Latest Odisha News

BREAKING NEWS

ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିର କାଉଣ୍ଟର ଆଟାକ୍

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ କାଉଣ୍ଟର ଆଟାକ୍ କଲା ବିରୋଧି ବିଜେଡି । ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦେଇଥିବା ବକ୍ତବ୍ୟକୁ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ଛତିଶଗଡର ବେଆଇନ କାମ ବିରୋଧରେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ ସିଡବ୍ଲ୍ୟୁସିଙ୍କ ନିକଟରେ ବାରମ୍ବାର ପୂର୍ବତନ ଓଡିଶା ସରକାର ଦୃଷ୍ଟି ଆକର୍ଷଣ କରିଥିଲେ । ଏପରିକି ତତ୍କାଳୀନ ଜଳସଂପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୧୬ରେ ଦିଲ୍ଲୀରେ ବସିଥିବା ବୈଠକରେ ଛତିଶଗଡର ବେଆଇନ କାମକୁ ଅଟକାଇବା ପାଇଁ ଶ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ ଦାବି ରଖିବା ସତ୍ତ୍ୱେ ମଧ୍ୟ କୈଣସି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇନଥିଲା । ସେତେବେଳେ ଓଡିଶାର ସ୍ୱାର୍ଥକୁ ସଂପୂର୍ଣ୍ଣ ଅଣଦେଖା କରିଥିଲେ କେନ୍ଦ୍ର ସରକାର ।

ଛତିଶଗଡର ଅନଧିକାର ବ୍ୟାରେଜ୍ ନିର୍ମାଣ ବିରୋଧରେ ସମସ୍ତ ଫୋରମରେ ଆଲୋଚନା ପରେ ଯେତେବେଳେ ସୁଫଳ ମିଳିଲାନି, ସେତେବେଳେ ରାଜ୍ୟ ସରକାର ସମାଧାନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ । ଟ୍ରିବ୍ୟୁନାଲ ଗଠନରେ ମଧ୍ୟ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଶେଷରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଲା । ଏଥିରେ ଓଡିଶା ପକ୍ଷରୁ ସମସ୍ତ ଦଲିଲ୍ ଉପସ୍ଥାପନ କରାଯାଇ ପକ୍ଷ ରଖାଯାଇଛି । ଟ୍ରିବ୍ୟୁନାଲର ଅବଧି ଏବେ ୨୦୨୬ ଏପ୍ରିଲ ପର୍ଯ୍ୟନ୍ତ ବଢାଯାଇଛି । ମହାନଦୀକୁ ନେଇ ଓଡିଶା ସରକାର କିଛି କରିନଥିଲେ । ଏଭଳି ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିବା ବଦଳରେ ସମସ୍ୟାର ସମାଧାନ ପାଇଁ ବିଜେପି ସରକାର ଉଦ୍ୟମ କରିବା ଦରକାର । ମହାନଦୀ ପ୍ରସଙ୍ଗରେ ବିଜେଡି ସଂପୂର୍ଣ୍ଣ ସଚେତନ ରହିଛି । ଆଉ ମହାନଦୀ ଅବବାହିକା ଅଧିବାସୀଙ୍କ ସ୍ୱାର୍ଥ ହାସଲ ପାଇଁ ବିଜେଡି ସଂପୂର୍ଣ୍ଣ ସଜାଗ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

 

Leave A Reply

Your email address will not be published.