ଉପରେ କଣ ଚାପ ପଡିଲା ଯାହାଫଳରେ ପୀଡ଼ିତାଙ୍କ ବାପା ନିଜର ମତ ପରିବର୍ତ୍ତନ କରାଇଛନ୍ତି। ତୁରନ୍ତ ଏହାର ସତ୍ୟାସତ୍ୟ ସାମ୍ନାକୁ ନଆସିଲେ ବିଜେଡ଼ିର ଆନ୍ଦୋଳନ ଜାରି ରହିବ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।
ସେପଟେ ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ତେବେ ବିଜେଡିର ହରତାଳ ଆରମ୍ଭ ହୋଇଥିବାବେଳେ ପୁରୀ ସହରରେ ଜୀବନ ଯାତ୍ରା ସ୍ବାଭାବିକ ରହିଛି। ପୁରୀ ବିଧାୟକ ସୁନିଲ ମହାନ୍ତି କହିଛନ୍ତି, ‘କେବଳ ଲୋକଙ୍କ ଭିତରେ ନାରୀ ସୁରକ୍ଷା ନେଇ ବିଜେପି ସରକାର ବିରୋଧରେ ପ୍ରତିବାଦ ଜାରି ରଖିବା ଉଦ୍ଦେଶ୍ୟରେ ଏହି ହରତାଳ କରାଯାଉଛି।’
Comments are closed.