ନବରଙ୍ଗପୁର: ପୁଣି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ବିଜେଡି ରାଜ୍ୟସଭା ସାଂସଦ ମୁନାଁ ଖାଁଙ୍କ ବୟାନ । ବିଜେପିର ୧୪ ବିଧାୟକ କାଳେ ବିଜେଡି ଲିଙ୍କରେ ଅଛନ୍ତି ବୋଲି ଦାବି କରିଛନ୍ତି ମୁନା । ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ନବରଙ୍ଗପୁରରେ ଆୟୋଜିତ ଏକ ପଦଯାତ୍ରାରେ ସାମିଲ ହୋଇ ବିଜେପି ଓ ବିଜେଡିା ଭବିଷ୍ୟତ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ।
ସେ କହିଛନ୍ତି, ବିଜେଡି ସରକାରକୁ ଆସିବା ପାଇଁ ଆମକୁ ୫ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡ଼ି ନ ପାରେ। ବିଜେପି ପାଖରେ ପ୍ରାର୍ଥୀ ନ ଥିଲେ। ଆମର ଅଧିକାଂଶ ଲୋକ ସେଠି ଅଛନ୍ତି । ସମୟକୁ ଅପେକ୍ଷା କରନ୍ତୁ । ଖାଲି ସେତିକି ନୁହେଁ ବିଜେପି ନେତା ବିଜେଡି ଲିଙ୍ଗରେ ଅଛନ୍ତି ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି, ମୁଁ ସଭାରେ କହିଛି ଭାଜପା ବିଧାୟକ ବିଜେଡି ସହ ଲିଙ୍କ୍ରେ ଅଛନ୍ତି । ନିର୍ବାଚନ ପୂର୍ବରୁ ବିଜେଡି ଛାଡି ୨୨ ନେତା ଭାଜପାରେ ଯୋଗ ଦେଇଥିଲେ। ଏବେ ସେମାନେ ଭାଜପା ଟିକେଟ ପାଇ ବିଧାୟକ ହୋଇଛନ୍ତି। ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍ରେ ଅଛନ୍ତି।ସେ ଆହୁରି କହିଛନ୍ତି, ଭାଜପା ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି। ତେଣୁ ସରକାରଙ୍କୁ ନେଇ ସବୁଠି ଅସନ୍ତୋଷ । ଫଳରେ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ ମିଳିବା ନିଶ୍ଚିତ। କାରଣ ଏବେ ମଧ୍ୟ ୯୦ପ୍ରତିଶତ ବ୍ଲକ ଏବଂ ଜିଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି।
ଏଥିସହିତ ବିଜେପି ନେତା ଜୟନାରାୟଣଙ୍କ ବିଜେଡି ଭାଙ୍ଗିବା ବୟାନ ଉପରେ ପ୍ରତିକ୍ରିୟା ଦେଇ ମୁନା କହିଛନ୍ତି, ଜୟନାରାୟଣ ମିଶ୍ର ମୋ ବଡ ଭାଇ । ସାନ ଭାଇ ହିସାବରେ ତାଙ୍କୁ ପରାମର୍ଶ ଦେବି, ଦଳ ତାଙ୍କ ବିଷୟରେ ଚିନ୍ତା କଲା ନାହିଁ, ସେ କାହିଁକି ଦଳ ବିଷୟରେ ଚିନ୍ତା କରୁଛନ୍ତି । ସେ କଉଁଠି ରହିବା କଥା, ଆଉ ଏବେ ସେ ଦଳରେ କେଉଁଠି ଅଛନ୍ତି । ତେଣୁ ଖାଲିଟାରେ ଦଳ କଥା ଭାବି ଜୟନାରାୟଣ ତାଙ୍କ ବିପି ବଢାନ୍ତୁନି ବୋଲି କହି କଟାକ୍ଷ କରିଥିଲେ ମୁନା ।
ଯାହାର ଜବାବରେ ମୁନାଙ୍କୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ଆଗାମୀ ଶତାବ୍ଦୀ ଯାଏଁ ବିଜେଡି କ୍ଷମତାକୁ ଆସିବନି । ମୁନା ଖାଁ ଦିନରେ ଚେଇଁକି ସ୍ବପ୍ନ ଦେଖୁଛନ୍ତି । ସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ । ବିଜେଡିର ଆୟୁଷ ବୟୁତ କମ୍ । ସରକାର ତ ଦୂରର କଥା । ୨୦୨୯ ବେଳକୁ ବିଜେଡି ନଥିବ ବୋଲି କହିଛନ୍ତି ଜୟନାରାୟଣ । ଏମିତି କହି ବିଜେଡି ନେତା ଖାଲି ତାଙ୍କ ମୁଖିଆଙ୍କୁ ଖୁସି କରିବାକୁ ଚାହୁଁଛନ୍ତି । ଏଥିସହିତ ସେ କହିଛନ୍ତି, ମୁଁ ମୋ ନିଜ କଥା ବୁଝିବି, ମୁନା ଖାଁଙ୍କ ମୋ ପାଇଁ ମୁଣ୍ଡ ବ୍ୟଥା କାହିଁକି ହେଉଛି ବୋଲି କହି କଡା ଜବାବ ଦେଇଛନ୍ତି ।