ଭୁବନେଶ୍ଵର: ମହାନଦୀକୁ ନେଇ ସରୁନି ବିବାଦ। ଏହି ବିବାଦ ନେଇ ଦୋଷ ଠେଲାଠେଲି। ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଆପୋଷ ସମାଧାନ ପାଇଁ ସରକାର ଚେଷ୍ଟା କରୁଛନ୍ତି। ଯାହା ପୂର୍ବ ସରକାର ସମୟରେ ହୋଇପାରି ନଥିଲା। ୨୧ ଜଣ ସାକ୍ଷୀଙ୍କ ମଧ୍ୟରୁ ଗତ ୭ ବର୍ଷ ମଧ୍ୟରେ ମାତ୍ର ଜଣଙ୍କର ସାକ୍ଷ୍ୟ ଗ୍ରହଣ ହୋଇଥିଲା।
ଟ୍ରିବ୍ୟୁନାଲ ସହ ପୂର୍ବ ସରକାରଙ୍କର ଆଦୌ ସହଭାଗୀତା ନଥିଲା। ନୂଆ ସରକାର ଆସିବା ପରେ ପ୍ରତି ମାସରେ ଗୋଟେ ଶୁଣାଣି ହେଉଛି। ଟ୍ରିବ୍ୟୁନାଲ ମଧ୍ୟ ଏହାକୁ ଅତି ପାଖରୁ ନିରୀକ୍ଷଣ କରୁଛନ୍ତି। ଆଇନ ମନ୍ତ୍ରୀ ପୁଣି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ସରିଛି। କେନ୍ଦ୍ର ଗୃହ ଏବଂ ଜଳ ଶକ୍ତି ମନ୍ତ୍ରୀଙ୍କ ସହ ମଧ୍ୟ ବୈଠକ ଶେଷ ହୋଇଛି। ମୁଖ୍ୟ ଶାସନ ସଚିବ ଏବଂ ବୈଷୟିକ କମିଟିରେ ମଧ୍ୟ ଆଲୋଚନା ହୋଇଛି। କେତେ ପାଣି ଆବଶ୍ୟକ ତାହା ସ୍ଥିର କରି ବୈଷୟିକ କମିଟି ସମାଧାନ କରିବେ। ବିଶେଷ ଭାବେ ଅଣମୌସୁମୀ ଋତୁରେ କେତେ ପାଣି ଆବଶ୍ୟକ ସେ ସମ୍ପର୍କରେ ବୈଷୟିକ କମିଟି ଖୁବଶୀଘ୍ର ନିଷ୍କର୍ସରେ ପହଞ୍ଚିବ।
ଛତିଶଗଡ଼ ମଧ୍ୟ ଖୁବଶୀଘ୍ର ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବାକୁ ଯାଉଛି। ଉଭୟ ରାଜ୍ୟର ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହେବ। ପରବର୍ତ୍ତୀ ଶୁଣାଣି ଫେବୃଆରୀରେ ରହିଛି। ଏଯାଏଁ ଯାହା ପଦକ୍ଷେପ ନିଆଯାଇଛି ସେନେଇ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯିବ। ସେହିପରି ଖୁବଶୀଘ୍ର ଆଉ ଥରେ ମନ୍ତ୍ରୀସ୍ତରୀୟ ବୈଠକ ବସିବ। ଛତିଶଗଡ଼ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣା କରି ଏହାର ସମାଧାନ କରାଯିବ।
Comments are closed.