ଭୁବନେଶ୍ବର: ବିଜେଡି ହାରିବା ପରଠୁ ବିଜେଡି ଭିତରି କନ୍ଦଳ ଦାଣ୍ଡରେ ପଡିଥିବା ବେଳେ ଓ୍ବାକଫ୍ ଆଇନକୁ ନେଇ ବିଜେଡିର ମତ ପରେ ଏହା ଆହୁରି ତେଜିଛି । ପରସ୍ପର ପ୍ରତି ବେଶୀ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ବିଜେଡି ନେତା । କେହି କାହାରିକୁ ଛାଡୁ ନାହାନ୍ତି । ଏମିତିକି ଦଳର ସଭାପତି ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଣି ଆଉ ଦୁଇ ବିଜେଡି ନେତା ମୁହାଁମୁହିଁ ହୋଇଛନ୍ତି ।
ବିଜେଡି ରାଜ୍ୟସଭା ସାଂସଦ ସୁଲୋତା ଦେଓଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ପୁଣି ଆଉ ଏକ ବିବାଦ ଛିଡା ହୋଇଛି । ସୁଲତାଙ୍କ ପୋଷ୍ଟକୁ ନେଇ ତାଙ୍କୁ କଡା ସମାଲୋଚନା କରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । କହିଛନ୍ତି, ମୁଁ କେବେ ଦଳକୁ ଆସିଛି ସେ କେବେ ଆସଛନ୍ତି ଫରକ ଅଛି । ନବୀନ ପଟ୍ଟନାୟକ କହିବା ପରେ ଆମର କାହାର ଅଧିକାର ନାହିଁ । ଦଳର ସଭାପତି ବିଚାର କରିବେ ବୋଲି କହିବା ପରେ ଏଭଳି ଟ୍ବିଟ୍ କରି, ଜଣେ ଜୁନିୟର ହୋଇକି ଦଳର ଶୃଙ୍ଖଳା ଭଙ୍ଗ କରୁଛନ୍ତି ସୁଲତା । ଘଟଣା ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ନିଆଯାଇଛି, ସେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଦେବଶିଷ ।
ତେବେ କହିରଖୁଛୁ, ଗତକାଲି ସୋସିଆଲ ମିଡିଆରେ ପୋଷ୍ଟରେ ସୁଲତା ଦେଓ ସସ୍ମିତ ପାତ୍ରଙ୍କୁ ସମର୍ଥନ କରିବା ସହ ମୁନା ଖାଁଙ୍କୁ ଟାର୍ଗେଟ୍ କରିଥିଲେ । ଲେଖିଥିଲେ, ବିବେକାନୁମୋଦିତ ଭୋଟ୍ ଦେବା ପାଇଁ ଗତ ୭ ତାରିଖରେ ନବୀନ ପଟ୍ଟନାୟକ ସିଧା ଶବ୍ଦରେ କହିଥିଲେ । ମୁନା ଖାଁ ଓ ତାଙ୍କ ସହ ଆସିଥିବା ଦେବାଶିଷ ସାମନ୍ତରାୟଙ୍କ ସମର୍ଥକଙ୍କୁ ମଧ୍ୟ ନବୀନ ଏକଥା ସିଧା କହିଥିଲେ ।
ଏଥିସହିତ ପୂର୍ବରୁ ମଧ୍ୟ ଏକସରେ ଦେବାଶିଷଙ୍କୁ ଟାର୍ଗେଟ କରିଥିଲେ ସୁଲତା । ସୁଲତା କହିଥିଲେ, ପୁଲବାମା ସହିଦ ମନୋଜ କୁମାର ବେହେରାଙ୍କ କକାଙ୍କୁ ଦେବାଶିଷ ସାମନ୍ତରାୟ ଧକ୍କା ମାରିବା ପରେ କ୍ଷମା ମାଗିବାକୁ ପାଣ୍ଡିଆନ ସେତେବେଳେ ଚାପ ପକାଇଥିଲେ । ଯାହା ଫଳରେ ଦେବାଶିଷଙ୍କ ରାଗ ପାଣ୍ଡିଆନଙ୍କ ଉପରେ ଥିଲା । ପୁନଶ୍ଚ ପାର୍ଲିଆମେଣ୍ଟରେ ଭୋଟ୍ ଦାନ ରାତିରେ କୌଣସି କାରଣରୁ ଦେବାଶିଷ ସାମନ୍ତରାୟ ଶୋଇ ପଡିବାରୁ ନିଜ ଭୁଲ ଲୁଚାଇବାକୁ ଯାଇ ଅନ୍ୟକୁ ଦୋଷ ଦେଉଛନ୍ତି । ଆମ ଦଳର ମନ୍ଦିର ନବୀନ ନିବାସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି । ଏଥିରୁ ସେ ନିବୃତ୍ତ ରହିବାକୁ ଅନୁରୋଧ କରୁଛି ବୋଲି ଏକ୍ସରେ ଲେଖିଥିଲେ ସୁଲତା ।
ଯାହାକୁସବୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ସାମନ୍ତରାୟ ।
Comments are closed.