Latest Odisha News

BREAKING NEWS

‘୨୪ ବର୍ଷରେ ବିକାଶ ନାଁରେ ବିନାଶ କରିଛି ବିଜେଡି’-ମୁଖ୍ୟମନ୍ତ୍ରୀ

ଯାଜପୁର: ‘ବିକାଶ ନାଁରେ ଓଡିଶାର ବିନାଶ କରିଛି ବିଜେଡି । ଓଡିଶାକୁ ଲୁଟିଛି । ଯାଜପୁରକୁ ବହୁ ପଛକୁ ନେଇଯାଇଛି ।’ ଆଜି ଯାଜପୁର ବଡଚଣାରେ ବିଜେଡି ପ୍ରତି ସ୍ବର ଶାଣିତ କରି କିଛି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଯାଜପୁର ବଡଚଣାରେ ଆୟୋଜିତ ବିଜେପି ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମରେ ବିଜେଡିକୁ ଜୋରଦାର୍ ଆକ୍ରମଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୪ ବର୍ଷ ଧରି ଲୁଟ୍ କରିଚାଲିଥିଲା ବିଜେଡି । ବିକାଶ ନାଁରେ ବିନାଶ ଚଳାଇଥିଲା । ୨୪ ବର୍ଷ ଭିତରେ କି ବିକାଶ ହୋଇଛି, ତାହା ଆମେ ସମସ୍ତେ ଦେଖିଛି । ଯାଜପୁରର ନଗଡ଼ା ଅପପୃଷ୍ଟି କଥା ରାଜ୍ୟ ନୁହେଁ ପୁରା ଦେଶରେ ଚର୍ଚ୍ଚାରେ ଥିଲା । ଖାଇବାକୁ ନପାଇ ପ୍ରାୟ ୧୫ ଶିଶୁଙ୍କ ଜୀବନ ଯାଇଥିଲା । ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ । ବିଜେଡି ଏହି ବିକାଶ କରିଥିଲା । ଆହୁରି ସମୟ ମାଗୁଛନ୍ତି । ୨୪ ବର୍ଷ ଶାସନରେ ବିକାଶ ନାଁରେ ବିନାଶ କରିଛି ବିଜୁ ଜନତା ଦଳ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ନାଁ ନନେଇ ଯାଜପୁରର ୩ ବିଜେଡି ନେତାଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଛନ୍ତି ବୋଲି କହିଛନ୍ତି । ଯାଜପୁର ଏକ ଶିଳ୍ପ ସମୃଦ୍ଧ ଓ ଖଣି ଖାଦାନରେ ଭରପୂର ଅଞ୍ଚଳ । ଯେତିକି ଉନ୍ନତି ହେବା କଥା ସେତିକି ନାହିଁ, ଲୋକେ ଗରିବ । ବିଗତ ସରକାରରେ ଅବହେଳିତ ହୋଇଥିବା ଲୋକଙ୍କୁ ସୁବିଧା ମିଳିବ । ଯାଜପୁରବାସୀ ବିଜେଡିକୁ ଉଚିତ୍ ଶିକ୍ଷା ଦେଇଛନ୍ତି । ଏ ଶାସ୍ତି ୫ ବର୍ଷ ପାଇଁ ନୁହେଁ ଆଗାମୀ ୨୫ ବର୍ଷ ପାଇଁ ବୋଲି ଯାଜପୁର ବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

Leave A Reply

Your email address will not be published.