ଭୁବନେଶ୍ୱର: ନୂଆ ସରକାର ତତ୍କାଳୀନ ସରକାରର ଯୋଜନା ଗୁଡିକୁ ବନ୍ଦ କରିନାହାନ୍ତି। କିନ୍ତୁ କିଛି ଯୋଜନାର ନାମ ଏବଂ ରଙ୍ଗ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଏହାକୁ ବିରୋଧ କରିଛି ପୂର୍ବତନ ଶାସକ ଦଳ ତଥା ଏବେର ବିରୋଧୀ ଦଳ ବିଜୁ ଜନତା ଦଳ। ମୋହନ ସରକାରର ଏ ନିଷ୍ପତ୍ତିକୁ ବିରୋଧ କରି ଆଗାମୀ ଦିନରେ ରାଜରାସ୍ତାକୁ ବିଜେଡି ଓହ୍ଲାଇବ ବୋଲି ଦଳର ନେତ୍ରୀ ଆଜି କହିଛନ୍ତି।
ପୂର୍ବ ସରକାର କ୍ଷମତାରୁ ଯିବାର ପାଖାପାଖି ୬-୭ ମାସ ପୂର୍ବରୁ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଥିଲେ। ଗାଁ ଲୋକେ ସହରକୁ କମ୍ ପଇସାରେ କିଭଳି ଆସିବେ ଏହି ଯୋଜନାର ଲକ୍ଷ୍ୟ ରହିଛି। ଏବେର ସରକାର ଏହି ଯୋଜନାକୁ ବନ୍ଦ କରିନାହାନ୍ତି କିନ୍ତୁ ଲକ୍ଷ୍ନୀ ବସକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଏବଂ ସବୁଜ ରଙ୍ଗକୁ ଗେରୁଆ କରିଥିବା ଦେଖିବାକୁ ମିିଳିଛି। ଯାହାକୁ ବିରୋଧ କରିଛି ଏବେର ବିରୋଧୀ ବିଜେଡି।
ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ଲକ୍ଷ୍ମୀ ବସ ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନ କରିବାରୁ ପ୍ରମାଣିତ ହେଉଛି କିଛି ନୂଆ ଯୋଜନା କି ସେବା କରୁ ନାହାନ୍ତି ନୂଆ ସରକାର। ବିଜେଡି ଯୋଜନାରେ ରଙ୍ଗ ଲଗାଇ ଲଗାଇଲେ କେହି ସଫଳ ହେବେନି। କିଛି ନୂଆ କରି ଲୋକଙ୍କ ଆଶା ଭରସା ପୂରଣ କରନ୍ତୁ। କେଉଁ ଆଧାରରେ ନାଁ ଓ ରଙ୍ଗ ଓ ଫୋଟୋ ବଦଳା ଗଲା ତାର ଜବାବ ଦିଅନ୍ତୁ ବିଜେପି ସରକାର ବୋଲି ବିଜେଡି ଦାବି କରିଛି।
ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଯୋଜନାର ରଙ୍ଗ ଓ ନାଁ ପରିବର୍ତନ କଲେ, ବିଜେଡି ବିରୋଧ କରିବ ଓ ରାଜରାସ୍ତାକୁ ଓହ୍ଲାଇବ। ରାଜ୍ୟବାସୀଙ୍କୁ ନୂଆ ଯୋଜନା ଓ ସେବା ଦେବେ କହିଥିଲେ, ହେଲେ କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ତତ୍କାଳୀନ ସରକାରରେ କାନ୍ଥ ବାଡଠୁ ଆରମ୍ଭ କରି ସ୍କୁଲ, ପୋଲ, ବ୍ରିଜ ଏବଂ ସରକାରୀ ଯୋଜାନର ରଙ୍ଗ ସବୁଜ ହୋଇଥିଲା। ଯାହାକି ବିଜୁ ଜନତା ଦଳର ଦଳୀୟ ଚିହ୍ନର ରଙ୍ଗ। ସେତେବେଳେ ବିଜେପି ଏହାକୁ ବିରୋଧ କରିଥିଲା। ଏବେ ସରକାର ବଦଳିବା ପରେ ବିଜେପି ମଧ୍ୟ ଗେରୁଆ ରଙ୍ଗ ଆଡକୁ ସରକାରୀ ଯୋଜନାର ରଙ୍ଗ ବଦଳାଇବାକୁ ଯୋଜନା କରୁଥିବା ସୂଚନା ରହିଛି। ନିକଟରେ ଢେଙ୍କାନାଳ ବସଷ୍ଟାଣ଼୍ଡରେ ଥିବା ଲକ୍ଷ୍ମୀ ବସର ରଙ୍ଗ ଗେରୁଆ ହେବା ପରେ ଏହିପରି ଏକ ବାର୍ତ୍ତା ସାମ୍ନାକୁ ଆସିଛି।
ସେହିପରି ଗତକାଲି ସଚିବଙ୍କ ସହ ବୈଠକ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ତାଙ୍କ ସରକାର ଲୋକଙ୍କ ଆଶା ପୂରଣ କରିବ। ଯେଉଁ ପ୍ରତିଶ୍ରୁତି ଦେଇ ଦଳ କ୍ଷମତାକୁ ଆସିଛି ସେହି ପ୍ରତିଶ୍ରୁତି ପାଳନ କରିବ। ଏଥିସହ ବିରୋଧୀଙ୍କ ଦାବିକୁ ମଧ୍ୟ ଗୁରୁତର ସହ ସରକାର ଗ୍ରହଣ କରିବେ ବୋଲି କହିଥିଲେ।
Comments are closed.