ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ରାଜ୍ୟବାସୀଙ୍କୁ ପ୍ରାୟ ୩ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ନରେନ୍ଦ୍ର ମୋଦି। ଏଥିରେ ୨୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ସହ ନରାଜରେ ନିର୍ମିତ ୫୦କୋଟି ଟଙ୍କାର ଇଭି ବସ୍ ଡିପୋର ଉଦ୍ଘାଟନ, ୧୦୦ଟି ନୂଆ ଇଭି ବସ୍ର ଶୁଭାରମ୍ଭ ଆଦି ରହିଛି। ଏଥିପାଇଁ ବିଜେପି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି।
ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମୋଦିଙ୍କର ଏହା ଷଷ୍ଠ ଓଡ଼ିଶା ଗସ୍ତ। ମୋଦିଙ୍କ ଗସ୍ତ ପାଇଁ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା। ସୁରକ୍ଷା ଛାଉଣୀରେ ପରିଣତ ହୋଇଛି ଜନତା ମୈଦାନ। ତ୍ରିରଙ୍ଗା ଯାତ୍ରା ଓ ରୋଡ ସୋ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି। ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୧୩୩ ପ୍ଲାଟୁନ ଫୋର୍ସ। କେବଳ ୨୫ ପ୍ଲାଟୁନ ଫୋର୍ସ ରୁଟ ଲାଇନରେ ମୁତୟନ ହେବେ। ୫୦୦ରୁ ଅଧିକ ଅଫିସର ମୁତୟନ ଅଛନ୍ତି। ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଏବଂ ସ୍ଵତନ୍ତ୍ର ଏଜେନ୍ସୀ ବି ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ରୁଫ ଟପ ସୁରକ୍ଷା ବ୍ୟବସ୍ଥା ସହ ସାଧା ପୋଷାକରେ ପୋଲିସ ଅଫିସର ରହିବେ। ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଏବଂ ପରିଚାଳନା, ଆତଙ୍କବାଦ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।
ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ପାଇଁ ଟ୍ରାଫିକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି। ଡ୍ରୋନ ଉଡ଼ାଣ ଉପରେ ଲାଗିଛି ରୋକ। ମୋଦିଙ୍କ ଗସ୍ତ ପୂର୍ବରୁ ଗତକାଲି ବିମାନବନ୍ଦରରୁ କାରକେଡ ରିହରସାଲ ହୋଇଛି। ଅନ୍ୟପଟେ ଆଜି ଅପରାହ୍ନ ୩ଟା ୪୦ରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିବା ପରେ ୩ଟା ୪୫ରେ ରୋଡ୍ ସୋ’ରେ ବାହାରି ୪ଟା ୧୫ରେ ଜନତା ମଇଦାନରେ ପହଞ୍ଚିବେ। ସେଠାରେ ଅପରାହ୍ନ ୫ଟା ୩୫ ପର୍ଯ୍ୟନ୍ତ ରହିବେ। ଅପରାହ୍ନ ୫ଟା ୫୦ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ ବାହାରିଯିବେ ପ୍ରଧାନମନ୍ତ୍ରୀ। ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଓଡ଼ିଶା ଭିଜନ୍-୨୦୩୬ ଓ ୨୦୪୭’ ପୁସ୍ତିକାକୁ ଉନ୍ମୋଚନ କରିବେ।
ଏହାସହ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ମୋଦି ତା’ର ରୋଡ୍ ମ୍ୟାପ୍ ଘୋଷଣା କରିବେ। ସରକାର କିପରି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ଗୋଟି ଗୋଟି ପାଳନ କରୁଛନ୍ତି ଏବଂ କ’ଣ କରିବାକୁ ଯୋଜନା କରିଛନ୍ତି, ସେ ନେଇ ମଧ୍ୟ କହିବେ।
Comments are closed.