Latest Odisha News

ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ; ତେଜିଲେଣି ବିରୋଧୀ, କାର୍ଯ୍ୟାନୁଷ୍ଠାନ କେବେ?

ଭୁବନେଶ୍ବର: ରାଜ୍ୟପାଳଙ୍କ ପୁଅ ଲଲିତ କୁମାର ଏଏସଓଙ୍କୁ ମାଡ ମାରିବା ଅଭିଯୋଗରେ ଥାନାରେ ମାମଲା ରୁଜ୍ଜୁ ହେବା ପରେ ବି ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନି ପ୍ରଶାସନ । ଯାହାକୁ ନେଇ ଏବେ ତେଜିଲେଣି ବିରୋଧୀ । ଏନେଇ କଂଗ୍ରେସ ରାଜଭବନ ଆଗରେ ବିକ୍ଷୋଭ ଜାରି ରଖି ରାଜ୍ୟପାଳଙ୍କ ଇସ୍ତଫା ଦାବି କରିବା ସହିତ ପୁଅ ଲଳିତ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ସେପଟେ ଏବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ମାଗିଛି ବିଜେଡି ।

ଏନେଇ ବିଜେଡି ନେତା ପ୍ରତାପ ଦେବ ପ୍ରେସମିଟ କରି କହିଛନ୍ତି, ଏତଲା ଥାନାରେ ଦାୟର ହୋଇଛି । ହେଲେ ଏନେଇ କୌଣସି କାର୍ଯ୍ୟନୁଷ୍ଠାନ କାହିଁକି ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପ୍ରତାପ । ଏହା ସହିତ ପ୍ରତାପ ଦେବ ଆହୁରି ମଧ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଗ୍ରିଭାନ୍ସ ଖୋଲିଛନ୍ତି, ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ସେଭଳି କ୍ଷେତ୍ରରେ ଜଣେ ସାଧାରଣ କର୍ମଚାରୀଙ୍କ ଅଭିଯୋଗକୁ ଦୃଷ୍ଟିରେ ନେଇ ନ୍ୟାୟ ଦିଅନ୍ତୁ ବୋଲି ପ୍ରତାପ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର, ରଥଯାତ୍ରା ସମୟରେ ରାଜ୍ୟପାଳ ପୁରୀ ରାଜଭବନରେ ଥିବା ସମୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର, ମାଡ଼ ମାରିଥିବା ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ।

ସଂସଦୀୟ ବ୍ୟାପାର ବିଭାଗର ଏଏସଓ ବୈକୁଣ୍ଠ ପ୍ରଧାନଙ୍କ କହିବା ଅନୁଯାୟୀ, ପୁରୀରେ ରଥଯାତ୍ରା ରାତିରେ ରାଜଭବନରେ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ। ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅବଗତ କରିଥିଲେ ଏବଂ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗୁହାରି କରିଥିଲେ। କିନ୍ତୁ ଏ ଘଟଣାରେ ସେ ଚୁପ୍ ରହିଥିବାରୁ ବୁଧବାର ପୁଣିଥରେ ବୈକୁଣ୍ଠନାଥ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ତେବେ ଅଭିଯୋଗ ନେଇ ରାଜ୍ୟପାଳ କିମ୍ବା ତାଙ୍କ ପୁଅଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି ।

Comments are closed.