Latest Odisha News

ଆସନ୍ତାକାଲି ୨୭ ବର୍ଷରେ ପଦାର୍ପଣ କରିବ ବିଜେଡି, ସେବା ଓ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶପଥ ନେବ ଦଳ

ଭୁବନେଶ୍ବର: ଆସନ୍ତାକାଲି ୨୭ ବର୍ଷରେ ପଦାର୍ପଣ କରିବ ବିଜୁ ଜନତା ଦଳ । ବିଜେଡି ତାର ୨୭ ତମ ପ୍ରତିଷ୍ଠା ଦିବସକୁ ରାଜ୍ୟବ୍ୟାପି ପାଳନ କରିବାକୁ ବଡ଼ ଯୋଜନା କରିଛି । ଏହି ଅବସରରେ ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ସହିତ କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ସାଇକେଲ ରାଲି କରିବ ବିଜେଡି ।

ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ନବୀନ ଓଡ଼ିଶା ଗଢିବା ନେଇ ଜନସାଧାରଣଙ୍କ ସେବା ଓ ବିକାଶକୁ ଅଧିକ ତ୍ବରାନ୍ବିତ କରିବାକୁ ଶପଥ ନେବେ ବିଜେଡି କର୍ମୀ ଓ ନେତା ।

ଆସନ୍ତାକାଲି (ମଙ୍ଗଳବାର) ସକାଳ ୮ ଟା ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା କରାଯିବ । ଏହାପରେ ବିଜୁ ପଟ୍ଟନାୟକ ପାର୍କ ରେ ସାଇକେଲ ରାଲି ପହଞ୍ଚିବା ପରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯିବ । ପରେ ଶଙ୍ଖ ଭବନରେ ଫ୍ଲାଗ ହୋଷ୍ଟିଂ କରାଯିବ ।

ଦଳ କୁ ୨୬ ବର୍ଷ ପୂରୁଥିବାରୁ ଶଂଖ ଭବନ ସମେତ ବିଭିନ୍ନ ସ୍ଥାନରେ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ବିଜୁ ଯୁବ ଜନତା ଦଳ ପକ୍ଷରୁ ୨୬ ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ଶଙ୍ଖ ଭବନରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି ।

Leave A Reply

Your email address will not be published.