Latest Odisha News

ନିଟ୍ ବିବାଦକୁ ନେଇ ରାଜ୍ୟସଭାରେ ଗର୍ଜିଲା ବିରୋଧୀ ବିଜେଡି

ନୂଆଦିଲ୍ଲୀ: ବିରୋଧୀ ହୋଇ ଏବେ ଶାସକ ବିଜେପିକୁ ପ୍ରଶ୍ନର କାଠଗଡାକୁ ଟାଣିବା ଆରମ୍ଭ କରିଦେଲାଣି ବିଜେଡି । ବିରୋଧୀ ହୋଇ ଏଥର ସଂସଦରେ ଜନତାଙ୍କ ସ୍ବାର୍ଥରେ ଗର୍ଜିବାକୁ ଦଳକୁ ପରାମର୍ଶ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଆଜି ଏହାର ଝଲକ ସଂସଦର ଉପର ଗୃହରେ ଦେଖିବାକୁ ମିଳିଥିଲା ।

ନିଟ୍ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଏବଂ ଅନିୟମିତତାକୁ ବିରୋଧ କରି ଆଜି ସଂସଦର ଉପର ଗୃହ ରାଜ୍ୟସଭାରେ ତେଜିଛି ବିଜେଡି । ନିଟ୍ ବିବାଦ ଭାରତର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ଯେଉଁ ପ୍ରଭାବ ପକାଇଛି ଏହା ଉପରେ ରାଜ୍ୟସଭାରେ ଆଲୋଚନା ପାଇଁ ଦାବି କରିଥିଲେ ବିଜେଡି ରାଜ୍ୟସଭା ସାଂସଦମାନେ । ନିଜ ନିଜ ସ୍ଥାନରେ ଛିଡା ହୋଇ ହୋହାଲ୍ଲା କରିବା ସହିତ ପରେ ଗୃହର ସାମ୍ନାକୁ ଯାଇ ରାଜ୍ୟସଭାରେ ଏହା ଉପରେ ଆଲୋଚନା ପାଇଁ ଦୃଢ ଦାବି କରିଥିଲେ । ଯେତେବେଳେ ସେମାନଙ୍କର ବିରୋଧ ପ୍ରତି ଧ୍ୟାନ ଦିଆଯାଇନଥିଲା, ସେତେବେଳେ ବିଜେଡି ସାଂସଦମାନେ ଗୃହର ମଧ୍ୟଭାଗକୁ ଯାଇ ହଟ୍ଟଗୋଳ ଆରମ୍ଭ କରିଥିଲେ । ନିଟ୍ ଅନିୟମିତତା ଓ ଦୁର୍ନୀତିକୁ ନେଇ ଓଡିଶାର ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ସ୍ବର ହୋଇ ଆଜି ରାଜ୍ୟସଭାରେ ମୋଦି ସରକାରଙ୍କୁ ଘେରିଥିଲା ବିଜେଡି ।

ତେବେ ୨୪ ବର୍ଷ ଶାସନ ପରେ ପରାଜୟ ବରଣ କରିଛି ବିଜେଡି । ପରାଜୟ ନୁହେଁ ତ ଶୋଚନୀୟ ପରାଜୟ ଯାହା କେବେ ଓଡିଶାବାସୀ କଳ୍ପନା ବି କରିନଥିଲେ । ଏତେ ଶୋଚନୀୟ ଯେ ଏଥର ଲୋକସଭାରେ ବିଜେଡିର ହାତ ଖାଲି । ସେପଟେ ରାଜ୍ୟସଭାରେ ଥିବା ୯ ସାଂସଦକୁ ନେଇ ଏଥର ଅଣ୍ଟା ଭିଡିଛି ବିଜେଡି । ଲୋକଙ୍କ ଆଗରେ ହରାଇଥିବା ସମ୍ମାନ ଲୋକଙ୍କ ସ୍ବାର୍ଥରେ କହି ଜିତିବ । ସେଥିପାଇଁ ଏଥର ଦିଲ୍ଲୀରେ ବିଜେଡିର ସରକାରୀ ବିରୋଧୀ ସ୍ୱର ଶୁଭିଛି । ଏଥର ଲୋକସଭାର କଡାଗଣ୍ଡା, ରାଜ୍ୟସଭାରେ ଆଦାୟ କରିବ ଦଳ । ସିଧା ଗୃହର ମଧ୍ୟ ଭାଗରେ ହେବ ଟକ୍କର । ପରାଜୟ ପରେ ସୁପ୍ରିମୋଙ୍କ ନେତୃତ୍ବରେ କିଛି ଏମିତି ଆହ୍ବାନ କରିଥିଲା ବିଜେଡି । ଆଉ ଆଜି ରାଜ୍ୟସଭାରେ ସୁପ୍ରିମୋ ନବୀନଙ୍କ ଗୁରୁମନ୍ତ୍ର ଅନୁଯାୟୀ ଦଳ ପୂରା ଫାୟାର । ସିଧା ଗୃହର ମଝି ଭାଗକୁ ଯାଇ ସକ୍ରିୟ ବିରୋଧୀ ଭାବେ କଡା ଜବାବ ମାଗିଛି ।

Leave A Reply

Your email address will not be published.