Latest Odisha News

ଗ୍ୟାସ୍ ଦରକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ବିଜେଡି

ଭୁବନେଶ୍ୱର: ଗ୍ୟାସ୍ ସହ ଅନ୍ୟ ସାମଗ୍ରୀର ଦରବୃଦ୍ଧିକୁ ନେଇ ରାଜଧାନୀରେ ବିଜୁ ଜନତା ଦଳ ପ୍ରତିବାଦ କରିଛି । ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହ ଶତାଧିକ ନେତା ଓ କର୍ମୀ ଚୂଲିରେ ପ୍ରତିବାଦ ସ୍ଥଳରେ ରୋଷେଇ କରିଛନ୍ତି ।

ରାଜଭବନ ସମ୍ମୁଖରେ ଦରଦାମ ବୃଦ୍ଧିକୁ ନେଇ ପ୍ରତିବାଦ ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି ବିଜେଡି ନେତା । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପ୍ରତିଶ୍ରୁତି ଦେଇଥିଲା ଶହେ ଦିନ ମଧ୍ୟରେ ଦରଦାମ ନିୟନ୍ତ୍ରଣକୁ ଆସିବ ।

କିନ୍ତୁ ଦୁଃଖର କଥା ୯ ବର୍ଷ ହୋଇ ଯାଇଛି । ଗ୍ୟାସ୍ ଦର ୪୨୦ ଟଙ୍କା ଥିଲା, ତାହା ଆଜି ୧୧୩୦ ଟଙ୍କାରେ ପହଞ୍ଚିଛି । ସରକାରଙ୍କ ଉଜ୍ଜ୍ୱଳା ଯୋଜନା ବିଫଳ ହୋଇଛି । ମାଆମାନେ ପୁଣି ଚୂଲି ମୁଣ୍ଡକୁ ଫେରିଛନ୍ତି, ଗ୍ୟାସ୍ ବଦଳରେ ଜାଳେଣୀରେ ରାନ୍ଧୁଛନ୍ତି । କେନ୍ଦ୍ର ସରକାର ଦର ନ କମାଇଲେ ବିଜେଡି ତୀବ୍ର ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି ।

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, ଆଜି ପହିଲି ରଜ । ରଜର ମୁଖ୍ୟ ଉଦ୍ଦେଶ୍ୟ ହେଲା ମାଆଙ୍କୁ ସମ୍ମାନ ଦେବା । କୌଣସି ମାଆ କେବେ ଚାହାଁନ୍ତି ନାହିଁ ରଜରେ ଆସି ପ୍ରତିବାଦ କରିବେ । ମାଆଙ୍କୁ ସେତିକି କଷ୍ଟ ହେଉଛି ବୋଲି ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଗ୍ୟାସ୍ ଦର ବୃଦ୍ଧିକୁ ନେଇ ବିଜେଡି ରାଜଧାନୀରେ ପ୍ରତିବାଦ କରିଥିବା ବେଳେ ଆଜି ଓ ଆସନ୍ତାକାଲି ୨ ଦିନ ଧରି ବିଜେପି ବିଦ୍ୟୁତ୍ କାଟକୁ ନେଇ ରାଜ୍ୟର ବିଭିନ୍ନ ଟାଟା ପାୱାର ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛି । ତେବେ ଦେଖିବାର କଥା ରାଜନୈତିକ ପ୍ରତିବାଦ ଓ ବିକ୍ଷୋଭରୁ କଣ ଲାଭ ପାଉଛନ୍ତି ଜନତା ?

Comments are closed.