Latest Odisha News

ବୟାନରେ ଲାଗିବ କି ଲଗାମ୍ ?

ଭୁବନେଶ୍ବର: ରାଜ୍ୟରେ ମୋହନ ସରକାରକୁ ପୂରିଛି ମାସେ । ପ୍ରଥମ ଥର କ୍ଷମତାକୁ ଆସିଥିବା ବିଜେପି ସରକାର ଜୁନ୍ ୧୨ତାରିଖରେ ଶପଥ ନେଇଥିଲେ । ୟା ଭିତରେ ମାସେ ବିତିଛି। ନୂଆ ଯୋଜନା କି ପଦକ୍ଷେପଠାରୁ ଅଧିକ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି ମନ୍ତ୍ରୀ। ବଡଠାକୁର ଚାରମାଳ ଉପରେ ପଡିବା ଘଟଣା ହେଉ କି ଓଡିଆରେ ପ୍ରଶିକ୍ଷଣକୁ ନେଇ ହେଉ, ମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରଶଂସା କମ୍ ବିବାଦ ବେଶୀ ହୋଇଛି । ସମ୍ବେଦନଶୀଳ ଘଟଣାରେ ମନ୍ତ୍ରୀଙ୍କ ବୟାନକୁ ବିରୋଧୀ ଘେରିଛନ୍ତି ତ ଜନତା ବି ନାପସନ୍ଦ କରିଛନ୍ତି ।

ଅବ୍ୟବସ୍ଥା ଏଡାଇବାକୁ ‘ଲୀଳାମୟଙ୍କ ଇଚ୍ଛା’

ଆଡ଼ପ ମଣ୍ଡପକୁ ବିଜେ ବେଳେ ଚାରମାଳ ଉପରେ ଖସିପଡିଲେ ବଡଠାକୁର । ଏଭଳି ଅଘଟଣକୁ ନେଇ ସାରା ରାଜ୍ୟ ସ୍ତବ୍ଧ । ଜଗନ୍ନାଥପ୍ରେମୀଙ୍କୁ ଲାଗିଛି ଶକ୍ତ ଆଘାତ। ହେଲେ କୋଟି କୋଟି ଓଡିଆଙ୍କ ପ୍ରାଣ ଶ୍ରୀଜିଉଙ୍କ ସଂପର୍କିତ ଏଭଳି ସମ୍ବେଦନଶୀଳ ଘଟଣାରେ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଖାମଖିଆଲ ବୟାନକୁ ନାପସନ୍ଦ କରିଛନ୍ତି ଲୋକେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଘଟଣାକୁ ସାଧାରଣ ଘଟଣା ଓ ଲୀଳାମୟଙ୍କ ଲୀଳା କହିଥିଲେ ତ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ସାମାନ୍ୟ ଦୁର୍ଘଟଣା। ଉଭୟଙ୍କ ବୟାନକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଜନଗନ୍ନାଥପ୍ରେମୀ। ବଡ଼ଠାକୁର କେବଳ ଠାକୁର ନୁହନ୍ତି ଓଡିଆଙ୍କ ପ୍ରାଣ, ପ୍ରତିଟି ଓଡିଆ ଶ୍ରୀଜିଉଙ୍କୁ ନେଇ ସମ୍ବେଦନଶୀଳ । କେବେ ଆଖିରେ ଦେଖିନଥିବା ଅଘଟଣ ପଛରେ ବଡ ଅବ୍ୟବସ୍ଥା କାରଣ ହୋଇପାରେ । ଘଟଣାକୁ ନେଇ ସମସ୍ତଙ୍କ ହୃଦୟକୁ ଆଘାତ ଲାଗିଛି । ଅଘଟଣ ପଛର କାରଣ ଖୋଜିବା, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ? ତାକୁ ଅନାଇ ବସିଛନ୍ତି ଜଗନ୍ନାଥପ୍ରେମୀ । ହେଲେ ଘଟଣାରେ ମନ୍ତ୍ରୀଙ୍କ ଖାମଖିଆଲ ବୟାନ ସମସ୍ତଙ୍କୁ ଆଘାତ ଦେଇଛି ।

ଓଡିଶାରେ କାମ କଲେ ଓଡିଆ କୁହ

ଓ-ହବ୍ ପରିଦର୍ଶନରେ ଯାଇଥିବା ବେଳେ ଅଣଓଡିଆ ପ୍ରଶିକ୍ଷକଙ୍କୁ ଓଡିଆ ଶିଖି ଓଡିଆରେ ଟ୍ରେନିଂ ଦେବାକୁ କହିଥିଲେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓଡିଶାରେ କାମ କରିବାକୁ ହେଲେ ଓଡିଆ ଭାଷା ଶିଖିବାକୁ ପଡିବ ବୋଲି କହିଥିଲେ। ତେବେ ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ବି ଅନେକ ପ୍ରଶ୍ନ ଉଠିଛି । ଓଡିଶାରେ କାମ କରିବାକୁ ହେଲେ ଓଡିଆ ଭାଷା ଶିଖିବାକୁ କେହି ବାଧ୍ୟ କି ? ସାରା ଦେଶରେ ଓଡିଆ ଲୋକ କାମ କରୁଛନ୍ତି । ସବୁ ରାଜ୍ୟର ମନ୍ତ୍ରୀ ଯଦି ସେହି ରାଜ୍ୟର ଭାଷା ଶିଖିବା ବାଧ୍ୟତାମୂଳକ କହିବେ, ଏହା ସମ୍ଭବ ହେବ କି ? ମହାରାଷ୍ଟ୍ରରେ କାମ କଲେ ମରାଠୀ, କର୍ଣ୍ଣାଟକରେ କାମ କଲେ କନ୍ନଡ ଶିଖିବା ସମ୍ଭବ କି? ଯେଉଁମାନେ ସର୍ବଭାରତୀୟସ୍ତରରେ କାମ କରୁଛନ୍ତି, ସେମାନେ କେତେଟା ଭାଷା ଶିଖିବେ? ଓଡିଆ ଭାଷା ପ୍ରତି ରାଜ୍ୟ ସରକାରଙ୍କ ଅନୁରକ୍ତି ସ୍ବାଗତଯୋଗ୍ୟ ହେଲେ ମନ୍ତ୍ରୀଙ୍କ ବୟାନ ଗ୍ରହଣୀୟ କି?

ବାଟ ହୁଡୁଛି ବୟାନ !

ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ଅନେକ ମନ୍ତ୍ରୀଙ୍କ ବୟାନ ପରେ ୟୁଟର୍ଣ୍ଣକୁ ନେଇ ଚର୍ଚ୍ଚା ହୋଇଛି । ଓଡିଶାକୁ ମଦମୁକ୍ତ କରିବା ନେଇ କହିଥିଲେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ହେଲେ ମନ୍ତ୍ରୀଙ୍କ ବୟାନ ପରେ ପରେ ଅବକାରୀ ବିଭାଗ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା । ସେହିପରି ଟ୍ରାଫିକ ପୋଷ୍ଟରୁ ରେଡ୍ ଲାଇଟ ହଟାଯିବ ବୋଲି କହିଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ହେଲେ ଏଭଳି ଘୋଷଣାର ବାସ୍ତବ ରୂପାୟନକୁ ନେଇ ପ୍ରଶ୍ନ ଉଠିଥିଲା। ସେହିପରି ରତ୍ନଭଣ୍ଡାର ଖୋଲିବା ନେଇ ଏଏସଆଇ ସୁପରିଟେଣ୍ଡେଣ୍ଟ ସକାଳେ ତାରିଖ ଦେଇଥିଲେ ତ ସଂଧ୍ୟାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାକୁ ଖଣ୍ଡନ କରିଥିଲେ । କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୟାନକୁ ନେଇ ବି ତାଙ୍କୁ ଘେରିଥିଲେ ବିରୋଧୀ । ବିଜେଡି ସରକାର ତାଙ୍କୁ ମୁହଁ ବନ୍ଦ କରିବାକୁ ମନ୍ତ୍ରୀ ପଦ ଓ ଖଣି ଯାଚିଥିବା ବି କହିଥିଲେ ମୁଖ୍ୟମନ୍ତ୍ରୀ । ତେବେ ସେତେବେଳେ କାହିଁକି ମୁହଁ ଖୋଲିନଥିଲେ ବୋଲି ପ୍ରଶ୍ନ କରିଥିଲା ବିଜେଡି । ରାଜ୍ୟରେ ବିଜେପି ସରକାର ପ୍ରଥମ ଥର ପାଇଁ ଆସିଥିବା ବେଳେ କେଭି ସିଂହଦେଓଙ୍କୁ ଛାଡିଦେଲେ ମନ୍ତ୍ରୀ ହେବାର ଅଭିଜ୍ଞତା କାହାର ନାହିଁ । ତେବେ ଅପରିପକ୍ବ ଓ ଦାୟିତ୍ବହୀନ ବୟାନବାଜି ବିଜେପି ସରକାରକୁ ମହଙ୍ଗା ପଡିପାରେ । କାରଣ ୨୪ବର୍ଷର ବିଜେଡି ସରକାରକୁ ପ୍ରତ୍ୟାଖ୍ୟାନ କରି ବିଜେପିକୁ ସରକାରରେ ବସାଇଥିବା ଜନତା ସରକାରଙ୍କ ପ୍ରତିଟି ବୟାନ ଉପରେ ନଜର ରଖିଛି ।

Comments are closed.