Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ଓବିସି ସର୍ଭେକୁ ପ୍ରହସନ କହିଲା ବିଜେପି, ଜବାବ ରଖିଲେ ମନ୍ତ୍ରୀ ସାରକା

ଭୁବନେଶ୍ୱର: ଓଡ଼ିଶା ସରକାର ସାରା ରାଜ୍ୟରେ ଓବିସି ସର୍ଭେ ଆରମ୍ଭ କରିଛନ୍ତି। ତେବେ ଭାରତୀୟ ଜନତା ପାର୍ଟି ଏହାକୁ ଏକ ପ୍ରହସନ ବୋଲି କହିଛି। ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଦାବି କରିଛନ୍ତି ଯେ, ବିଜେଡି ନେତୃତ୍ୱାଧୀନ ସରକାର ଏବେ ସୁଦ୍ଧା ଲୋକଙ୍କୁ ଲାଭ ଦେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଓଡ଼ିଶା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (ଏସ୍ଇବିସି) ତାଲିକାକୁ ଆଧାର କରି ଏହି ସର୍ଭେ କରାଯିବ ବୋଲି ସୁରଥ ବିଶ୍ୱାଳ ଯୁକ୍ତି ବାଢିଥିଲେ, ଯାହା ଚୂଡ଼ାନ୍ତ ତାଲିକା ନୁହେଁ। କେନ୍ଦ୍ର ସରକାରଙ୍କ ଓବିସି ତାଲିକାରେ ଅନେକ ଜାତି ସ୍ଥାନ ପାଇଛନ୍ତି, କିନ୍ତୁ ରାଜ୍ୟ ଏସଇବିସି ତାଲିକାରେ ସ୍ଥାନ ପାଇନାହାନ୍ତି। ଏହି ଜାତିଗୁଡ଼ିକୁ ସଂରକ୍ଷିତ ରଖିବାରେ ସରକାରଙ୍କର ଆଗ୍ରହର ଅଭାବ ଥିବା ଦର୍ଶାଇ ସେହି ଅନୁଯାୟୀ ତାଲିକା ଅପଡେଟ୍ କରିବାକୁ ମନା କରିବାରୁ ଏହା ସ୍ପଷ୍ଟ ହେଉଛି ବୋଲି ସୁରଥ ବିଶ୍ୱାଳ କହିଛନ୍ତି।

ସୁରଥ ବିଶ୍ୱାଳ ଚୂଡାନ୍ତ ଜାତି ତାଲିକା ଦାବି କରିବା ସହ ଓବିସି ତାଲିକାରୁ କୌଣସି ଜାତିକୁ ବାଦ୍ ନଦେବାକୁ ଦାବି କରିଛନ୍ତି। ଅଧିକରୁ ଅଧିକ ଅଂଶଗ୍ରହଣ ପାଇଁ ଘର ଘର ବୁଲି ସର୍ଭେ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସେପଟେ ଅନୁସୁଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ପଛୁଆ ବର୍ଗ ସର୍ଭେ ଆଜିଠୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସାମାଜିକ ଶିକ୍ଷାଗତ ସ୍ଥିତି ଜାଣିବାକୁ ଏହି ସର୍ଭେ କରାଯାଉଛି । କିଏ କଣ ଅଭିଯୋଗ କଲେ ସେଥିରେ କିଛି ନାହିଁ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷା ଗତ ସ୍ଥିତି ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସର୍ଭେ କରାଉଛନ୍ତି।

ମେ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍ଭେ ୨୭ ତାରିଖ ଯାଏ ଚାଲିବ। ଯେଉଁଥିରେ ବ୍ରାହ୍ମଣ, କରଣ, ଏସଟି, ଏସସି ବ୍ୟତୀତ ସମସ୍ତ ୨୦୮ ଜାତି ସାମିଲ ହୋଇଛନ୍ତି। ପ୍ରତ୍ୟେକ ପରିବାରର ମୁଖ୍ୟ ଅଙ୍ଗନବାଡି କେନ୍ଦ୍ର ଏବଂ ପିଡିଏସ ସାମଗ୍ରୀ ବିକ୍ରୟ କେନ୍ଦ୍ରକୁ ଯାଇ ସେମାନଙ୍କ ପରିବାର ସଦସ୍ୟଙ୍କ ସମ୍ପର୍କରେ ତଥ୍ୟ ଦାଖଲ କରିପାରିବେ।

ଭୁବନେଶ୍ୱରରେ ୭୦ଟି ସ୍କୁଲରେ ୧୦୧ଟି କେନ୍ଦ୍ରରେ ସର୍ଭେ ଚାଲିଛି। ଭୋଟର ପରିଚୟ ପତ୍ର, ପାସପୋର୍ଟ, ପାନ୍ କାର୍ଡ କିମ୍ବା ଆଧାର କାର୍ଡ ଦେଖାଇ ନିଜ ନାମକୁ ସାମିଲ କରିପାରିବେ। ନୋଡାଲ ଅଫିସର ଓ ମେୟର କେନ୍ଦ୍ରଗୁଡ଼ିକର ତଦାରଖ କରିଛନ୍ତି।

Comments are closed.