Latest Odisha News

BREAKING NEWS

ବିଦ୍ୟୁତ ବିଭାଗରେ ‘ଦୁର୍ନୀତିର ଗନ୍ଧ’, ସରକାର ବିରୋଧରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶାରେ ବିଜୁଳି ବିତରଣ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରସ ସୋମବାର ବିଜୁ ଜନତା ଦଳ (ବିଜେଡି) ନେତୃତ୍ବାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ବିଦ୍ୟୁତ କ୍ଷେତ୍ରରେ ୧୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା କରାଇବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି,”ରାଜ୍ୟ ସରକାର ରାଜ୍ୟରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ବିକାଶ ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦାବି କରୁଥିବା ବେଳେ ଟାଟା ପାଓ୍ୱାର କହୁଛି ୫ ହଜାର କୋଟି ଟଙ୍କାର ଭିତ୍ତିଭୂମି ଉପଲବ୍ଧ ଅଛି। ଏହାକୁ ବିଗତ ୧୦ ବର୍ଷର ସବୁଠାରୁ ବଡ଼ ଦୁର୍ନୀତି ବୋଲି କହିବା ସହ ଗତ ୧୦ ବର୍ଷ ମଧ୍ୟରେ ଶକ୍ତି ବିଭାଗର ଦାୟିତ୍ୱରେ ଥିବା ସମସ୍ତ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦିଲ୍ଲୀପ ମହାନ୍ତି ଦାବି କରିଛନ୍ତି।

ଓଡ଼ିଶାକୁ ବିଜୁଳି ବଳକା ରାଜ୍ୟ ବୋଲି ବିଜେଡି ସରକାର ଦାବି କରୁଥିବା ବେଳେ ଗ୍ରୀଷ୍ମ ଋତୁରେ ବାରମ୍ବାର ବିଜୁଳି କାଟ କାହିଁକି ହେଉଛି ବୋଲି ବିଜେପି ପ୍ରଶ୍ନ କରିଛି।

ସେପଟେ ରାଜ୍ୟରେ ବିଦ୍ୟୁତ ବିଭ୍ରାଟକୁ ନେଇ ରାଜ୍ୟ ସରକାର ଓ ଟାଟା ପାଓ୍ୱାର ବିରୋଧରେ ନାରାବାଜି କରିବା ସହ କଂଗ୍ରେସ କର୍ମୀ ଓ ନେତାମାନେ ଭୁବନେଶ୍ୱରସ୍ଥିତ ଗ୍ରୀଡକୋ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆନ୍ଦୋଳନକାରୀମାନେ ଗ୍ରୀଡ଼କୋ କାର୍ଯ୍ୟାଳୟକୁ ବ୍ୟାରିକେଡ୍ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଉତ୍ତ୍ୟକ୍ତ ଲୋକେ ଗ୍ରୀଡକୋ ବିଲ୍ଡିଂ ଉପରକୁ ମଧ୍ୟ ଟମାଟୋ ଫିଙ୍ଗିଥିଲେ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଉଚ୍ଚ ବିଜୁଳି ଦର ଓ ବାରମ୍ବାର ବିଜୁଳି ଯୋଗାଣରେ ବ୍ୟାଘାତ ସୃଷ୍ଟି କରି ଲୋକଙ୍କୁ ଶୋଷଣ କରୁଛନ୍ତି। ଓଡ଼ିଶାରେ ବିଜୁଳି ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କା ଆବଣ୍ଟନ କରିଥିବା ସେ ଅଭିଯୋଗ କରିଛନ୍ତି। ତଥାପି, ମାତ୍ର ଟାଟା ପାଓ୍ୱାରକୁ ୫, ୦୦୦ କୋଟି ଟଙ୍କା ଦିଆଯାଇଥିଲା ଏବଂ ବାକି ୧୫ ହଜାର ଟଙ୍କା କେଉଁଆଡେ ଗଲା ବୋଲି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଯଦି ସରକାର ଭୂତଳ ବିଦ୍ୟୁତ୍ ବିତରଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିଥାନ୍ତେ, ରାଜ୍ୟକୁ ବିଜୁଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା ବୋଲି ସେ କହିଛନ୍ତି। ଉପଭୋକ୍ତାଙ୍କୁ ଏକ ନିର୍ଦ୍ଧାରିତ ସମୟ ସୀମା ଅନୁଯାୟୀ ବିଦ୍ୟୁତ୍ ବିଲ୍ ପ୍ରଦାନ କରିବାକୁ ଦାବି କରି ପିସିସି ସଭାପତି ପରିସ୍ଥିତି ସୁଧୁରିବା ଯାଏଁ ବକେୟା ବିଦ୍ୟୁତ୍ ବିଲ୍ ପୈଠ ନକରିବାକୁ ମଧ୍ୟ ନିବେଦନ କରିଛନ୍ତି।

ସେପଟେ ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି, ରାଜ୍ୟ ସରକାର ଟାଟା ପାଓ୍ୱାରକୁ ବିଜୁଳି ବଣ୍ଟନର ଦାୟିତ୍ୱ ଦେଇଛନ୍ତି, ଯାହାଫଳରେ ବିକାଶମୂଳକ କାମ ହୋଇପାରିବ। ଯଦି କମ୍ପାନୀ ପ୍ରଦର୍ଶନ ନ କରେ, ତେବେ ଏହାକୁ ଦାୟିତ୍ୱରୁ ମୁକ୍ତ କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ବେଳେ ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ଘୋଟାଲା ଅଭିଯୋଗ ଆସିଛି। ବିଦ୍ୟୁତ ବିଭାଗର ଅବ୍ୟବସ୍ଥା ନେଇ ବିରୋଧୀ ଅଭିଯୋଗ ଆଣିବା ସହ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି।

Leave A Reply

Your email address will not be published.