ନୂଆଦିଲ୍ଲୀ: ନିର୍ବାଚନ ପରିଚାଳନାରେ ସ୍ବଚ୍ଛତାକୁ ନେଇ ଉଠୁଛି ପଡୁଛି ଦେଶ ରାଜନୀତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ପ୍ରସଙ୍ଗ ବିରୋଧୀ ଇଣ୍ଡିଆ ମେଣ୍ଟରେ ଜୋଶ ଭରିଛି। ପୁରୁଣା କଥା ଭୁଲି ଏକାଠି ହେଲେଣି ବିଭିନ୍ନ ଦଳର ନେତା। ମମତା ହୁଅନ୍ତୁ କି ଅଖିଳେଶ କିମ୍ବା ପାଓ୍ବାର, ଭୋଟ୍ ଚୋରି ଓ ଏସଆଇଆର ବିରୋଧରେ ଏବେ ବିରୋଧୀ ଏକସ୍ବର। ରାଜ୍ୟରେ ମଧ୍ୟ ବିଜେଡି ଭୋଟ୍ ତାରତମ୍ୟ ପ୍ରସଙ୍ଗକୁ ଉଠାଇଛି। ତେବେ ପ୍ରଶ୍ନ ଉଠୁଛି, ଦେଶରେ ବିରୋଧୀ ମେଣ୍ଟ ଭଳି ରାଜ୍ୟରେ ପ୍ରସଙ୍ଗକୁ ଜୋରଦାର ଉଠାଇବ କି ବିଜେଡି? ନା କେବଳ ପ୍ରସମିଟରେ ହିଁ ସୀମିତ ରହିଯିବ ଅଭିଯୋଗ?
ବିଜେଡିର ଭୋଟ୍ ଅସଙ୍ଗତି ଅଭିଯୋଗ
ଭୋଟ ଚୋରିକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଥିବା ବେଳେ ନିର୍ବାଚନ ପରିଚାଳନାରେ ସ୍ବଚ୍ଛତାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି ବିଜେଡି। ୮ମାସ ତଳେ ଗତ ନିର୍ବାଚନରେ ଦେଖା ଦେଇଥିବା ଭୋଟ ଅସଙ୍ଗତିକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟ ଦେଇ ଉତ୍ତର ମାଗିଥିଲା ବିଜେଡି। ହେଲେ ଏନେଇ ଏପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ। ତେଣୁ ମାମଲାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ବିଜେଡି ନେତା କହିଥିଲେ। ଏହାପରେ ଆସନ୍ତା ୧୯ତାରିଖରେ ନିଜ ଅଭିଯୋଗ ସଂପର୍କିତ ତଥ୍ୟ ସହ ହାଜର ହେବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।
ବିଜେଡିର ଅଭିଯୋଗ କଣ?
ରାଜ୍ୟର ସବୁ ସଂସଦୀୟ କ୍ଷେତ୍ରରେ ଇଭିଏମରେ ପଡିଥିବା ଭୋଟ୍ ସଂଖ୍ୟା ଅପେକ୍ଷା ଗଣତି ହୋଇଥିବା ଭୋଟ୍ ସଂଖ୍ୟା ଅଧିକ ରହିଥିବା ବିଜେଡି ଅଭିଯୋଗ କରୁଛି। ସେହିପରି ସଂସଦ କ୍ଷେତ୍ରର ଭୋଟ୍ ସଂଖ୍ୟା ଅପେକ୍ଷା ଏହା ଅଧୀନରେ ଆସୁଥିବା ବିଧାନସଭାର ମୋଟ୍ ଭୋଟ ସଂଖ୍ୟା ମଧ୍ୟରେ ତାରତମ୍ୟ ରହିଥିବା ଦଳ କହିଥିଲା। ଏହାସହ ନିର୍ବାଚନ ସମୟ ସରିବା ପରେ 7ରୁ 30 ପ୍ରତିଶତ ଭୋଟ୍ ପଡିଥିଲା। ଗତବର୍ଷ ଡିସେମ୍ବର ମାସରେ ଏନେଇ ଅଭିଯୋଗ ଦାଖଲ କରି ଉତ୍ତର ମାଗିଥିଲା ବିଜେଡି। ଏହାସହ ଭୋଟର ତାଲିକା ପ୍ରସ୍ତୁତିରୁ ଭୋଟ୍ ଗଣତି ପର୍ଯ୍ୟନ୍ତ ପୂରା ପ୍ରକ୍ରିୟାର ଅଡିଟ୍ କରିବାକୁ କହିଥିଲା।
କେବଳ ଅଭିଯୋଗ ନା ମାହୋଲ ବନାଇବେ?
ଭୋଟ୍ ଚୋରି ପ୍ରସଙ୍ଗ ଉଠାଇ ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ରାହୁଲ ଗାନ୍ଧୀ। ଏହାପରେ କଂଗ୍ରେସ ଭୋଟ୍ ଚୋରି ଉପରେ ଏକ ଓ୍ବେବ ପେଜ ଆରମ୍ଭ କରିଛି। କଂଗ୍ରେସ ସମେତ ପୂରା ବିରୋଧୀ ମେଣ୍ଟ ଭୋଟ୍ ଚୋରି ପ୍ରସଙ୍ଗରେ ରାଜନୈତିକ ଚାପ ସାଙ୍ଗକୁ ଜନଆନ୍ଦୋଳନ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ବି ବିଜେଡିର ପ୍ରସଙ୍ଗ ଭୋଟ୍ ତାରତମ୍ୟ। ଏଠିବି ନିର୍ବାଚନ କମିଶନଙ୍କ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ହେଲେ ବିଜେଡି ଏହି ପ୍ରସଙ୍ଗକୁ ଏପର୍ଯ୍ୟନ୍ତ ଜନଆନ୍ଦୋଳନ କରିବାକୁ ଉଦ୍ୟମ କରିନି। ପୂର୍ବରୁ ମଧ୍ୟ ବିଜେଡି ନେତା କେବଳ ପ୍ରେସମିଟରେ ଅଭିଯୋଗ କରି ନିରବ ରହିଛନ୍ତି। ଜାତୀୟ ରାଜନୀତିରେ ପ୍ରସଙ୍ଗ ଗରମ ଥିବା ବେଳେ ପ୍ରଶ୍ନ ଉଠୁଛି, ବିଜେଡି ମତଦାନ ସ୍ବଚ୍ଛତାକୁ ପ୍ରସଙ୍ଗ କରିବ କି?
24ବର୍ଷ ଧରି ରାଜ୍ୟରେ ଶାସନରେ ଥିବା ବେଳେ ବିଜେଡି ରାଜ୍ୟ ବିଜେପିକୁ ବିରୋଧ କରିଥିଲେ ମଧ୍ୟ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କୁ ସମର୍ଥନ କରିଛି। ବିରୋଧୀ ସିଟରେ ବସିବା ପରେ ବି ଓ୍ବାକଫ ଗୁଗଲି ମାରିଛି ଦଳ। ଦିଲ୍ଲୀରେ ଭୋଟ୍ ଚୋରିକୁ ନେଇ ବିରୋଧୀ ହୁଲୁସ୍ତୁଲୁ କରୁଥିବା ବେଳେ ବିଜେଡି ସୁରକ୍ଷିତ ଦୂରତା ରକ୍ଷା କରିଛି। ଏଭଳି ସ୍ଥିତିରେ ଭୋଟ୍ ତାରତମ୍ୟ ପ୍ରସଙ୍ଗକୁ ବିଜେଡି କେତେ ଆଗକୁ ନେବ ? ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ? ତାଉପରେ ନଜର ରହିବ।
Comments are closed.