Latest Odisha News

BREAKING NEWS

ରାଜ୍ୟରେ ପାଣିର ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟ, ଜଳ ସଂପଦ ବିଭାଗ-ଆଇଆଇଟି ରୁରକି ମଧ୍ୟରେ ଏମଓୟୁ

ଭୁବନେଶ୍ୱର: ଜଳ ସଂପଦ ବିଭାଗ, ଓଡ଼ିଶା ଏବଂ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇ.ଆଇ.ଟି) ରୁରକି, ଉତ୍ତରାଖଣ୍ଡ ମଧ୍ୟରେ ଜଳ କ୍ଷେତ୍ରରେ ରାଜ୍ୟ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା (ଷ୍ଟେଟ୍‌ ସ୍ପେସିଫିକ୍‌ ଆକ୍ସନ ପ୍ଲାନ) ସଂପର୍କିତ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ରାଜ୍ୟ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଗୁରୁବାର ଅପରାହ୍ନରେ ଏହି ଚୁକ୍ତି ହୋଇଛି ।

ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ଏବଂ ଆଇ.ଆଇ.ଟି ରୁରକିର ଜଳ ସଂପଦ ବିକାଶ ଓ ପରିଚାଳନା ବିଭାଗର ପ୍ରଫେସର ଆଶିଷ ପାଣ୍ଡେଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ  ହୋଇଥିଲା ।

ଏହି ଅବସରରେ ଯୋଗଦେଇ ଜଳ ସଂପଦ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଜଳ ସଂପଦର ବିକାଶ ଓ ଜଳ ସଂପଦର ସୁପରିଚାଳନା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି ।  ସମସ୍ତଙ୍କ ପାଇଁ ଜଳର ଆବଶ୍ୟକତା ପୂରଣ ଆମର ଲକ୍ଷ୍ୟ ରହିଛି । ଆମେ ବର୍ଷା ଦିନରେ ଭରପୁର ଜଳ ପାଉଥିବା  ବେଳେ  କିଛି ଦିନ ପରେ ଜଳାଭାବର ସମ୍ମୁଖୀନ ହେଉଛୁ  । ଆଜିର ଏହି ବୁଝାମଣା ପତ୍ର ସ୍ୱାକ୍ଷର ଫଳରେ ଉପଯୋଗ ହେବାକୁ ଥିବା ନୂଆ ଜ୍ଞାନ କୌଶଳ ଆଗାମୀ ଦିନରେ ଆମ ରାଜ୍ୟରେ ଜଳର ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉ  ବୋଲି  ମନ୍ତ୍ରୀ ଶ୍ରୀମତୀ ସାହୁ ଆଶା ବ୍ୟକ୍ତ କରିଥିଲେ ।

ଜାତୀୟ ଜଳ ମିଶନ ୨୦୧୫ର ଲକ୍ଷ୍ୟ ଅନୁସାରେ ପ୍ରତି ରାଜ୍ୟ ନିଜ ନିଜର ନଦୀ ଅବବାହିକା ଅଂଚଳରେ ସମନ୍ୱିତ ଜଳ ପରିଚାଳନା କରିବାର ଆବଶ୍ୟକତା ରହିଛି । ଜଳ ପରିଚାଳନା କ୍ଷେତ୍ରରେ  ପୋଷଣୀୟତା ଅବଲମ୍ବନ ଏହାର ଲକ୍ଷ୍ୟ । ଖାଦ୍ୟ ନିରାପତ୍ତା, ଶିଳ୍ପ, ବିଭିନ୍ନ ସ୍ଥାନରେ ଅନିୟମିତ ଓ ବିକ୍ଷିପ୍ତ ଭାବରେ ବର୍ଷା ଏବଂ ଜଳବାୟୁ ପରିବର୍ତ୍ତନ, ମୁଣ୍ଡ ପିଛା ଜଳ ବ୍ୟବହାର ଓ ଆବଣ୍ଟନ ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଦେଶରେ ଜଳ ସଂପଦ  ଉପରେ  ଅଧିକ ଚାପ ରହୁଛି ।  ଆହୁରି ମଧ୍ୟ ଜଳ ସଂପଦର ବିକାଶ, ପରିଚାଳନା ଓ ଉପଲବ୍ଧତା କ୍ଷେତ୍ରରେ ରାଜ୍ୟ ରାଜ୍ୟ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହେଉଛି ।  ଏଣୁ   ଭବିଷ୍ୟତରେ ଯେପରି ଜଳ ସଂକଟ ନଘଟେ,  ଏହାକୁ ଦୃଷ୍ଟିରେ  ରଖି ରାଜ୍ୟଗୁଡିକ ଦ୍ୱାର  ନିର୍ଦ୍ଦିଷ୍ଟ ଭାବେ ଦୀର୍ଘ ସୂତ୍ରୀ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି ।

 ଆଜି  ଆମ ରାଜ୍ୟ ପାଇଁ ସ୍ୱାକ୍ଷର ହୋଇଥିବା ଏହି ଆକ୍ସନ ପ୍ଲାନ ଆଇ.ଆଇ.ଟି, ରୁରକି ତରଫରୁ  ୧୮ ମାସ ମଧ୍ୟରେ ପ୍ରସ୍ତୁତ ହେବ । ପ୍ରଥମ ପର୍ଯ୍ୟାୟରେ ୯ ମାସ ମଧ୍ୟରେ ରାଜ୍ୟରେ ଜଳର ସ୍ଥିତି ଅନୁଧ୍ୟାନ କରାଯିବା ସହ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ୨ୟ  ପର୍ଯ୍ୟାୟରେ ୬ ମାସ ମଧ୍ୟରେ ପ୍ରତି ସମସ୍ୟାର କି କି ସମସ୍ୟାର ସମାଧାନ ରହିଛି, ସେ ସଂପର୍କରେ ବିବରଣୀ ପ୍ରଦାନ କରାଯିବ ।  ୩ୟ ପର୍ଯ୍ୟାୟରେ ୩ ମାସ ମଧ୍ୟରେ ରାଜ୍ୟକୁ ଆକ୍ସନ ପ୍ଲାନ ପ୍ରସ୍ତୁତିର ଚୁଡାନ୍ତ ବିବରଣୀ ମିଳିବ ।

କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଗର୍ଗ ଯୋଗଦେଇ କହିଥିଲେ ଯେ, ଏହି ବୁଝାମଣାପତ୍ର ଆମର ଜଳ ବ୍ୟବହାରିକ ଉପଯୋଗିତା ଓ ଜଳସେଚନ କ୍ଷମତା ବୃଦ୍ଧିରେ ସହାୟକ ହେବ ।  ଆମେ ଜଳବାୟୁ ସହନଶୀଳ  ଭତ୍ତିଭୂମି  ନିର୍ମାଣ ସହ କେନାଲ ଲାଇନିଂ, ସେଚାଞ୍ଚଳ ଉନ୍ନୟନ ଯୋଜନା ଆଦି ବିଭିନ୍ନ ବ୍ୟବସ୍ଥାରେ ଜଳ ପରିଚାଳନା କରୁଛୁ । ଏସବୁ ସତ୍ତ୍ୱେ ଆମକୁ ଭବିଷ୍ୟତକୁ ଲକ୍ଷ୍ୟ ରଖି ଦିର୍ଘମିଆଦି  ଯୋଜନା ପ୍ରସ୍ତୁତ କରି ତାହାକୁ ତ୍ୱରିତ ପଦକ୍ଷେପ ନେଇ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ ।

Leave A Reply

Your email address will not be published.