Latest Odisha News

BREAKING NEWS

ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଧର୍ମର ଜୟ କହିଲା ବିଜେପି

ଭୁବନେଶ୍ୱର: ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସୁପ୍ରିମକୋର୍ଟଙ୍କ ରାୟକୁ ‘ଧର୍ମ’ର ବିଜୟ ବୋଲି କହିଛି ବିଜେପି। ଏହି ପ୍ରକଳ୍ପ ପାଇଁ ୧୦ ହଜାର ଏକର ଜମି ଅଧିଗ୍ରହଣକୁ ବେଆଇନ ବୋଲି ବିବେଚନା କରି ବେଦାନ୍ତ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲଗାଇବା ପାଇଁ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।

ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ତଥା ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ପ୍ରସଙ୍ଗରେ ଆଲୋକପାତ କରି କହିଥିଲେ ଯେ, ଯେଉଁ ଜମି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ସେଥିରେ ଦୁଇଟି ନଦୀ ପ୍ରବାହିତ ହୋଇଛି। ଯଦି କୌଣସି ଘରୋଇ କମ୍ପାନୀ ଏହାକୁ ଅଧିଗ୍ରହଣ କରିଥାଆନ୍ତେ, ତେବେ ଏହା ସେମାନଙ୍କୁ ନଦୀ ଉପରେ ନିୟନ୍ତ୍ରଣ ପ୍ରଦାନ କରିଥାଆନ୍ତା। ଏହା ଅସାମ୍ବିଧାନିକ।

କଂଗ୍ରେସ ନେତା ଜୟଦେବ ଜେନା ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଶଂସା କରିବା ସହ ରାଜ୍ୟ ସରକାର ଏକ କର୍ପୋରେଟ୍ କମ୍ପାନୀକୁ ସୁହାଇଲା ଭଳି ଆଇନକୁ ବେଖାତିର କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଛଡ଼ାଇ ନେବାକୁ ଉଦ୍ୟମ କରୁଥିଲେ।

ଶାସକ ବିଜୁ ଜନତା ଦଳ ସରକାରଙ୍କ କାମ ସପକ୍ଷରେ ମତ ରଖି କହିଛି ଯେ ବିରୋଧୀ ଦଳ ସବୁବେଳେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରନ୍ତି, କିନ୍ତୁ ସରକାର ରାଜ୍ୟର ବିକାଶ ପାଇଁ କାମ ଜାରି ରଖିବେ।

୨୦୧୦ରେ ଓଡ଼ିଶା ହାଇକୋର୍ଟ ବିଶ୍ବବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ରଦ୍ଦ କରିଦେଇଥିଲେ ଏବଂ ଅଧିଗୃହୀତ ଜମିକୁ ଏହାର ମାଲିକଙ୍କୁ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପକୁ ବଞ୍ଚାଇବା ପାଇଁ ଓଡ଼ିଶା ସରକାର ଓ ଅନୀଲ ଅଗ୍ରଓ୍ୱାଲ ଫାଉଣ୍ଡେସନ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଟଙ୍କାର ପ୍ରସ୍ତାବିତ ବଜେଟ୍ ଥିଲା। ୨୦୦୬ରେ ଏହି ପ୍ରକଳ୍ପକୁ ନେଇ ଚୁକ୍ତି ହୋଇଥିଲା।

Leave A Reply

Your email address will not be published.