Latest Odisha News

ବସୁଛି ବୈଠକ, ଚାଲିଛି ତର୍ଜମା: ଟ୍ରାକକୁ ଫେରିବା ପାଇଁ ଚାଲିଛି ବିଜେଡିର ପ୍ରାଣପ୍ରଣେ ଉଦ୍ୟମ

ବରଗଡ: ନିର୍ବାଚନ ହାରିବା ପରେ ଏବେ ଘନଘନ ବସୁଛି ବିଜେଡି ଦଳ ବୈଠକ । କାହିଁକି ହାରିଲା ଦଳ ଓ ଆଗକୁ ରୋଡ ମ୍ୟାପ୍ କ’ଣ ରହିବ, ଏନେଇ ସମସ୍ତ ଆଲୋଚନା କରାଯାଉଛି । ଏହି କ୍ରମରେ ବରଗଡ ଜିଲ୍ଲାରେ ବିଜେଡିର ବୈଠକ ବସିଛି । ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ଶୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ସ୍ନେହାଙ୍ଗୀନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଦେବେଶ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ୧୨ଟି ବ୍ଲକର ପଦାଧିକାରୀଙ୍କୁ ଦଳର ଭୂମିକା ଉପରେ ଗୁରୁମନ୍ତ୍ର ଦେଇଥିଲେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ।

ତେବେ ଶୋଚନୀୟ ପରାଜୟ ପରେ ଏବେ ପୂରା ଆକ୍ସନ ମୋଡରେ ବିରୋଧୀ ବିଜେଡି । ଦଳର ସୁପ୍ରିମୋଙ୍କ ଠାରୁ ଆରମ୍ଭ କରି ନେତା ବିଧାୟକ ସମସ୍ତେ ପ୍ରଚେଷ୍ଟା ଜାରି ରଖିଛନ୍ତି କିପରି ହରାଇଥିବା ସମ୍ମାନ ଫେରିପାଇବେ । ଶାସକ ନହେଲେ ନାହିଁ ବିରୋଧୀ ହୋଇ ଲୋକଙ୍କ ସ୍ବାର୍ଥରେ ଲଢିବେ । ଏଥିପାଇଁ ବିଜେଡି ସୁପ୍ରିମୋ ତଥା ବିରୋଧୀ ନେତା ମୁଖ୍ୟ ନବୀନ ପଟ୍ଟନାୟକ ତାଙ୍କର ସମସ୍ତ ନେତା ମନ୍ତ୍ରୀଙ୍କୁ ଡାକି ଘନଘନ ବୈଠକ କରୁଛନ୍ତି । ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଦଳୀୟ ନେତା ଓ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି । ଏହି କ୍ରମରେ ବିଭିନ୍ନ ଦଳୀୟ କର୍ମକର୍ତ୍ତା ଓ ବିଧାୟକଙ୍କୁ ନେଇ ଚାଲିଛି ଜିଲ୍ଲାସ୍ତରୀୟ ବୈଠକ । ପୂର୍ବରୁ ବିଜେଡି ନେତା ତଥା ଆଳି ବିଧାୟକ ପ୍ରତାପ ଦେବଙ୍କ ଘରେ ବସିଥିଲା ଦଳ ବୈଠକ । ଏଥିରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସ ଓ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ସମେତ ଅନ୍ୟ ନେତା ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ । ଦଳକୁ କିପରି ଆହୁରି ମଜଭୁତ କରାଯିବ । ଦଳୀୟ କନ୍ଦଳକୁ କିପରି ଶାନ୍ତ କରାଯିବ ସେନେଇ ସମସ୍ତ ଆଲୋଚନା ହୋଇଥିଲା ।

ସେପଟେ ବିରୋଧୀ ସିଟରେ ବସିବା ପରେ ପରେ ଶାସକକୁ ଘେରିବା ଆରମ୍ଭ କରିଦେଲାଣି ବିଜେଡି । ମୋହନ ସରକାରଙ୍କ ପ୍ରତି ପାଦକୁ ସମାଲୋଚନା କରୁଛି ବିଜେଡି । ଏମିତିକି ବିଜେପି ବିକାଶଧାରାକୁ ବାଧା ଦେଉଛି ବୋଲି ଅଭିଯୋଗ ବି କରିଛି । ଅନ୍ୟପକ୍ଷରେ ବିଜେପି କହିଛି, ପରାଜୟକୁ ସ୍ବୀକାର କରିପାରୁନି ବିଜେଡି । ଯାହାକୁ ନେଇ ଚାଲିଛି ବିରୋଧୀ-ଶାସକ ବୟାନ ବାଜି ଧାରା ।

  

Comments are closed.