Latest Odisha News

BREAKING NEWS

ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ ନିଜର ରାଜନୈତିକ ସ୍ବାର୍ଥ ପାଇଁ ସାଧନ କହି କାଉଣ୍ଟର କଲା ବିଜେପି

ଝାରସୁଗୁଡା: ସମ୍ବଲପୁର ହିଂସାକାଣ୍ଡ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ସମ୍ବଲପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ବିଜେପି ଉପରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ କହିଛି ବିଜେପି। ସୋମବାର ପ୍ରେସମିଟ୍ କରି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ବିଜେପି ଯେଉଁଭଳି ଭାବେ ଦଳର କେନ୍ଦ୍ରୀୟ ଟିମକୁ ଆଣି ସମ୍ବଲପୁର ପ୍ରସଙ୍ଗକୁ ଉଠାଉଛି ତାହା ନିନ୍ଦନୀୟ। ଏପରି କରି ବିଜେପି ଶାନ୍ତି ଫେରାଇ ଆଣିବା ପରିବର୍ତ୍ତେ ଉସକାଇବାକୁ ଉଦ୍ୟମ କରୁଛି ବୋଲି ପ୍ରସନ୍ନ କହିବା ପରେ କାଉଣ୍ଟର କରିଛି ବିଜେପି।

ଜଣେ ପଶ୍ଚିମ ଓଡିଶାର ନେତା ହୋଇ ଏଭଳି ସ୍ପର୍ଶକାତର ବିଷୟରେ ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଏଭଳି ହାଲୁକା ମନ୍ତବ୍ୟ ଦେଇଛନ୍ତି ବୋଲି ନାଉରୀ ନାୟକ କହିବା ସହିତ ସମ୍ବଲପୁର ତଥା ପଶ୍ଚିମ ଓଡିଶାବାସୀ କେବେ ଏହାକୁ ବରଦାସ୍ତ କରିବେ ନାହିଁ । ଏଭଳି ମତାମତ ପାଇଁ ସମ୍ବଲପୁରବାସୀଙ୍କ ପାଖରେ ପ୍ରସନ୍ନ ଆଚାର୍ଯ୍ୟ କ୍ଷମା ମାଗନ୍ତୁ ବୋଲି ରେଙ୍ଗାଲୀ ବିଧାୟକ ନାଉରୀ ନାଏକ କହିଛନ୍ତି।

ଝାରସୁଗୁଡାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନାଉରୀ ନାଏକ କହିଛନ୍ତି ଯେ, ସମ୍ବଲପୁର ଅଂଚଳରେ ଦୀର୍ଘ ଦିନ ଧରି ହନୁମାନ ଜୟନ୍ତୀ ପାଳନ ହୋଇ ଆସୁଅଛି ଯେଉଁଥିରେ କି ପ୍ରସନ୍ନ ଆଚାର୍ଯ୍ୟଙ୍କର ପ୍ରତ୍ୟକ୍ଷ ଯୋଗଦାନ ଓ ଅନୁଭୁତି ରହିଛି । ଆଜି ସମ୍ବଲପୁରରେ ହନୁମାନ ଜୟନ୍ତୀକୁ ରୋକାଯିବା ପାଇଁ ଯେଉଁ ପ୍ରୟାସ କରାଯାଉଛି ଏବଂ ଏହା ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ବକ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତାହେଲେ ସମ୍ବଲପୁରବାସୀ ଦୀର୍ଘ ଦିନ ଧରି ପାଳନ କରିଆସୁଥିବା ହନୁମାନ ଜୟନ୍ତୀକୁ କେଉଁଠି ଓ କିପରି ପାଳନ କରିବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

ଗଣ୍ଡଗାଳ ପରେ ସ୍ଥାନୀୟ ବରେଇପାଲି ଆଇଆଇସିଙ୍କ ଏଫଆଇଆରରୁ ଏହା ସ୍ପଷ୍ଟ ହୋଇଛି ଯେ, ଏହି ଘଟଣାଟି ଆକସ୍ମିକ ନଥିଲା ବରଂ ଯୋଜନାବଦ୍ଧ ଥିଲା । ଏହାକୁ ସମ୍ବଲପୁର ଏସପି ମଧ୍ୟ ସ୍ୱୀକାର କରିଛନ୍ତି । ଗଣ୍ଡଗୋଳର ଆଶଂକା କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଏପ୍ରିଲ ୫ ତାରିଖରେ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ରାଜ୍ୟ ସ୍ପେଶିଆଲ ବ୍ରାଂଚ ଏସପି ମଧ୍ୟ ଜିଲ୍ଲା ଏସପିଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ଏହା ସତ୍ୱେ ରାଜ୍ୟ ସରକାର ବା ସ୍ଥାନୀୟ ପୋଲିସ ପ୍ରଶାସନ ଆଶଂକା ପ୍ରକାଶ ପାଇଥିବା ଗଣ୍ଡଗୋଳକୁ ରୋକିବାରେ କେବଳ ବିଫଳ ହେଲେ ନାହିଁ ବରଂ ଗଣ୍ଡଗୋଳ ପରବର୍ତୀ ପରିସ୍ଥିତିକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ପୂର୍ବ ବର୍ଷ ତୁଳନାରେ ଅଳ୍ପ ସଂଖ୍ୟକ ସୁରକ୍ଷା ବାହିନୀ ଅବସ୍ଥାପିତ କରାଯାଇଥିଲା କାହିଁକି ? ଜଣେ ଆଦିବାସୀ ଯୁବକର ମୃତ୍ୟୁକୁ ଲୁଚାଇବା ପାଇଁ କାହିଁକି ପ୍ରୟାସ କରାଗଲା ? ଗଣ୍ଡଗୋଳ ଭିଆଇଥିବା ୧୫୦ରୁ ଉଦ୍ଧ୍ୱର୍ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଲୋକଙ୍କ ଉପରେ କାହିଁକି ଓ କାହା ସ୍ୱାର୍ଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ? ତାର ଜବାବ୍ ପ୍ରସନ୍ନ ଆଚାର୍ଯ୍ୟ ରଖିବା ଉଚିତ୍ ବୋଲି ନାଉରୀ ନାଏକ କହିଛନ୍ତି।

ବିଜେପିର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ ବିଜେପି ସାଂସଦ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିବା ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ଏପରି ପ୍ରକ୍ରିୟାକୁ ଦଳ ତରଫରୁ ନିନ୍ଦା କରିଥିଲେ।

Leave A Reply

Your email address will not be published.