Latest Odisha News

BREAKING NEWS

“ଭାରତ ମାତା କି ଜୟ”, ଭୁଲ୍ ଲେଖିଲେ ମନ୍ତ୍ରୀ, ଟାର୍ଗେଟ କଲେ ଲେଖାଶ୍ରୀ

ଭୁବନେଶ୍ବର: ‘ଭାରତ ମାତା କି ଜୟ’ ଭୁଲ୍ କରି ‘ଡାରତ ମାତା କି ଜୟ’ ବୋଲି ଲେଖିଦେଲେ ରାଜସ୍ବ ମନ୍ତ୍ରୀ । ସଂଶୋଧନ କଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଯାହାକୁ ନେଇ କଡା ନିନ୍ଦା କରିଛି ବିଜେଡି । ଓଡିଶାର ଶାସନ କୁଳାଙ୍ଗାରଙ୍କ ହାତରେ ଅଛି ବୋଲି କହି ଧିକ୍କାର କରିଛି ।

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନରେ ଚଳିତ ବର୍ଷ ପୁଣି ଥରେ ସାରା ଦେଶରେ ଆରମ୍ଭ ହୋଇଛି ହର୍ ଘର୍ ତ୍ରିରଙ୍ଗା ଅଭିଯାନ । ଯେଉଁଥିରେ ଆଜିଠାରୁ ଆଗାମୀ ଅଗଷ୍ଟ ୧୫ ତାରିଖ ଯାଏ ନିଜ ନିଜ ଘରେ ଓ ବିଭିନ୍ନ ସଂସ୍ଥାରେ ତ୍ରିରଙ୍ଗା ଉଡାଇ ସାରା ଦେଶକୁ ସମ୍ବୋଧିତ କରିବେ । ଏହି ଅବସରରେ ସୋମବାର ଲୋକସେବା ଭବନରେ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହିତ ରାଜ୍ୟବାସୀଙ୍କୁ ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଆହ୍ବାନ ମଧ୍ୟ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଏକ ହ୍ବାଇଟ ବୋର୍ଡରେ ନିଜ ନିଜର ଉକ୍ତି ଲେଖି ଦସ୍ତଖତ କରୁଥିଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ । ଏହାରି ଭିତରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ‘ଭାରତ ମାତା କି ଜୟ’ ବଦଳରେ  ‘ଡାରତ ମାତା କି ଜୟ’ ବୋଲି ଲେଖିଦେଇଥିଲେ । ପରେ ଏହାକୁ ଠିକ୍ କରିବାକୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କହିଥିଲେ ।

ସେପଟେ ଏହାକୁ ନେଇ ବିଜେପି ସରକାରଙ୍କୁ ଦୃଢ ନିନ୍ଦା କରିଛନ୍ତି, ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର । ଏନେଇ ଲେଖାଶ୍ରୀ ତାଙ୍କ ଏକ୍ସ ଜରିଆରେ ଉକ୍ତ ସମୟର ଭିଡିଓ ସେୟାର କରି ଲେଖିଛନ୍ତି, ରାଜସ୍ୱ ମନ୍ତ୍ରୀ ‘ଡାରତ ମାତା କି ଜୟ ‘ ଲେଖିଛନ୍ତି । ଓଡ଼ିଆ ଜାତିର ଦୁର୍ଭାଗ୍ୟ ଏମିତି କୁଳାଙ୍ଗାରଙ୍କ ହାତରେ ଓଡ଼ିଶାର ଭାଗ୍ୟ ଡୋରି ସେମାନେ ଟେକି ଦେଇଛନ୍ତି । ପୁରା କ୍ୟାବିନେଟ୍ ଜୋକରଙ୍କ ଆଡ୍ଡା ସ୍ଥଳୀ । ଅକ୍ଷର ଚିହ୍ନି ପାରୁନଥିବା ଲୋକେ ଅସ୍ମିତା କଥା କହୁଛନ୍ତି ବୋଲି କହି ତାତ୍ସଲ୍ୟ କରିଛନ୍ତି ଲେଖାଶ୍ରୀ ।

Comments are closed.