ଭୁବନେଶ୍ୱର: ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ ସରକାରୀ କାମର ସମୀକ୍ଷା କରିବାକୁ ଯାଇ ଘନ ଘନ ଜିଲ୍ଲା ଗସ୍ତ କରିବା ଏବଂ ସର୍ବସାଧାରଣରେ ଲୋକଙ୍କୁ ଉଦବୋଧନ ଦେବାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କ ସଚିବ ଅନେକ ଜିଲ୍ଲା ଗସ୍ତ କରି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଘୋଷଣା କରୁଛନ୍ତି। ଏପରି ହେବା ଗଣତନ୍ତ୍ର ପ୍ରକ୍ରିୟାର ବିରୋଧ ବୋଲି ବିରୋଧୀ କହିଛନ୍ତି। ଯାହାକୁ ନେଇ ସରକାରଙ୍କୁ ଘେରିଛି ବିରୋଧୀ।
ପାଣ୍ଡିଆନ ତାଙ୍କ କ୍ଷମତାକୁ ଅତିକ୍ରମ କରି ରାଜନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବିଜେପି ଅଭିଯୋଗ କରିଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ କାମ କରୁଛନ୍ତି କି ନାହିଁ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦଳ ଦାବି କରିଛି।
ବିଜେପି ବିଧାୟକ ମୋହନ ମାଝୀ ନିକଟରେ ସଚିବଙ୍କ କେନ୍ଦୁଝର ଗସ୍ତର ଉଦାହରଣ ଦେଇଥିଲେ। ଯେଉଁଥିରେ ସେ କହିଛନ୍ତି, ସରକାରୀ ବାବୁ ଜନସଭାକୁ ଉଦବୋଧନ କରୁଛନ୍ତି। ପାଣ୍ଡିଆନ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଯେଉଁଭଳି ମିନିଟ ଟୁ ମିନିଟ୍ ପ୍ରସ୍ତୁତି ରୁହେ ତାହା ରହୁଛି ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପାଓ୍ୱାର ଅଫ୍ ଆଟର୍ଣ୍ଣି ଘୋଷଣା କରିବାକୁ ମୋହନ ମାଝୀ ପରାମର୍ଶ ଦେଇଛନ୍ତି।
କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଜଣେ ସଚିବ ଏଭଳି ସର୍ବସାଧାରଣ କାର୍ଯ୍ୟରେ ସାମିଲ ହେବା ଅଭୂତପୂର୍ବ। ପାଣ୍ଡିଆନଙ୍କ ଗସ୍ତ ପାଇଁ ସରକାରୀ ସମ୍ବଳର ବ୍ୟବହାର ନେଇ ପ୍ରଶ୍ନ ଉଠାଇଛି ଦଳ।
ତେବେ ଶାସକ ଦଳ ସଚିବଙ୍କ ଗସ୍ତକୁ ସମର୍ଥନ କରି କହିଛି ଯେ ସେ କେବଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି। ଏପରିକି ପାଣ୍ଡିଆନ କୌଣସି ରାଜନୈତିକ କାର୍ଯ୍ୟରେ ଲିପ୍ତ ନଥିବା ଦଳ କହିଛି। କିନ୍ତୁ ବିରୋଧୀ ଦଳଗୁଡ଼ିକ ସରକାରଙ୍କ ଏହି ସ୍ପଷ୍ଟୀକରଣକୁ ଅଗ୍ରାହ୍ୟ କରିଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଚିବଙ୍କ ନା ନନେଇ ଟାର୍ଗେଟ କରିଥିଲେ। ପରେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ଏକ ପ୍ରକାର ବିତର୍କ ଦେଖିବାକୁ ମିଳିଛି।
Comments are closed.