Latest Odisha News

ଧାମନଗର ଉପନିର୍ବାଚନ: ବିଜେପି ଘୋଷଣା କଲା ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର: ନଭେମ୍ବର ୨ରେ ହେବାକୁ ଥିବା ଧାମନଗର ଉପ-ନିର୍ବାଚନରେ ଦଳର ପ୍ରାର୍ଥୀ ସୁର୍ଯ୍ୟବଂଶୀ ସୂରଜଙ୍କ ପ୍ରଚାର ପାଇଁ ଭାରତୀୟ ଜନତା ପାର୍ଟି ୪୦ ଜଣ ନେତାଙ୍କ ତାଲିକା ଜାରି କରିଛି। ବିଜେପିର ଏହି ଷ୍ଟାର କ୍ୟାମ୍ପେନର ବା ପ୍ରଚାର ତାଲିକାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ବର ଟୁଡୁ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ସାମିଲ କରାଯାଇଛି।

ଏହା ବ୍ୟତୀତ ଏହି ତାଲିକାରେ ଓଡ଼ିଶା ବିଜେପି ସଭାପତି ସମୀର ମହାନ୍ତି, ବିଧାନସଭାରେ ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ଏବଂ ଦଳର ଜାତୀୟ ମୁଖପାତ୍ର ସମ୍ବିଟ୍ ପାତ୍ର ମଧ୍ୟ ରହିଛନ୍ତି।

ପ୍ରଚାର ତାଲିକାରେ ବିଜେପି ନେତା ତଥା ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, କେନ୍ଦ୍ରମନ୍ତ୍ରୀ ବିଜୟପାଲ ସିଂ ତୋମାର, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ବସନ୍ତା ପଣ୍ଡା, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଅପରାଜିତା ଷଡଙ୍ଗୀ ମଧ୍ୟ ସ୍ଥାନ ପାଇଛନ୍ତି। ସେହିପରି ଏହି ତାଲିକାରେ ରହିଛନ୍ତି କେ.ଭି ସିଂହଦେଓ। ଯିଏକି ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ବିବାଦୀୟ ହୋଇ ପଡ଼ିଛନ୍ତି।

ସୂଚନାଯୋଗ୍ୟ, ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ କାରଣରୁ ଧାମନଗର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି। ବିଷ୍ଣୁ ସେଠୀ ୨୦୧୯ ରେ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.