ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା । ପୋଲିସ ହାତରେ ସାର୍ପ ସୁଟର ଧରାପଡିଥିବା ସୂଚନା ମିଳୁଛି । ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଛି ବ୍ରହ୍ମପୁର ପୋଲିସ। ସେହିପରି ପଶ୍ଚିମବଙ୍ଗରୁ ମଧ୍ୟ ଆଉ ୨ ଜଣଙ୍କୁ ପୋଲିସ ଉଠାଇ ଆଣିଥିବା ସୂଚନା ରହିଛି।
ମୁଖ୍ୟ ଅଭିଯୁକ୍ତ ତଥା ସାର୍ପ ସୁଟର ସମେତ ତାର ଅନ୍ୟ ତିନି ଜଣ ସହଯୋଗୀ ପଡିଛନ୍ତି ପୋଲିସ ଜାଲରେ। ସେମାନଙ୍କୁ ଧରି ପୋଲିସ ବ୍ରହ୍ମପୁର ଆସୁଥିବାର ଜଣାପଡିଛି ।
ପୀତବାସଙ୍କ ବ୍ୟବସାୟ ସହଯୋଗୀ ବାଲାଜୀ ରେଡ୍ଡୀ ଓ ଜଣେ ମଦ ବ୍ୟବସାୟୀଙ୍କୁ ମାରାଥନ୍ ଜେରା କରିଛି ପୋଲିସ। ଏ ଘଟଣାରେ ରାଜ୍ୟ ବାହାର ଅପରାଧୀଙ୍କ ସଂପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ତାଙ୍କୁ କଣ ପାଇଁ କିଏ ହତ୍ୟା କଲା ତାହାର ତନାଘନା ଚାଲିଛି ।
ଗତ ୬ ତାରିଖ ରାତି ପ୍ରାୟ ଦଶଟାରେ ବାଇକରେ ଦୁଇ ଦୁର୍ବୃତ୍ତ ଆସି ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ନିକଟରେ ଗୁଳି ମାଡ଼ କରି ହତ୍ୟା କରିଥିଲେ । ହତ୍ୟାକାଣ୍ଡକୁ ରୂପ ଦେବା ପୂର୍ବରୁ ବିହାର ରୁ ଅପରାଧୀ ମାନେ ଆସି ପୀତବାସଙ୍କ ଘର ଦେଖିଥିଲେ ଏବଂ କେଉଁଠି ଗୁଳି ଫୁଟାଇଲେ ସାକ୍ଷ୍ୟ ପ୍ରମାଣ ନ ଛାଡି ସହଜ ରେ ଖସି ଯାଇ ପାରିବେ। ସେମାନେ ପ୍ରାୟ ୧୫ ଦିନ ଧରି ଘଟଣା ସ୍ଥଳରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିବା ବ୍ରହ୍ମପୁର ସହର ଏକ ଭଡା ଘରେ ରହୁଥିଲେ ।
ସାଥିରେ ସେମାନେ ବିହାରର ଅପରାଧ ଦୁନିଆରେ ବ୍ୟବହୃତ କାଟା ବନ୍ଧୁକ ସାଥିରେ ଆଣିଥିଲେ ଏବଂ ସେଥିରୁ ହିଁ ଗୁଳି ଫୁଟାଇଥିଲେ । ତେବେ ଗୋଟିଏ ସୂତ୍ରରୁ ମୁଖ୍ୟ ଅଭିଯୁକ୍ତ ତଥା ସାର୍ପ ସୁଟର ଧରା ପଡ଼ିଥିବା ଜଣା ପଡ଼ିଥିବା ବେଳେ ଆଉ ଏକ ସୂତ୍ରରୁ ତାର ସହଯୋଗୀ ସବୁ ଧରା ପଡିଛନ୍ତି ବୋଲି ଜଣା ପଡୁଛି । ଏଣୁ ପୋଲିସ ମୁହଁ ଖୋଲିଲେ ସବୁ କିଛି ସ୍ପଷ୍ଟ ହେବ। ସେହିପରି ବ୍ରହ୍ମପୁର ଓ ବିଶାଖାପାଟଣା ରୁ ଉଠାଇଥିବା ଦୁଇ ଜଣଙ୍କୁ ପୋଲିସ ଜେରା କରୁଛି ।
Comments are closed.