Latest Odisha News

ନିଲମ୍ବିତ ହେଲେ ଅଧ୍ୟାପକ, ମନ୍ତ୍ରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ?

ଭୁବନେଶ୍ୱର: ପଦ୍ମପୁରରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ହେଲେ ୧୯ ତାରିଖ ଦିନ ସରକାରୀ କଲେଜର ଅଧ୍ୟାପକଙ୍କୁ ଡାକି ଉଚ୍ଚ ଶିକ୍ଷାମନ୍ତ୍ରୀ ଏକ ବୈଠକ କରିଥିଲେ। ଯାହାକୁ ନେଇ ବିଜେପି ଆପତ୍ତି ଉଠାଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା। ଘଟଣାର ତଦନ୍ତ କରି ବରଗଡ ଜିଲ୍ଲା ନିର୍ବାଚନ ଅଧିକାରୀ ବା ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଉ ତିନି ଅଧ୍ୟାପକଙ୍କୁ ନିଲମ୍ବନ କରିଛନ୍ତି। ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କାର୍ଯ୍ୟାନୁଷ୍ଠାନକୁ ସ୍ବାଗତ କରିଥିବା ବେଳେ ମନ୍ତ୍ରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶ୍ନ କରିଛନ୍ତି।

ସରକାରୀ କର୍ମଚାରୀମାନଙ୍କୁ ରାଜନୈତିକ କାର୍ଯ୍ୟ କରିବାକୁ ଅନୁମତି ନାହିଁ ଏଥିରୁ ନିବୃତ ରହିବାକୁ ଲେଖାଶ୍ରୀ ଲେଖାଶ୍ରୀ କହିଛନ୍ତି। ଯଦି ସରକାରୀ କର୍ମଚାରୀମାନେ ବିଜୁ ଜନତା ଦଳ କଥାରେ ପ୍ରଭାବିତ ହୁଅନ୍ତି ତାହାଲେ ସରକାରୀ ଶିକ୍ଷକ କୃଷ୍ଣ ମୋହନ ପଣ୍ଡା, ବିନୟ ରଞ୍ଜନ ପଣ୍ଡା, ସୁଧୀର ରଥଙ୍କ ଭଳି ଦଣ୍ଡିତ ହୋଇ ଚାକିରୀ ହରାଇବେ ବୋଲି ଲେଖାଶ୍ରୀ କହିଛନ୍ତି।

ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ବୋଲି ଲେଖାଶ୍ରୀ କହିଛନ୍ତି। ଜଣେ ମନ୍ତ୍ରୀ ଯଦି ଆଚରଣ ବିଧି ଉଲ୍ଲଂଘନ କରି ବୈଠକ ଡାକିବେ ତାହେଲେ ନିଶ୍ଚିତ ସମସ୍ତେ ଆସିବେ। ତେଣୁ ତିନି ଅଧ୍ୟାପକଙ୍କୁ ନିଲମ୍ବିତ କରିଦେଲେ କାର୍ଯ୍ୟାନୁଷ୍ଠାନ ହୋଇନି ବରଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତଡ଼ିପାର କରାଯାଉ ବୋଲି ସେ ଦାବି କରିଛନ୍ତି। ଏମିତିକି ନିର୍ବାଚନ ଶେଷ ନହେଲା ଯାଏ ଯେପରି ରୋହିତ ପୂଜାରୀ ରହିନପାରିବେ ସେ ଦିଗରେ ପଦକ୍ଷେପ ନିଆଯିବା ଦରକାର ବୋଲି କହିଛନ୍ତି।

ତେବେ ଅନ୍ୟ ଏକ ଘଟଣାରେ ଆଜି ପ୍ରତିକ୍ରିୟା ରଖି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି। ପଦ୍ମପୁର ଉପନିର୍ବାଚନରେ ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାଳିଚରଣ ଦୁବେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନୀରଞ୍ଜନ ପୂଜାରୀ, ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂବରିହା, ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଓ ପ୍ରଚାରର ଫଟୋ ପକାଇ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି । ସରକାରୀ କର୍ମଚାରୀ ହୋଇ ଖୋଲାଖୋଲି ଭାବେ ଏକ ରାଜନୈତିକ ଦଳ ପାଇଁ ପ୍ରଚାର କରି ଆଦର୍ଶ ନିର୍ବାଚନ ଆଚରଣ ବିଧି ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ କଣ୍ଡକ୍ଟ ରୁଲକୁ ଉଲ୍ଲଂଘନ କରିଛନ୍ତି ଦୁବେ । ତେଣୁ ଦୁବେଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ତାଙ୍କୁ ନିଲମ୍ବନ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଦାବି କରିଛି।

Leave A Reply

Your email address will not be published.