BJP and Congress clash: ମୁହାଁମୁହିଁ ହେଲେ କଂଗ୍ରେସ ଏବଂ ବିଜେପି କର୍ମୀ; ଲାଠି, ବାଡି ଧରି ପରସ୍ପରକୁ କଲେ ଆକ୍ରମଣ….
ପାଟନା: ବିହାର ପାଟନାରେ କଂଗ୍ରେସ ମୁଖ୍ୟାଳୟରେ ବିଜେପି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମହା ସଂଘର୍ଷ ଦେଖିବାକୁ ମିଳିଛି । ପରସ୍ପର ଉପରେ ଠେଙ୍ଗା ବାଡି ଧରି ମାଡ଼ କରିଛନ୍ତି ଦଳୀୟ କର୍ମୀ । ବିଜେପି ଅଭିଯୋଗ କରିଛି ଯେ ପ୍ରଦର୍ଶନ ସମୟରେ କଂଗ୍ରେସ କର୍ମୀମାନେ ପଥର ଫିଙ୍ଗିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଅଶାଳୀନ ମନ୍ତବ୍ୟ ବିରୋଧରେ ବିଜେପି କର୍ମୀମାନେ ବିହାର କଂଗ୍ରେସ ମୁଖ୍ୟାଳୟରେ ପ୍ରତିବାଦ କରୁଥିବା ସମୟରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଏହି ସଂଘର୍ଷ ହୋଇଥିଲା।
ଫଳରେ ସ୍ଥିତି ଅଣାୟତ୍ତ ହେବାରୁ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପାଟନା ପୋଲିସକୁ ହାଲୁକା ବଳ ପ୍ରୟୋଗ କରିବାକୁ ପଡିଥିଲା। ପୋଲିସ ଘଟଣାସ୍ଥଳରୁ ବିଜେପି ଏବଂ କଂଗ୍ରେସ କର୍ମୀଙ୍କୁ ହଟାଇ ପରିସ୍ଥିତି ନିୟନ୍ତ୍ରଣ କରିଥିଲା।
ଯାହାକୁ ନେଇ ବିହାର ସରକାରଙ୍କ ମନ୍ତ୍ରୀ ନୀତିନ ନବୀନ କହିଛନ୍ତି ଯେ ମୁଁ କଂଗ୍ରେସ ନେତାମାନଙ୍କୁ ଚେତାବନୀ ଦେଉଛି। ତୁମେ ମା’ଙ୍କୁ ଅପମାନିତ କରିଛ, ବିହାରର ପ୍ରତ୍ୟେକ ପୁଅ ତୁମକୁ ଏହାର ଜବାବ ଦେବ। ତୁମେ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛ, ପ୍ରତ୍ୟେକ ବିଜେପି କର୍ମୀ ଏହାର ପ୍ରତିଶୋଧ ନେବେ… ଆମେ ପ୍ରତିବାଦ କରିବାକୁ ଆସିଥିଲୁ। ଏହା ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଥିଲା । କିନ୍ତୁ କଂଗ୍ରେସ କାର୍ଯ୍ୟାଳୟ ଭିତରୁ ଇଟା ଏବଂ ପଥର ଫିଙ୍ଗାଯାଉଛି । ବିଜେପି କର୍ମୀମାନେ ବନ୍ଧୁକ ଏବଂ ଇଟାକୁ ଭୟ କରନ୍ତି ନାହିଁ… ଆମେ ମା’ଙ୍କ ଅପମାନର ପ୍ରତିଶୋଧ ନେବୁ ।
ଅନ୍ୟପଟେ କଂଗ୍ରେସ କର୍ମୀ ଡକ୍ଟର ଆଶୁତୋଷ କହିଛନ୍ତି ଯେ ଏହାର ଉଚିତ ଜବାବ ଦିଆଯିବ… ଏସବୁ ସରକାରଙ୍କ ସମ୍ପୃକ୍ତି ସହିତ ଘଟୁଛି। ନୀତିଶ କୁମାର ଯେଉଁ କାମ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ।
ତେବେ କହିରଖୁୁଛୁ, ବୁଧବାର (୨୭ ଅଗଷ୍ଟ) ଦରଭଙ୍ଗାରେ ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବଙ୍କ ଭୋଟର ଅଧିକାର ରାଲି ସମୟରେ ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥିଲା। ତଥାପି, ଏହି ସମୟରେ ରାହୁଲ କିମ୍ବା ତେଜସ୍ୱୀ ମଞ୍ଚରେ ଉପସ୍ଥିତ ନଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। କଂଗ୍ରେସ ଏବଂ ଆରଜେଡିର ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୁକ୍ତଙ୍କୁ ବିହାର ପୋଲିସ ଗିରଫ କରିଛି। ତାଙ୍କୁ ରିଜଭି ଓରଫ ରାଜା ଭାବରେ ଚିହ୍ନଟ କରାଯାଇଛି, ଯିଏ ଦରଭଙ୍ଗାର ବାସିନ୍ଦା। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଏବଂ ଆରଜେଡିର ତୀବ୍ର ସମାଲୋଚନା କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ବିହାରର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସ୍ୱର୍ଗତ ମା’ଙ୍କ ପାଇଁ କଂଗ୍ରେସ ଏବଂ ଆରଜେଡିର ମଞ୍ଚରୁ ଯେଉଁଭଳି ଅପମାନଜନକ ଭାଷା ବ୍ୟବହାର କରାଯାଇଥିଲା, ତାହା କେବଳ ନିନ୍ଦନୀୟ ନୁହେଁ, ବରଂ ଆମ ଗଣତନ୍ତ୍ରକୁ ମଧ୍ୟ କଳଙ୍କିତ କରୁଛି ବୋଲି ଶାହ କହିଛନ୍ତି ।
Comments are closed.