Latest Odisha News

BREAKING NEWS

Nuapada Bypoll: ବିଜେପି ବିରୋଧରେ ସିଇଓଙ୍କୁ ଭେଟିଲା ବିଜେଡି;କହିଲା-ପୋଲିସ ପ୍ରଶାସନକୁ ବ୍ୟବହାର କରୁଛି…

ଭୁବନେଶ୍ୱର: ପୋଲିସ ପ୍ରଶାସନର ଅପବ୍ୟବହାର କରି ଭାରତୀୟ ଜନତା ପାର୍ଟି ନୂଆପଡା ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବୋଲି ବିଜୁ ଜନତା ଦଳ ଶନିବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହୋଇଛି ।

ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଶନିବାର ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ନୂଆପଡା ଉପନିର୍ବାଚନରେ ବିଜେପି ଦ୍ୱାରା ପ୍ରଶାସନିକ କଳର ଅପବ୍ୟବହାର ଅଭିଯୋଗ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଏହି ସ୍ମାରକପତ୍ରରେ ବିଜେଡିର ଖରିଆର ରୋଡ୍ର ବିଜେଡି ଛାତ୍ର ସଭାପତି ମନୀଷ ଦେବଙ୍ଗନଙ୍କୁ ପୋଲିସ ଦ୍ୱାରା ଚାପ ପକାଇ ବିଜେପିରେ ଜଏନ କରାଯାଇଛି । ମନୀଷ ବିଜେପିରେ ଜଏନ କରିବାର ପୂର୍ବ ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମରେ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହିତ ସେ ବିଜେଡିରେ ଅଛନ୍ତି ବୋଲି କହିଥିଲେ । ଏହାର କିଛି ଘଣ୍ଟା ପରେ ସେ ହ୍ସାଟ୍ସଆପ୍ ରେ ମେସେଜ ଦେଇ ତାଙ୍କୁ ପୋଲିସ ଉଠାଇ ନେଇଛି ଓ ବିଜେପିରେ ଯୋଗଦେବା ପାଇଁ ତାଙ୍କ ଉପରେ ଚାପ ପକାଉଛି ବୋଲି କହିଥିଲେ । ଏହାର ପରଦିନ ମନୀଷ ବିଜେପିରେ ଯୋଗ ଦେଇଥିଲେ । ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେପି ପୋଲିସ୍ ପ୍ରଶାସନକୁ ବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛି ।

ସ୍ମାରକପତ୍ରରେ ଆହୁରି କୁହାଯାଇଛି, ଜିଲ୍ଲାରେ କାର୍ଯ୍ୟରତ ଏସ୍ପି ଅମ୍ରିତପାଲ ସିଂଙ୍କ କାର୍ଯ୍ୟକ୍ରମକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ପୂର୍ବରୁ ଡିଆଇଜିଙ୍କୁ ଛୁଟିରେ ପଠାଯାଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି, ଯାହାକୁ ନେଇ ପୂର୍ବରୁ ବିଜେଡି ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଜେପି ଦ୍ୱାରା ପ୍ରଶାସନିକ କଳର ଅପବ୍ୟବହାର କରି ବିଜେପି ନିର୍ବାଚନର ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି ।

ସ୍ମାରକପତ୍ର ପ୍ରଦାନ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡିର ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଥିଲେ, ପରାଜୟ ଭୟରେ ବିଜେପି ଆତଙ୍କିତ ହୋଇ ପ୍ରଶାସନକୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଯିବା ପରେ, ବିଜେପି ଭୟଭୀତ ହୋଇପଡିଛି । କିନ୍ତୁ ବିଜେପିର କୌଣସି ଚାଲ ଚଳିବ ନାହିଁ । ନୂଆପଡାବାସୀ ବିଜୁ ଜନତା ଦଳ ସହିତ ଅଛନ୍ତି ।

Comments are closed.