ନୂଆଦିଲ୍ଲୀ: ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ମମତାଙ୍କ ବିଜୟ ରଥ ରୋକିବାକୁ ବିଜେପିର ବଡ଼ ପ୍ଲାନ୍ । ମମତାଙ୍କ ଜଗନ୍ନାଥ ମନ୍ଦିର, ଶୁଭେନ୍ଦୁ ଅଧିକାରୀଙ୍କ ରାମମନ୍ଦିର ! ରାମନବମୀଙ୍କୁ ନେଇ ଗତ କିଛି ଦିନ ଧରି ସରଗରମ ହୋଇଛି ପଶ୍ଚିମବଙ୍ଗ ରାଜନୀତି । ବିଧାନସଭାରେ ବିରୋଧୀ ଦଳ ନେତା ରହିଥିବା ଶୁଭେନ୍ଦୁ ଅଧିକାରୀ ନିଜ ଅଞ୍ଚଳରେ ଅଯୋଧ୍ୟା ଭଳି ଭବ୍ୟ ରାମମନ୍ଦିର ନିର୍ମାଣ କରିବାକୁ ପୂର୍ବରୁ ଘୋଷଣା କରିଥିଲେ । ରାମନବମୀ ଅବସରରେ ସେ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ଏହାପରେ ରାମମନ୍ଦିରକୁ ନେଇ ବିଧାନସଭା ନିର୍ବାଚନରେ ମମତାଙ୍କ ବିଜୟ ରଥ ରୋକିବାକୁ ଶୁଭେନ୍ଦୁ ଅଧିକାରୀ ବଡ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।
ନନ୍ଦିଗ୍ରାମ ହେବ ଅଯୋଧ୍ୟା ମଇଦାନ !
୨୦୨୧ ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇନଥିଲେ ମଧ୍ୟ ଦଳ ପାଇଁ ଆଶ୍ବସ୍ତି ଆଣିଥିଲା ନନ୍ଦିଗ୍ରାମ । ପ୍ରଥମେ ଚ୍ୟାଲେଞ୍ଜ କରି ନନ୍ଦିଗ୍ରାମରେ ତାଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ମମତାଙ୍କୁ ଏକପ୍ରକାର ବାଧ୍ୟ କରିଥିଲେ ଶୁଭେନ୍ଦୁ ଅଧିକାରୀ । ଆଉ ରାଜ୍ୟରେ ନହେଲେ ବି ନନ୍ଦିଗ୍ରାମରେ ମମତାଙ୍କୁ ହରାଇଥିଲେ ଶୁଭେନ୍ଦୁ । ହେଲେ ଏଥର ନନ୍ଦିଗ୍ରାମ ମାଟିରୁ ହିଁ ମମତାଙ୍କ ପରାଜୟର ପଟ୍ଟକଥା ଲେଖିବାକୁ ସେ ବଡ଼ ଯୋଜନା କରିଛନ୍ତି । ନନ୍ଦିଗ୍ରାମରେ ଅଯୋଧ୍ୟା ଅନୁଭୁତି ଦେବାକୁ ଉଦ୍ୟମ କରୁଛନ୍ତି । ସେଠାରେ ଭବ୍ୟ ରାମମନ୍ଦିର ନିର୍ମାଣ କରିବାକୁ ଯାଉଥିବା ବେଳେ ରାମନବମୀରେ ଶିଳାନ୍ୟାସ କରିଛନ୍ତି ଶୁଭେନ୍ଦୁ ଅଧିକାରୀ ।
ମମତାଙ୍କ ଜଗନ୍ନାଥ ମନ୍ଦିର Vs ଶୁଭେନ୍ଦୁଙ୍କ ରାମମନ୍ଦିର
ନନ୍ଦିଗ୍ରାମ ମମତା ବାନାର୍ଜୀଙ୍କ ରାଜନୈତିକ ପ୍ରୟୋଗଶାଳା । ତେବେ ଏଠାରେ ଶୁଭେନ୍ଦୁ ଅଧିକାରୀଙ୍କ ଦବଦବା ରହିଛି । ଗତ ବିଧାନସଭା ନିର୍ବାଚନରେ ଏହା ପ୍ରମାଣିତ ବି ହୋଇଛି । ରାଜ୍ୟରେ ବିଜେପିର ହିନ୍ଦୁତ୍ବବାଦୀ ଅଭିଯାନକୁ ଝଟକା ଦେବାକୁ ଯାଇ ପୂର୍ବ ମେଦିନାପୁର ଜିଲ୍ଲାର ଦିଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି ମମତା । ତେବେ ମନ୍ଦିର ଉଦଘାଟନର କିଛି ସପ୍ତାହ ପୂର୍ବରୁ ହିଁ ନନ୍ଦିଗ୍ରାମରେ ରାମମନ୍ଦିରର ଶିଳାନ୍ୟାସ କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ବିଜେପି ବାରମ୍ବାର ମମତାଙ୍କ ଉପରେ ମୁସଲିମ ତୁଷ୍ଟିକରଣ ଟ୍ୟାଗ ଲଗାଉଥିବା ବେଳେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ଏହାର ଜବାବ ଦେବାକୁ ଯାଉଛି ଟିଏମସି । ତେବେ ଶୁଭେନ୍ଦୁ ଅଧିକାରୀ, ରାମମନ୍ଦିରର ଶିଳାନ୍ୟାସ କରି ମମତାଙ୍କୁ ଜବାବ ଦେଇଛନ୍ତି ।
ଶୁଭେନ୍ଦୁଙ୍କ ପାଇଁ କର ବା ମର
ନନ୍ଦିଗ୍ରାମରେ ପଶ୍ଚିମବଙ୍ଗର ସବୁଠୁ ବଡ ରାମମନ୍ଦିର ନିର୍ମାଣ କରି ହିନ୍ଦୁତ୍ବ ପିଚରେ ମମତାଙ୍କୁ ବୋଲଡ କରିବାକୁ ଯୋଜନା କରୁଛନ୍ତି ଶୁଭେନ୍ଦୁ ଅଧିକାରୀ । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ଶୁଭେନ୍ଦୁ । ଦିନେ ମମତାଙ୍କ ନିକଟତମ ନେତା କୁହାଯାଉଥିବା ଶୁଭେନ୍ଦୁ ବିଜେପି ପାଇଁ ବିଜୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ହେଲେ ବିଜୟ ଦୂରେ ଥାଉ ବିଜେପିକୁ ଶହେ ସିଟରେ ବି ଜିତାଇ ପାରିଲେନି ଶୁଭେନ୍ଦୁ। ଏହାସହ ଲୋକସଭା ନିର୍ବାଚନରେ ବି ରାଜ୍ୟରେ ୨୦୧୯ ତୁଳନାରେ ତଳକୁ ଖସିଗଲା ବିଜେପି । ତେଣୁ ଆଗାମୀ ନିର୍ବାଚନ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ କର ବା ମର ସ୍ଥିତି । ସେଭଳି କମାଲ ନକଲେ ପ୍ରଭାବ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ପଡିପାରେ । ଆଉ ସେଥିପାଇଁ ବିଜେପିର ହିନ୍ଦୁତ୍ବ ଫଣ୍ଡା ହିଁ ଆପଣାଇଛନ୍ତି ।
ଗତ ୪ବର୍ଷ ଧରି ପଶ୍ଚିମବଙ୍ଗ ମୁଖ୍ୟ ମମତା ବାନାର୍ଜୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରିଆସୁଛନ୍ତି ଶୁଭେନ୍ଦୁ ଅଧିକାରୀ । ତେବେ ତାଙ୍କ ସମାଲୋଚନାର ସେଭଳି ପ୍ରଭାବ ଦେଖିବାକୁ ମିଳିନି । ତେଣୁ ଏବେଠୁ ମମତାଙ୍କୁ ମୁକାବିଲା କରିବାକୁ ଯୋଜନା କରୁଛନ୍ତି ଶୁଭେନ୍ଦୁ । ତେବେ ନନ୍ଦିଗ୍ରାମ ମମତାଙ୍କ ପାଇଁ ସବୁବେଳେ କୁରୁକ୍ଷେତ୍ର ରହିଛି । ପ୍ରଥମେ ୨୦୦୭ରେ ବାମଦଳ ବିରୋଧରେ ତ ୨୦୨୧ରେ ଶୁଭେନ୍ଦୁ ଅଧିକାରୀଙ୍କ ବିପକ୍ଷରେ ଏଇଠି ମମତା ଯୁଦ୍ଧର ହୁଙ୍କାର ଭରିଛନ୍ତି । ଏବେ ସେଇ ନନ୍ଦିଗ୍ରାମରେ ରାମମନ୍ଦିର ପାଇଁ ଶିଳାନ୍ୟାସ କରିବା ସହ ନିର୍ବାଚନ ପୂର୍ବରୁ ରାଜ୍ୟରେ ହିନ୍ଦୁତ୍ବ ପିଚ୍ ପ୍ରସ୍ତୁତ କରୁଛନ୍ତି ।
Comments are closed.