Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୬ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଓ ଶ୍ରୀ ନୃସିଂହ ଏକ ଓ ଅଭିନ୍ନ ଭାବରେ ଅନେକ ଶାସ୍ତ୍ର ଓ ପୁରାଣ ବର୍ଣ୍ଣନା କରିଛନ୍ତି । ଅଧିକାଂଶ ଶାସ୍ତ୍ର ଶ୍ରୀନୃସିଂହଙ୍କୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ପରିପ୍ରକାଶ ତଥା ମୌଳିକ ରୂପ ବିଗ୍ରହ ଭାବରେ ଗ୍ରହଣ କରିଛନ୍ତି। କିନ୍ତୁ ସ୍ୱଭାବରେ ଶ୍ରୀ ନୃସିଂହ କେତେବେଳେ ଉଗ୍ର, ପୁଣି କେତେବେଳେ ସୌମ୍ୟ ଭାବର ପ୍ରଦର୍ଶନ କରିଥିବାର ବିଗ୍ରହ ଆମର ଦୃଷ୍ଟି ଗୋଚର ହୁଏ। ଉଗ୍ର ଭାବଟି ଦୁଷ୍ଟ ଦଳନ କରୁଥିବା ବେଳେ, ସୌମ୍ୟ ଭାବରେ କରୁଣାର ଧାରା ବର୍ଷା କାରି ତଥା ଜଗତ କଲ୍ୟାଣକାରି ଭାବରେ ଭକ୍ତ ଆଗରେ ପରିପ୍ରକାଶ ଘଟିଛି। ଏସବୁର ସମନ୍ୱୟ ସ୍ୱରୂପ ହେଲେ ନୀଳାଦ୍ରି ସିଂହ (ନୃସିଂହ )ଅବା ଶ୍ରୀଜଗନ୍ନାଥ। ତେଣୁ ନୃସିଂହ ପୁରାଣ କହେ “ଯେ ଅଟଇ ଜଗନ୍ନାଥ, ସେ ନୃସିଂହ ଅଟେ। ଜଗନ୍ନାଥ ହୃଦୁ ଜନ୍ମ, ନୃସିଂହ ପ୍ରକଟେ । ” ଆସନ୍ତୁ ସେହି ନୃସିଂହ ଠାକୁରଙ୍କ ଜନ୍ମଦିନ କିପରି ଶ୍ରୀମନ୍ଦିର ରେ ପାଳିତ ହୁଏ ତାହା ଜାଣିବା। ବୈଶାଖ ଶୁକ୍ଳ ଚତୁଦର୍ଶୀ ଦିନ ଶ୍ରୀକ୍ଷେତ୍ରରେ ତଥା ଶ୍ରୀମନ୍ଦିରରେ ପାଳିତ ହୁଏ “ନୃସିଂହ ଜନ୍ମ “ଉତ୍ସବ।

ଶ୍ରୀଜଗନ୍ନାଥଙ୍କ ଆଜ୍ଞା ମାଳ ଚକ୍ରତୀର୍ଥ ନିକଟରେ ଥିବା ଚକ୍ର ନୃସିଂହଙ୍କ ପାଖକୁ ଯାଏ। ଶ୍ରୀମନ୍ଦିର ଭିତରେ ମୁକ୍ତି ମଣ୍ଡପ ପାର୍ଶ୍ଵରେ ଥିବା ନୃସିଂହ ମନ୍ଦିର ସମ୍ମୁଖରେ ମୁକ୍ତି ମଣ୍ଡପ ଉପରେ ସ୍ୱତନ୍ତ୍ର ଖଟୁଲି ରଖାଯାଇ ସେଥିରେ ଦକ୍ଷିଣ ଘରୁ ନୃସିଂହଙ୍କ ପ୍ରତିମା ଆଣି ବିଜେ କରାଯାଏ। ମହାସ୍ନାନ, ପଞ୍ଚଉପଚାର ପୂଜା, ଶୀତଳ ଭୋଗ ଓ ବନ୍ଦାପନା ପରେ, ବିମାନରେ ବିଜେ ହୋଇ ଜଗନ୍ନାଥ ବଲ୍ଳଭ ମଠକୁ ଯାଆନ୍ତି। ସେଠାରେ ସମସ୍ତ ଜନ୍ମ ନୀତି ପାଳିତ ହୁଏ ଓ ପୁଣି ପ୍ରଭୂ ଶ୍ରୀମନ୍ଦିର ବାହୁଡା଼ ବିଜେ କରନ୍ତି। ଏଠାରେ ଆଲଟ ଚାମର ନୀତି ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୁଏ। ଆଗାମୀ ଅଧ୍ୟାୟରେ ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ନୀତି କଥା ଆଲୋଚନା କରିବା। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ।

“ଆଦି ଗଣନା ସତ୍ୟ ଯୁଗେ
ସେ ବ୍ରହ୍ମ ହୋଇ ବେନି ଭାଗେ ।
ପ୍ରକୃତି ରୂପେ ଏକ ଅଂଶ
ଦ୍ୱିତୀୟେ ପୁରୁଷ ପ୍ରକାଶ ।
* * * *
ତେଣୁ ସେ ବ୍ରହ୍ମ ବେନି ଖଣ୍ଡ
ସଂଯୋଗେ ଜନ୍ମିଲା ବ୍ରହ୍ମlଣ୍ଡ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.