Latest Odisha News

ବିଧାୟକଙ୍କୁ ପାଠ ପଢାଇଲେ ନବୀନ; କହିଲେ ପ୍ରଭାବଶାଳୀ ବିରୋଧୀ ଗଣତନ୍ତ୍ରର ରକ୍ଷକ

ଭୁବନେଶ୍ବର: ଶଙ୍ଖଭବନରେ ନିଜ ବିଧାୟକଙ୍କୁ ପାଠ ପଢାଇଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନବନିର୍ବାଚିତ ୧୮ ବିଧାୟକଙ୍କ ସମେତ ମୋଟ ୫୧ ଜଣ ବିଧାୟକଙ୍କୁ ତାଲିମ୍ ଦେଲେ ବିଜେଡି ମୁଖିଆ । କହିଲେ, ବିଧାନସଭାରେ ଯେତିକି ସରକାରଙ୍କର ଗୁରୁତ୍ବ ରହିଛି ସେତିକି ଗୁରତ୍ବ ରହିଛି ବିରୋଧୀଙ୍କର । ବିରୋଧୀ ହେଲେ ଗଣତନ୍ତ୍ରର ରକ୍ଷକ  ।

ରବିବାର ଶାସକ ଦଳକୁ ବିରୋଧ କରି ନିଜର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଜେଡି । ଏନେଇ ଆଜି ଶଙ୍ଖ ଭବନରେ ଆରମ୍ଭ ହୋଇଯାଇଛି ବିଜେଡି ବିଧାୟକଙ୍କ ପାଠଶାଳା । ଏହାକୁ ଉଦଘାଟନ କରି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଉଦବୋଧନ ଦେଇ କହିଛନ୍ତି, ସରକାରଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏକ ଦଳୀୟ କାର୍ଯ୍ୟକ୍ରମ ଥିଲା । ଯାହା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଓ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛି । ସେଥିପାଇଁ ବିଜେଡି ଏଥିରୁ ଓହରି ନିଜର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛି ।

ଏହାସହିତ ନୂଆ ବିଧାୟକମାନଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି, ଆମର କାମ କେବଳ ଗୃହରେ ସୁଗମ ଆଚରଣ ଦେଖାଇବା, ଗୃହର ଗାରିମା ବଜାୟ ରଖିବା ତାହା ନୁହେଁ, ସରକାରଙ୍କୁ ଲୋକଙ୍କ ହିତରେ ଜବାବ ମାଗିବା ମଧ୍ୟ । ଯେପରି ସରକାର ତାଙ୍କ କର୍ତ୍ତବ୍ୟରୁ ଚ୍ୟୁତ ନହୁଅନ୍ତି । ଏଥିପାଇଁ ଗୃହର ସମସ୍ତ ନିୟମାବଳୀ, ବିଧାନସଭାରେ ତୁମର କର୍ତ୍ତବ୍ୟ ଏସବୁ ଉପରେ ଭଲଭାବରେ କାମ କରିବା ଉଚିତ୍ ।

ଏହାସହିତ ବିଧାୟକମାନଙ୍କୁ ଗୃହରେ ପ୍ରଶ୍ନ ପଚାରିବା, ବିଭିନ୍ନ ପ୍ରସ୍ତାବ ଆଣିବା ଓ ଶୂନ୍ୟ କାଳକୁ ଯେତେ ଅଧିକ ଉପଯୋଗ କରି ଲୋକଙ୍କ ହିତକୁ ସାମ୍ନାକୁ ଆଣିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଏହାସହିତ ନବୀନ କହିଛନ୍ତି, ଯେମିତି ଗଣତନ୍ତ୍ରରେ ସରକାର ଗୁରୁତ୍ବପୂର୍ଣ୍ଣ ସେମିତି ବିରୋଧୀ ବି ଗୁରୁତ୍ବପୂର୍ଣ୍ଣ । ସରକାରଙ୍କୁ ଲାଇନରେ ରଖିବାକୁ ହେଲେ ପ୍ରଭାବଶାଳୀ  ଓ ସକ୍ରିୟ ବିରୋଧୀ ହେବାକୁ ପଡିବ । ଆମକୁ ବି ଲୋକେ ବାଛିଛନ୍ତି । ତେଣୁ ଓଡିଶାବାସୀଙ୍କ ସ୍ବାର୍ଥରେ ଲଢିବା ପାଇଁ ବିଧାୟକଙ୍କୁ ଆହ୍ବାନ ଦେଇଛନ୍ତି ନବୀନ ।

ତେବେ କହିରଖୁଛୁ, ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ପ୍ରଶିକ୍ଷଣ ଦେବା ପାଇଁ ଶାସକ ଦଳ ପକ୍ଷରୁ ବିଧାନସଭାରେ ଗତ ୧୭ ଓ ୧୮ ତାରିଖରେ ବିଧାୟକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଯାହାକୁ ବିଜେପିର ଦଳୀୟ ପ୍ରଶିକ୍ଷଣ ଶିବିର ଦର୍ଶାଇ ବୟକଟ୍ କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ । ଏଥିସହିତ ବିଜେଡି ଆସନ୍ତା ୨୫ ତାରିଖରେ ଅର୍ଥାତ୍ ଆଜି ନିଜର ପ୍ରଶିକ୍ଷଣ ଶିବିର ଦିନ ୧୦ଟାରେ ଶଙ୍ଖଭବନରେ ଆୟୋଜିତ କରିବ ବୋଲି କହିଥିଲା ।

Comments are closed.