ନୂଆଦିଲ୍ଲୀ: ମିଛ ଭୋଟର ନେଇ ଦିଲ୍ଲୀରେ ଜୋରଦାର ରାଜନୀତି । ଆମ ଆଦମୀ ପାର୍ଟି ବିରୋଧରେ ମିଛ ଭୋଟର ଅଭିଯୋଗ ଆଣିଲା ବିଜେପି । ଡବଲ୍ ଭୋଟର ମାଧ୍ୟମରେ ଆଗାମୀ ନିର୍ବାଚନରେ ଆପ୍ ଭୋଟ୍ ରିଗିଂ କରିବାକୁ ଉଦ୍ୟମ କରୁଥିବା ଦଳ ଅଭିଯୋଗ କରିଛି । ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କ ନାଁ ଉଭୟ ନୂଆଦିଲ୍ଲୀ ଓ ତିଲକନଗର ବିଧାନସଭା କ୍ଷେତ୍ରର ଭୋଟର ତାଲିକାରେ ରହିଥିବା ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବ ଅଭିଯୋଗ କରିଛନ୍ତି । ଏନେଇ ନିର୍ବାଚନ କମିଶନ ଓ ଦିଲ୍ଲୀ ପୋଲିସ ଧ୍ୟାନ ଦେବାକୁ ସେ କହିଛନ୍ତି । ଏହାର ଜବାବରେ ବିଜେପି କେବଳ ମିଛ କହୁଥିବା ଆପ୍ ସାଂସଦ ସଂଜୟ ସିଂ କହିଛନ୍ତି ।
ଡବଲ୍ ଭୋଟର, ଆପ୍ କରିବ ରିଗିଂ !
ଦିଲ୍ଲୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ଆପ୍ ନାଁରେ ଭୋଟ୍ ରିଗିଂ ଉଦ୍ୟମ ଭଳି ସଂଗୀନ ଅଭିଯୋଗ ଆଣିଛି ବିଜେପି । ୨୦୧୮ରେ ଆପ୍ ନେତା ସଞ୍ଜୟ ସିଂ ରାଜ୍ୟସଭା ସାଂସଦ ହୋଇଥିବା ବେଳେ ସେ ନିଜ ସତ୍ୟପାଠରେ ସେ ହରିନଗର ବିଧାନସଭା କ୍ଷେତ୍ରର ଭୋଟର ବୋଲି ଦର୍ଶାଇଥିଲେ । ଏହାସହ ସୁଲତାନପୁର ମ୍ୟୁନିସିପାଲିଟି ଭୋଟର ତାଲିକାରେ ତାଙ୍କର ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁ ରହିଥିଲା । ଆଗାମୀ ନିର୍ବାଚନ ପାଇଁ ସଞ୍ଜୟ ସିଂଙ୍କ ନାଁ ଉଭୟ ନୂଆଦିଲ୍ଲୀ ଓ ତିଲକନଗର ବିଧାନସଭା ସିଟ୍ ପାଇଁ ଭୋଟର ତାଲିକାରେ ରହିଥିବା ବିଜେପି ଅଭିଯୋଗ କରିଛି । ସେହିପରି ସଞ୍ଜୟ ସିଂଙ୍କ ପତ୍ନୀ ଅନିତା ସିଂଙ୍କ ନାଁରେ ମଧ୍ୟ ଦଳ ଅଭିଯୋଗ ଆଣିଛି ।
ବିଜେପିର ଅଭିଯୋଗ ଆପର ଜବାବ
ବିଜେପିର ଅଭିଯୋଗର ଜବାବରେ ଦଳ କେବଳ ମିଛ କହୁଥିବା ସଞ୍ଜୟ ସିଂ କହିଛନ୍ତି । ଜାନୁଆରୀ ୪ତାରିଖରେ ତାଙ୍କ ପତ୍ନୀ ସୁଲତାନପୁର ଭୋଟର ତାଲିକାରୁ ନାଁ ବାଦ୍ ଦେବାକୁ ସେଠାକାର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିଛନ୍ତି । ସେହିପରି ମ୍ୟୁନିସିପାଲିଟି ଭୋଟର ତାଲିକା ୟୁପି ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀ ପ୍ରସ୍ତୁତ କରନ୍ତି । ନାଁ ବାଦ ଦେବାକୁ ଆବେଦନ କରିବା ସତ୍ତ୍ବେ ଯଦି ତାଙ୍କ ନାଁ ଭୋଟର ତାଲିକାରେ ରହିଛି, ତେବେ ଯୋଗୀ ସରକାରଙ୍କ ଅଧିକାରୀଙ୍କ ଭୁଲ୍ ବୋଲି ସଞ୍ଜୟ ସିଂ କହିଛନ୍ତି । ୨୦୧୮ରେ ସୁଲତାନପୁର ମ୍ୟୁନିସିପାଲିଟି ଭୋଟର ଲିଷ୍ଟରେ ସଞ୍ଜୟ ସିଂଙ୍କ ନାଁ ଥିବା ନେଇ ଅଭିଯୋଗ ଆଣିଛି ବିଜେପି ।
ବିଜେପି-ଆପ୍ ପୋଷ୍ଟର ଓ୍ବାର
ଦିଲ୍ଲୀରେ ବିଜେପି ଓ ଆପ୍ ମଧ୍ୟରେ ଜୋରଦାର ହୋଇଛି ପୋଷ୍ଟର ଓ୍ବାର । ଦିଲ୍ଲୀରେ ଏକ ସ୍ବତନ୍ତ୍ର ସଂପ୍ରଦାୟର ଭୋଟରଙ୍କର ମିଛ ପଂଜୀକରଣ କରାଯାଇଥିବା ବିଜେପି ଅଭିଯୋଗ କରିଛି । ବିଜେପି ପୋଷ୍ଟରରେ ଲେଖିଛି, ଦିଲ୍ଲୀରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନୂଆ ଖେଳ । ଭୋଟ୍ ଜାଲିଆତି କରି କ୍ଷମତା ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । ଘରମାଲିକ ଜାଣିନଥିବା ବେଳେ ତାଙ୍କ ଘର ଠିକଣାରେ ଶହ ଶହ ଭୋଟର ତିଆରି କରାଯାଇଛି । ନୂଆ ଭୋଟରଙ୍କ ବୟସ ୪୦ରୁ ୮୦ ମଧ୍ୟରେ ବୋଲି ବିଜେପି ପୋଷ୍ଟରରେ ଲେଖିଛି । ଏଥିରେ ଓ୍ବେବ ସିରିଜ ସ୍କାମ-୧୯୯୨ ଷ୍ଟାଇଲରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଫଟୋ ଲଗାଇଛି ବିଜେପି । ଜବାବରେ ଆପ୍ ବି ପୋଷ୍ଟର ଜାରି କରିଛି । କେଜ୍ରିଓ୍ବାଲଙ୍କ ଫଟୋ ଲଗାଇ ଗୋଟ୍ ଥିମ ଥିବା ମୋସନ ପୋଷ୍ଟର ପୋଷ୍ଟ କରିଛି ଆପ୍ । ଭିଡିଓରେ ଅଭିନେତା ବିଜୟଙ୍କ ଫିଲ୍ମ ଗୋଟର ଏକ କ୍ଲିପ ଭଳି ସିନରେ କେଜ୍ରିଓ୍ବାଲଙ୍କ ଫଟୋ ଲଗାଯାଇଛି । ବ୍ୟାକଗ୍ରାଉଣ୍ଡରେ ଏକ ସରକାରୀ ହସପିଟାଲ ଓ ସ୍କୁଲ ନଜର ଆସୁଛି । ଏହା ପୂର୍ବରୁ ଫିଲ୍ମ ଭୁଲଭୁଲୟାରେ ଅଭିନେତା ରାଜପାଲ ଯାଦବଙ୍କ ଚରିତ୍ର ଭଳି କେଜ୍ରିଓ୍ବାଲଙ୍କ ଫଟୋ ଥିବା ପୋଷ୍ଟର ଜାରି କରିଥିଲା ବିଜେପି । ଏଥିରେ କେଜ୍ରିଓ୍ବାଲଙ୍କୁ ନିର୍ବାଚନୀ ହିନ୍ଦୁ ବୋଲି ଦର୍ଶାଯାଇଥିଲା ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଆମ ଆଦମୀ ପାର୍ଟି ବିଜେପି ଉପରେ ଭୋଟ୍ କିଣା ଓ ଭୋଟର ତାଲିକା ହେରଫେର କରିବା ନେଇ ପୂର୍ବରୁ ଅଭିଯୋଗ ଲଗାଇଥିଲା । ଏହାପରେ ଡବଲ୍ ଭୋଟର ନାଁରେ ଭୋଟ୍ ରିଗିଂ ତଥା ମିଛ ଭୋଟର ଦ୍ବାରା କ୍ଷମତାକୁ ଆସିବାକୁ ଆପ୍ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଛି ।
Comments are closed.