Latest Odisha News

BREAKING NEWS

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ, ସେ ଇସ୍ତଫା ଦିଅନ୍ତୁ- ବିଜେପି

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଚାଲିଛି ଦୁଇ ପ୍ରମୁଖ ଦଳର ରଣନୀତି ପ୍ରସ୍ତୁତ । ଗୋଟିଏ ପଟେ ବିଜେଡି ଚାଉଳକାଟକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାରେ ଗର୍ଜୁଥିବାବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ରାସ୍ତାରେ ଗର୍ଜୁଛି ।

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିଜେପି ପକ୍ଷରୁ ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ଅଭିଯୋଗ କରିଛି ଯେ,  ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ  ବିଜେଡି  ସରକାର ବିଫଳ ହୋଇଛି ।   ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ସତ୍ୟ ପଦାକୁ ଆଣିବାରେ ବିଜେଡି ସରକାର ଫେଲ ହୋଇଥିବା ଅଭିଯୋଗ ଆଣିଛି  ବିଜେପି ।  ନବ ଦାସ ହତ୍ୟା ମାମଲାରେ ସରକାରଙ୍କ ଅପାରଗତାକୁ ଦାୟୀ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି।

ବିଜେପି ନେତା ବାବୁ ସିଂହ କହିଛନ୍ତି, ଓଡ଼ିଶାର ସ୍ଥିତି ପାକିସ୍ତାନଠୁ ଟପି ଗଲାଣି। ଓଡ଼ିଶାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇଗଲାଣି।  ଏଠି ଦିନ ଦ୍ୱିପହରରେ  କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଉଛି। ରାଜ୍ୟର ଏପରି ସ୍ଥିତି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କର  ଇସ୍ତଫା ଦାବି କରିଛନ୍ତି ।

ବିଜେପି ପକ୍ଷରୁ ଆଜି ଏଜିଛକ, ପଳାଶୁଣି, ଜୟଦେବ ବିହାର, ସମାନ୍ତରାପୁର ଛକ ଓ ଖଣ୍ଡଗିରିରେ   ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି କେବଳ ରାଜଧାନୀରେ ଆନ୍ଦୋଳନ କରାଯାଇଥିବା ବେଳେ ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାପାଳଙ୍କ ଆଫିସ ଆଗରେ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ୧୬ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ଦଳ। ଆଜି ବିଜେପିର ବିକ୍ଷୋଭକୁ ଦେଖି ପୋଲିସ  କିଛି ସ୍ଥାନରେ  କର୍ମୀଙ୍କୁ  ଉଠାଇ ନେଇଛି।

Leave A Reply

Your email address will not be published.