Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ରାଜଭବନ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ଓଡ଼ିଶା ସରକାର ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି । ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ହେବା ପରେ ବି ରାଜ୍ୟସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ପରିବର୍ତନ କରି “ମୋ ଆବାସ” ନାମରେ ଯୋଜନା କରିଥିବା ବିଜେପି ଅଭିଯୋଗ କରିଛି ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ଚୌହାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ପ୍ରଧାନମନ୍ତ୍ରୀ ଆବାସ ଯୋଜନାକର ନାଁ କାଟି ରାଜ୍ୟସରକାର ବିଜ୍ଜୁ ପକ୍କାଘର କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ୨୦୧୮ ସର୍ଭେ ଅନୁଯାୟୀ ୪ ଲକ୍ଷ ଘରର କାର୍ଯ୍ୟଦେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ବଂଟନ କରି ଗାଇଡ ଲାଇନ ଅନୁଯାୟୀ କାର୍ଯ୍ୟାଦେଶ ହେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫଳକ ଲଗାଯିବାର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟସରକାର ଏହାକୁ ନିଜ ଲୋଗରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବିଜୁ ପକ୍କା ଘରର ଫଟୋ ଲଗାଇ ମୋ ଆବାସ ଲେଖି କାର୍ଯ୍ୟାଦେଶ ବଂଟନ କରୁଛନ୍ତି । ସେହିପରି ସମସ୍ତେ ଘର ପାଇବେ ବୋଲି ଯେଉଁ ସର୍ଭେ ଚାଲିଛି ସେଥିରେ ମଧ୍ୟ ଚଂଚକତା ରହିଛି । ତାର ଯେଉଁ ବିଜ୍ଞାପନ ବାହାରିଲା ସେ ବିଜ୍ଞାପନରେ ଗୋଟିଏ କୌଣସି ଜାଗାରେ ଲେଖା ହୋଇନି ଯେ,ଏଠି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ହେଉଛି” ।

ଆହୁରି ମଧ୍ୟ ଶ୍ରୀ ହରିଚନ୍ଦନ ଏସମ୍ପର୍କରେ ଅଭିଯୋଗକରି କହିଛନ୍ତି, “ସର୍ଭେ ହେଲା ପରେ ଯେଉଁ ପ୍ରାରମ୍ଭିକତା ତାଲିକା ଆସିଛି ତାହାପରେ ପରବର୍ତୀ ପ୍ରକ୍ରିୟାଟି ହେଉଛି ଘରର ଫଟୋ ଉଠାଇ ଜିଓ ଟାଗିଙ୍ଗ୍ କରିବା କଥା । କିନ୍ତୁ ଶାସକ ଦଳର ବିଧାୟକ ପଂଚାୟତ ଏକଜ୍ୟୁଟିଭ୍, ଜିଆରଏସ୍ ମାନଙ୍କୁ ଧରି କେବଳ ବିଜୁ ଜନତାଦଳର କର୍ମୀ ଓ ସମର୍ଥକମାନଙ୍କ ଘର ଜିଓ ଟାଗିଙ୍ଗ୍ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ” ।

ଏହା ବିରୁଦ୍ଧରେ ଗତ ୨୭ ତାରିଖରେ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ, ଏନ୍ଏସି, ମ୍ୟୁନିସିପାଲିଟି କର୍ପୋରେସନ୍ ଆଗରେ ବିକ୍ଷୋଭ କରବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଡିଓଙ୍କୁ ଦେବା ପରେ ବି ରାଜ୍ୟସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି । କେନ୍ଦ୍ରୀୟ ଯୋଜନା ହଡପ ନେଇ ରାଜ୍ୟ ସରକାରଙ୍କ ଚଂଚକତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.