Latest Odisha News

BREAKING NEWS

ବଡ ଘରର ବଡ଼ ଗୁମର କଥା: କୋର୍ଟରେ ହାଜର ହେଲେନି ଶଶି ବେହେରା

ବାଙ୍କୀ: ଏଥର ବି କୋର୍ଟରେ ହାଜର ହେଲେନି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା । ବୋହୂକୁ ନିର୍ଯାତନା ଦେଉଥିବା ଅଭିଯୋଗରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ଯ ସେ ଆଜି କୋର୍ଟରେ ହାଜର ହୋଇନାହାନ୍ତି। ପୁଅ ସତ୍ୟଭୂଷଣ ବେହେରା କୋର୍ଟରେ ହାଜର ହୋଇଥିଲେ ମଧ୍ଯ କୋର୍ଟରେ ହାଜର ହୋଇନଥିଲେ ଶଶି । ତେଣୁ ଶଶିଙ୍କ ହାଜର ପାଇଁ ପୁଣି ଏକ ତାରିଖ ଧାର୍ଯ୍ୟ କରିଛନ୍ତି ଏସ୍‌ଡିଜେଏମ୍‌ କୋର୍ଟ।

ସୂଚନାଯୋଗ୍ୟ ଯେ, ଶଶୁରଘର ଲୋକ ଟଙ୍କା ଏବଂ ସୁନା ଗହଣା ଆଣିବାକୁ ଚାପ ପକାଇବା ସହ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ଗତବର୍ଷ ମେ ୧୭ ତାରିଖରେ ବାଙ୍କି ଥାନାରେ ଅଭିଯୋଗ କରିଥିଲେ ବୋହୂ ରୋନାଲି ବେହେରା। ୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ ଧୁମଧାମର ସହ ବିଧାୟକ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କୁ ବିବାହ କରିଥିଲେ ରୋନାଲି। ତାରକା ହୋଟେଲରେ ବିବାହର ଆୟୋଜନ କରିବାକୁ ଶଶୁରଘର ଲୋକ ଚାପ ପକାଇଥିବା ରୋନାଲି ଅଭିଯୋଗ ମଧ୍ୟ କରିଥିଲେ।

ରୋନାଲିଙ୍କ କହିବା ଅନୁସାରେ, ବିବାହ ପୂର୍ବରୁ କାଠ ଆସବାବପତ୍ର ନଆଣି ତା’ ବାବଦକୁ ଟଙ୍କା ଦେବାକୁ କୁହାଯାଇଥିଲା। ବିବାହର ମାତ୍ର ୧୦/୧୨ ଦିନ ପରେ ତାଙ୍କୁ ବାପାଙ୍କ ଘରୁ ଟଙ୍କା ଏବଂ ସୁନା ଗହଣା ଆଣିବାକୁ ଚାପ ପକାଯାଇଥିଲା। ତାଙ୍କୁ ଶାରୀରିକ ଏବଂ ମାନସିକ ଭାବେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ ରୋନାଲି।

ଆଜି କୋର୍ଟରେ ହାଜର ହେବାକୁ ଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ଶଶି ବେହେରା କୋର୍ଟରେ ହାଜର ହୋଇନାହାନ୍ତି । ଅନ୍ୟପଟେ କୋର୍ଟ ଜୁଲାଇ ୧୦ରେ ପରବର୍ତ୍ତୀ ମାମଲାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । ବଡ ଘରର ବିବାଦ ଏବେ କୋର୍ଟରେ ପହଂଚିଥିବାରୁ ସେଥିରୁ କଣ ରାୟ ଆସୁଛି, ତା ଉପରେ୍ ସମସ୍ତଙ୍କ ନଜର ରହିଛି ।

Comments are closed.