Latest Odisha News

BREAKING NEWS

ଦାମଙ୍କୁ ଦଳରେ ନେବାରୁ ବିଜେପିକୁ କଡ଼ା ସମାଲୋଚନା କଲା ବିଜେଡ଼ି

ଭୁବନେଶ୍ୱର: ଡ଼ାକ୍ତର ଦାମୋଦର ରାଉତଙ୍କୁ ଦଳରେ ସାମିଲ୍ କରିଥବାରୁ ଶାସକ ବିଜୁ ଜନତା ଦଳ ଶୁକ୍ରବାର ଦିନ ବିଜେପିକୁ କଠୋର ସମାଲୋଚନା କରିଛି ।

“ଏହା ହେଉଛି ସେହି ବିଜେପି ଯିଏକି ମହିଳା ବିରୋଧୀ ଏବଂ ଦଳିତ ବିରୋଧୀ ମନ୍ତବ୍ୟ ଦେଇଥିବା ଯୋଗୁଁ ଦାମୋଦର ରାଉତଙ୍କ କୁଶ ପୁତ୍ତଳିକା ରାସ୍ତାରେ ଦାହ କରିବାକୁ ପଛାଇନଥିଲା, ଖାଲି ସେତିକି ନୁହେଁ ମନ୍ତ୍ରୀମଣ୍ଡଳରୁ ସେେତେବେଳେ ବରଖାସ୍ତ କରିବାକୁ ବିରୋଧୀ ବିଜେପି ଦାବୀ କରିଥିଲା । ବର୍ତ୍ତମାନ ଏହି ଗୈରୀକ ଦଳ ତାଙ୍କୁ ଦଳରେ ସାମିଲ କରିଛି । ଏହା ଦଳର ଆଦର୍ଶ କ୍ଷୁର୍ଣ୍ଣ ହୋଇଥିବା ସ୍ପଷ୍ଟ ହୋଇଛି,” ବୋଲି ଗଣମାଧ୍ୟମକୁ କହିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ।

ସେପଟେ ନୂଆଦିଲ୍ଲୀଠାରେ ବିଜେପିରେ ଯୋଗଦାନ କରିବା ପରେ ଆଜି ସକାଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଦାମୋଦର ରାଉତଙ୍କୁ ତାଙ୍କର ଶହ ଶହ ସମର୍ଥକ ସ୍ୱାଗତ କରି ପଟୁଆରରେ ପାଛୋଟି ଆଣିଛନ୍ତି ।

ସମ୍ବାଦଦାତାମାନଙ୍କୁ ସୂଚନା ଦେଇ ଦାମ କହିଛନ୍ତି, ବିଜେପିରେ ଯୋଗଦେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଜେଡ଼ି ସରକାରର ନେତୃତ୍ୱ ନେଇଥିବା ନବୀନ ପଟ୍ଟନାୟକଙ୍କୁ କ୍ଷମତାଚ୍ୟୁତ କରିବା । “ ଓଡ଼ିଶାର ଜନସାଧାରଣ ବିଜେଡ଼ି ଶାସନରେ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି, ଯେଉଁ ଶାସନରେ କେବଳ ଦୁର୍ନୀତି ଏବଂ ଅରାଜକତା ବୃଦ୍ଧି ପାଇଛି । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଓଡ଼ିଶାର ଜନସାଧାରଣ ମୋ ସହିତ ହାତ ମିଳାଇ ଏହି ଦୁର୍ନୀତିଗ୍ରସ୍ତ ସରକାରର ମୂଳୋତ୍ପାଟନ କରିବେ,” ବୋଲି ବରିଷ୍ଠ ନେତା ଦାମ ରାଉତ କହିଛନ୍ତି ।

ବିଜେପି ଟିକଟରୁ କେଉଁ ଆସନରୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବାଲିକୁଦା-ଏରସମା ଆସନରୁ ସେ ନିର୍ବାଚନ ଲଢିବାକୁ ଇଚ୍ଛୁକ । “ବାଲିକୁଦା ହେଉଛି ମୋର ଜନ୍ମସ୍ଥାନ ଏବଂ ବିଗତ ୨୫ ବର୍ଷ ଧରି ଏହି ଆସନରୁ ମୁଁ ପ୍ରତିନିଧିତ୍ୱ କରିଆସୁଛି । ମୁଁ ମୋର ଶେଷ ନିର୍ବାଚନ ମୋ ନିଜ ଜନ୍ମସ୍ଥାନରେ ଲଢି ନିର୍ବାଚନମଣ୍ଡଳୀର ସେବା କରିବାକୁ ଚାହୁଁଛି,”ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଦାମ ରାଉତ ।

ଶୁକ୍ରବାର ଦିନ ସକାଳେ ବିଜେପି ସମର୍ଥଙ୍କମାନେ ବିମାନବନ୍ଦରରେ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଏକ ବିରାଟ ପଟୁଆରରେ ପାଛୋଟି ଆଣିଥିଲେ । ବିଜେପି ପାର୍ଟି କାର୍ଯ୍ୟାଳୟରେ ବରିଷ୍ଠ ବିଜେପି ନେତାମାନେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସେଠାରେ ବିଜେପି ସଭାପତି ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ଭୃଗୁ ବକ୍ସିପାତ୍ର, ସମୀର ମହାନ୍ତି, ଗୋଲକ ମହାପାତ୍ର ଏବଂ ସୁରେଶ ପୂଜାରୀ ଉପସ୍ଥିତ ରହିଥିଲେ ।

ବରିଷ୍ଠ ନେତା ଦାମୋଦର ରାଉତ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ରାଷ୍ଟ୍ରୀୟ ବିଜେପି ସଭାପତି ଅମିତ ଶାହଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ । ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ବିଧାୟକ ଦଳ ନେତା କେ ଭି ସିଂହଦେଓ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଅନୁରାଗ ଠାକୁର ତଥା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.