Latest Odisha News

BREAKING NEWS

ସହିଦଙ୍କ କଫିନରେ ଦଳୀୟ ପତାକା ଘଟଣା: ୩ ଜଣଙ୍କୁ ନିଲମ୍ବନ କଲା ବିଜେଡ଼ି

ଭୁବନେଶ୍ୱର: ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ କଫିନ ଉପରେ ଦଳୀୟ ପତାକା ଘୋଡ଼ାଇବା ଘଟଣାର ତଦନ୍ତ ଆଦେଶ ଦେବା ସହିତ ଏଥିରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ନିଲମ୍ବନ କରିଛି । ଏହି ଘଟଣାରେ କଟକ ଜିଲ୍ଲାର ସମ୍ପୃକ୍ତ ଥିବା ଦଳର ତିନିଜଣ ସଦସ୍ୟ ବିନୋଦ କୁମାର ମାଝୀ, ସନ୍ତୋଷ କୁମାର ସାହୁ ଏବଂ ଗୋବର୍ଦ୍ଧନ ଦାସଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଏନେଇ ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଦଳର ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ସୂଚନା ଦେଇଛନ୍ତି ।

ଓଡ଼ିଆ ସହିଦ ଯବାନଙ୍କ କଫିନ ଉପରେ ଦଳୀୟ ପତାକା ଘୋଡ଼ାଯାଇଥିବା ନେଇ ଶୁକ୍ରବାର ଦିନ ବିଜେପି ପକ୍ଷରୁ ତୀବ୍ର ପ୍ରତିବାଦ କରାଯିବା ସହିତ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଥିଲା ।

ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ସୈନିକ ସେଲର ପୂର୍ବତନ ଆବାହକ ବି କେ ବସ୍ତିଆ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣା ଲାଗି ନିଃସର୍ତ୍ତ କ୍ଷମା ମାଗିବା ଉଚିତ ବୋଲି ସେ ଦାବୀ କରିଥିଲେ ।

“ସହିଦଙ୍କ କଫିନ ଉପରେ ଦଳୀୟ ପତାକା ଘୋଡ଼ାଇବା ଏହା ସମଗ୍ର ଦେଶ ଲାଗି ଲଜ୍ଜାଜନକ । ବିଜେଡ଼ି ପକ୍ଷରୁ ଏପରି ଭୂଲ୍ ପ୍ରଥମଥର ଲାଗି ହୋଇନାହିଁ, ବରଂ ଏହା ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ମନୋଜ ବେହେରାଙ୍କ ଶେଷକୃତ୍ୟ ସମୟରେ ଜଣେ ବିଜେଡ଼ି ବିଧାୟକ ସହିଦଙ୍କ ଆତ୍ମୀୟ ସ୍ୱଜନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହି ଘଟଣାଟି ଫେବୃଆରୀ ୧୬ ତାରିଖରେ କଟକ ଜିଲ୍ଲା ରତନପୁରଠାରେ ଘଟିଥିଲା । ଏହି ଘଟଣାକୁ ବିଜେଡ଼ି ସୁପ୍ରିମୋ ଗୁରୁତ୍ୱର ସହ ନେବା ସହିତ ସଂପୃକ୍ତ ବିଜେଡ଼ି କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ,” ବୋଲି କହିଥିଲେ ଶ୍ରୀ ବସ୍ତିଆ ।

ସେହିପରି ସହିଦ ଯବାନଙ୍କ ଭାଇ ପରମେଶ୍ୱର ସାହୁ ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ କହିଥିଲେ ଯେ, କିଛି ବିଜେଡ଼ି କର୍ମୀ ଖୁଣ୍ଟୁଣିଠାରେ ଦଳୀୟ ପତାକା ଘୋଡ଼ାଇ ଦେଇଥିଲେ । ଅବଶ୍ୟ ସେ ନିଜେ ଏହି ପତାକାଟିକୁ ଦେଖିବାପରେ ମରଶରୀର ଉପରୁ ଅପସାରଣ କରିଥିଲେ । ମାତ୍ର ତାହା ପୂର୍ବରୁ କିଛି ବ୍ୟକ୍ତି ମୋବାଇଲ୍ ଦ୍ୱାରା ଯେଉଁ ଫଟୋ ଉଠାଇଥିଲେ ସେତେବେଳେ ଏହି ଦଳୀୟ ପତାକା ରହିଥିଲା । ଏହି ଫଟୋଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଯାଇଛି ।

“ମୋ ଭାଇ ଦେଶ ଲାଗି ଜୀବନ ଉତ୍ସର୍ଗ କରିଛନ୍ତି, କୌଣସି ରାଜନୈତିକ ଦଳ ଲାଗି ନୁହେଁ । ଏହି ଫଟୋ ସୋସିଆଲ୍ ମିଡ଼ିଆରେ ପ୍ରସାର ହେବା ଉଚିତ୍ ନୁହେଁ, ପ୍ରଶାସନ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ,” ବୋଲି ସହିଦଙ୍କ ଭାଇ ପରମେଶ୍ୱର କହିଥିଲେ ।

ଏସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ ବିଜେଡ଼ି ପକ୍ଷରୁ କୁହାଯାଇଥିଲା ଯେ, ଏହି ଘଟଣା ସମ୍ପୂର୍ଣ୍ଣ ଭାବେ ଦୁର୍ଭାଗ୍ୟଜନକ । ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଥିଲେ, ଓଡ଼ିଆ ସହିଦ ଯବାନଙ୍କ ପ୍ରତି ଦଳର ଯଥେଷ୍ଟ ସମ୍ମାନ ରହିଛି । “ଏହି ଘଟଣାରେ ଦଳ ଦୃଢ ନିନ୍ଦା କରିବା ସହିିତ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ,” ବୋଲି ସସ୍ମିତ ପାତ୍ର କହିଥିଲେ ।

Leave A Reply

Your email address will not be published.