Latest Odisha News

ବବିବାବୁ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସେନାପତି: ପାଣ୍ଡିଆନ

ଯାଜପୁର: ସରିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏବେ ଅପେକ୍ଷା ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ରାଜନୈତୀକ ଦଳ ମାନଙ୍କର ପ୍ରଚାର ପ୍ରସାର । ଏହି ଅବସରରେ ଯାଜପୁର ଏବଂ ସୁକିନ୍ଦାରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ । ବିରୋଧି ମାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ନିର୍ବାଚନ ସମୟରେ ବିରୋଧିମାନେ ଆସିବେ । ମିଠା ମିଠା କଥା କହିବେ, ମିଛ କଥା କହିବେ, ଅପପ୍ରଚାର କରିବେ, କୁମ୍ଭୀର କାନ୍ଦଣା କାନ୍ଦିବେ । ତେଣୁ ସେମାନଙ୍କ ଠାରୁ ଆପଣମାନେ ସତର୍କ ରୁହନ୍ତୁ ।

ପାଣ୍ଡିଆନ କହିଛନ୍ତି ଯେ, ବିଜେପି କହୁଛି ମାଗଣା ବିଜୁଳି ଦେବ । ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବାକୁ ପଡ଼ିବ । ସୂର୍ଯ୍ୟକିରଣରୁ ଆପଣମାନେ ବିଜୁଳି ପାଇବେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ । ଏମାନଙ୍କୁ ଚିହ୍ନିକି ରଖନ୍ତୁ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଆଶୀର୍ବାଦରେ ସଶକ୍ତ ଓଡ଼ିଶା ଗଠନ କରିବେ । ମା ବିରଜା ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ୍‍ ଛାଡ଼ ହେବ । ଦ୍ୱିତୀୟ ଦସ୍ତଖତରେ ବି.ଏସ.କେ.ୱାଇରେ ସମସ୍ତେ ସାମିଲ ହେବେ । ତୃତୀୟ ଦସ୍ତଖତ ହେବ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନସନ ସୁବିଧା କରାଯିବ ବୋଲି କହଛନ୍ତି ପାଣ୍ଡିଆନ ।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ବବିବାବୁ ଏ ଦଳ ଓ ରାଜ୍ୟ ପାଇଁ ବହୁତ ପରିଶ୍ରମ କରୁଛନ୍ତି । ବବିବାବୁ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସେନାପତି । ମୁଖ୍ୟମନ୍ତ୍ରୀ ଯାଜପୁର ଓ ବବିବାବୁଙ୍କୁ ବହୁତ ଭଲ ପାଆନ୍ତି । ଆପଣଙ୍କ ବିଧାୟକ ଡାନୀ ବାବୁ ଆପଣଙ୍କ ଅଞ୍ଚଳର ଉନ୍ନତି ପାଇଁ ବହୁତ କାମ କରୁଛନ୍ତି, ଦିନରାତି ୨୪ ଘଣ୍ଟା ପରିଶ୍ରମ କରି ଆପଣମାନଙ୍କ ସେବା କରୁଛନ୍ତି । ଆସ୍କାରେ ଗତଥର ମୁଖ୍ୟମନ୍ତ୍ରୀ ଜଣେ ମିଶନଶକ୍ତି ମା’ଙ୍କୁ ଲୋକସଭା ସାଂସଦ କରିଥିଲେ, ଏଥର ବବିବାବୁ ଜଣେ ମିଶନଶକ୍ତି ମା’ଙ୍କୁ ଏଠାରେ ପ୍ରାର୍ଥୀ କରିଛନ୍ତି । ନେତା ଯେମିତି, ସେନାପତି ସେମିତି ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ।

Leave A Reply

Your email address will not be published.